Latest Odisha News

BREAKING NEWS

ବିଚାରପତି ଅଭାବକୁ ନେଇ କଲେଜିୟମକୁ କେନ୍ଦ୍ର ଆଇନ ମନ୍ତ୍ରୀ ଦାୟୀ କରିବା ପରେ ବଦଳିବ କି ସିଷ୍ଟମ?

ଦିଲ୍ଲୀ: ଦେଶରେ ବିଚାରପତିଙ୍କ ଅଭାବକୁ ନେଇ ସବୁବେଳେ କେନ୍ଦ୍ର ଓ ସୁପ୍ରିମକୋର୍ଟ ମୁହାଁମହିଁ ହୋଇଛନ୍ତି । ଗତକାଲି ସଂସଦରେ ବି  ବିଚାରପତି ଅଭାବ ପ୍ରସଙ୍ଗ ଉଠିଛି । ସମ୍ୱିଧାନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବିଚାରପତିଙ୍କ ସଂଖ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କ ଭାଷଣରେ ସେ କହିଥିଲେ, ମାମୁଲି ମାମଲା ପାଇଁ ବି ନିରିହ ଦଳିତ ଆଦିବାସୀଙ୍କୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଜେଲରେ ରହିବାକୁ ପଡୁଛି ।

ତେଣୁ ଏ ଦିଗରେ ସେ ପ୍ରଧାନ ବିଚାରପତି  ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ ରାଷ୍ଟ୍ରପତି । ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଆସିଲେ, ଖାଲି ପଡିଥିବା ପଦବୀ ଶୀଘ୍ର ପୂରଣ ହୋଇପାରନ୍ତା ।

ଗତକାଲି ଆଇନ ମନ୍ତ୍ରୀ କିରଣ ରିଜିଜୁ ଦେଶରେ ବିଚାରପତିଙ୍କ ଅଭାବକୁ ନେଇ ଉତ୍ତର ରଖିଥିଲେ । ବିଚାରପତି ଅଭାବରୁ ସାରା ଦେଶରେ ୫ କୋଟିରୁ ଅଧିକ ମାମଲା ବିଚାରାଧୀନ ରହିଛି । ଯାହା ଚିନ୍ତାଜନକ । ବର୍ତ୍ତମାନ କଲେଜିୟମ ନୂତନ ବିଚାରପତିଙ୍କୁ ଚୟନ କରୁଛି । ବିଚାରପତି ନିଯୁକ୍ତି କରିବା ପାଇଁ ସରକାରଙ୍କ ନିକଟରେ ଅନ୍ୟ ଅଧିକାର ନାହିଁ । କେନ୍ଦ୍ର ସରକାରଙ୍କ ସୀମିତ ଭୂମିକା ରହିଛି ବୋଲି କହିଥିଲେ ଆଇନ ମନ୍ତ୍ରୀ ।

ହେଲେ ବିଚାରପତି ନିଯୁକ୍ତି କରିବା କେନ୍ଦ୍ର ସରକାରଙ୍କ ଅଧିକାର । ୧୯୯୩ଠାରୁ ଏଥିରେ ପରିବର୍ତ୍ତନ ଆସିଛି ବୋଲି ରିଜିଜୁ ତାଙ୍କ ବିବୃତ୍ତିରେ କହିଛନ୍ତି । ୨୦୧୪ରେ ଏନଜେଏସି ଆଇନକୁ ୨୦୧୫ରେ ସୁପ୍ରିମକୋର୍ଟ ଉଚ୍ଛେଦ କରିଥିଲେ । ବିଚାରପତିଙ୍କ ନିଅଣ୍ଟିଆ ସ୍ଥିତି ଯୋଗୁଁ ସାରା ଦେଶରେ କୋର୍ଟମାନଙ୍କରେ ବର୍ଷ ବର୍ଷଧରି ମାମଲା ପଡିରହୁଛି ।

୯ ଡିସେମ୍ୱର ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୯,୭୭୭ ଜଜ୍ ଦେଶର ହାଇକୋର୍ଟମାନଙ୍କରେ କାର୍ଯ୍ୟରତ ଅଛନ୍ତି । ୧୧,୧୦୮ ଜଜ୍ ନିଯୁକ୍ତି ହେବାକୁ ଥିବାରୁ ୩୩୧ ସ୍ଥାନ ଅପୂରଣୀୟ ରହିଛି । ସୁପ୍ରିମକୋର୍ଟରେ ୩୪ ଜଜ୍ ନିଯୁକ୍ତି ହେବାକୁ ଥିବାବେଳେ ଅଛନ୍ତି ମାତ୍ର ୨୭ ।

ତେଣୁ ବିଚାରପତି ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଆବଶ୍ୟକ ବିଚାରପତି ପଦବୀ ପୂରଣ ହୋଇପାରିବନାହିଁ ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ । ତେବେ ଆଇନ ମନ୍ତ୍ରୀଙ୍କ ଏପରି ବିବୃତ୍ତି ନ୍ୟାୟବ୍ୟବସ୍ଥାରେ ସଂଶୋଧନ ଆଣିବାର ସଙ୍କେତ ମିଳୁଛି ।

Leave A Reply

Your email address will not be published.