ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ଅଭିଯାନ, ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି । ଏହା ସହ ବୁଝାମଣା ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ ଲୋକସେବା ଭବନ ସ୍ଥିତ କନଭେନସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି ଯେ, ମହିଳା ସଶକ୍ତିକରଣ ହେଉଛି ବିକଶିତ ଓଡ଼ିଶାର ଚାବିକାଠି ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ, ସମାନ ଓ ସମ୍ମାନଜନକ ପରିବେଶ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା । ସେ ମାତୃଭାଷାରେ ଆଧାରିତ ପ୍ରାରମ୍ଭିକ ଶିକ୍ଷା, ବାଲ୍ୟ ବିବାହ ରୋକିବା, କିଶୋରୀ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ, ସମୁଦାୟ ସଂପୃକ୍ତି ଓ ତଳସ୍ତରରେ କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ଵ ଦେଇଥିଲେ ।
ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା “ଆମେ ପଢ଼ିବା ଆମ ଭାଷାରେ” ନାମକ ପାଞ୍ଚବର୍ଷୀୟ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ଜାତୀୟ ଶିକ୍ଷା ନୀତି-୨୦୨୦ ସହ ସମନ୍ୱୟରେ ୩-୬ ବର୍ଷ ବୟସର ଶିଶୁମାନଙ୍କୁ ମାତୃଭାଷାରେ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର, କନ୍ଧମାଳ, ଗଜପତି, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ମୁଣ୍ଡା, କୁଇ, ସଉରା, କୁଭି, ଗୋଣ୍ଡି ଓ କୋୟା ଭାଷାରେ ଯୋଜନାଟି କାର୍ଯ୍ୟକାରୀ ହେବ ।
ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଭାଷା-ନିର୍ଦ୍ଦିଷ୍ଟ ତାଲିମ, ଶିକ୍ଷା ସାମଗ୍ରୀ ଓ ଅଡିଓ- ଭିଜୁଆଲ ବିଷୟବସ୍ତୁ ପ୍ରଦାନ କରାଯିବ। “ସୁଭଦ୍ରା ଯୋଜନା” ପରି “ଆମେ ପଢିବା ଆମ ଭାଷାରେ” ଯୋଜନାକୁ ଘରେ ଘରେ ସୁପରିଚିତ କରିବାକୁ ଉଦ୍ୟମ କରିବାକୁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆହ୍ଵାନ କରିଥିଲେ । ଏହାସହ ଅଙ୍ଗନୱାଡ଼କୁ ଆକର୍ଷଣରେ ପରିଣତ କରାଯିବ ବୋଲି ସେ କହିଥିଲେ ।
ଏହା ସହ ବାଲ୍ୟ ବିବାହ ରୋକିବା ଉଦ୍ଦେଶ୍ୟରେ ୧୦୦ ଦିନିଆ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ସମୁଦାୟ, ଯୁବ ନେତୃତ୍ୱ, ଆଶା, ଅଙ୍ଗନୱାଡି କର୍ମୀ ଓ ସଂସ୍ଥାଗତ ମଞ୍ଚଗୁଡ଼ିକର ସକ୍ରିୟ ସଂପୃକ୍ତି ମାଧ୍ୟମରେ କନ୍ୟା ଶିକ୍ଷା, ସଚେତନତା ଓ ସୁରକ୍ଷାକୁ ମଜବୁତ କରାଯିବ । ସାଇକେଲ ରାଲି, ଯୁବ ସମ୍ମିଳନୀ, ମାନବ ଶୃଙ୍ଖଳ, ସ୍କୁଲ୍-କଲେଜ ଭିତ୍ତିକ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ଓ ଡିଜିଟାଲ ସଚେତନତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ସଫଳ କରାଇବା ଉପରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଗୁରୁତ୍ଵ ଦେଇଥିଲେ ।
ବୈଠକର ଆଲୋଚନାରୁ ଜଣାଯାଇଛି ଯେ ମୟୂରଭଞ୍ଜ ଜିଲ୍ଲାରେ ୟୁନିସେଫ (UNICEF) ସହଯୋଗରେ କିଶୋରୀ ମାଆ ସହାୟତା ଓ କିଶୋରୀ ଗର୍ଭଧାରଣ ରୋକିବା ପାଇଁ ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହା ମାଧ୍ୟମରେ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା, ସାମାଜିକ ସୁରକ୍ଷା, ପୁନଃ ଶିକ୍ଷା ଓ କୌଶଳ ମାର୍ଗ ସହ ସମନ୍ୱିତ ସହାୟତା ପ୍ରଦାନ କରାଯିବ। ଏହି ପ୍ରକଳ୍ପ ଭବିଷ୍ୟତରେ ରାଜ୍ୟସ୍ତରୀୟ ମଡେଲ୍ ଭାବେ କାମ କରିବ।
ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବରପାଲି ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ (SIWC)ର ନୂତନ ପ୍ରଶାସନିକ ଭବନ ଓ ଆନୁସଙ୍ଗିକ ସୁବିଧାର ଉଦଘାଟନ କରିଛନ୍ତି ଯାହା ବିଭାଗର ପ୍ରଶିକ୍ଷଣ ଓ କ୍ଷମତା ବିକାଶକୁ ସୁଦୃଢ଼ କରିବ । ସେହିଭଳି, ସେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ICDS କ୍ଷେତ୍ର ଅଧିକାରୀଙ୍କ ପାଇଁ ଆବାସିକ କ୍ୱାର୍ଟର୍ସର ମଧ୍ୟ ଉଦଘାଟନ କରିଛନ୍ତି ।
ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଆଭାସୀ ମାଧ୍ୟମରେ ଯୋଗ ଦେଇ ସ୍ଥାନୀୟ ଭାଷାରେ ପ୍ରାଥମିକ ଶିକ୍ଷାର ମହତ୍ୱ ଏବଂ ଚରିତ୍ର ନିର୍ମାଣରେ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।