ପୁରୀ: ଶ୍ରୀମନ୍ଦିର କେମିତି ଉଡିଲା ଡ୍ରୋନ୍ ? କ’ଣ କରୁଥିଲେ ସୁରକ୍ଷା କର୍ମୀ? ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନରେ କିପରି ଡ୍ରୋନ୍ ଉଡିଲା ସେନେଇ ଏବେ ତନାଘନା ଚାଲିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷାକୁ ବ୍ୟାଘାତ କଲେ ବରଦାସ୍ତ କରାଯିବନି। ଏନେଇ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଏଣିକି ଶ୍ରୀମନ୍ଦିର ଚାରିପାଖ ୱାଚ୍ ଟାୱାର୍ରେ ପୋଲିସ ମୁତୟନ ହେବେ । ଏଥିପାଇଁ ଖୁବଶୀଘ୍ର ୪ଟି ୱାଚ୍ ଟାୱାର୍ରେ ପୋଲିସ ମୁତୟନ ବ୍ୟବସ୍ଥା ହେବ । ଯେଭଳି ଭବିଷ୍ୟତରେ କେହି ଯେମିତି ଡ୍ରୋନ ନଉଡ଼ାନ୍ତି ସେଥିପ୍ରତି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ସେପଟେ ଏବେ ଡ୍ରୋନ୍ ଉଡାଣ ଘଟଣାରେ ଏସପିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ କାର୍ଯ୍ୟକୁ ତ୍ବାରାନ୍ବିତ କରାଯାଇଛି । ବିଭିନ୍ନ ସ୍ଥନରେ ଟିମ୍ ଚଢାଉ କରି ତଦନ୍ତ ଚଳାଇଛି । ଖୁବଶୀଘ୍ର ଦୋଷୀ ଧରାପଡି ବୋଲି କହିଛନ୍ତି ମନ୍ତ୍ରୀ ।
ତେବେ କହିରଖୁଛୁ, ଆଜି ଭୋର୍ ୪ଟା ୧୦ ମିନିଟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ତେବେ ନୋ ଫ୍ଲାଇଙ୍ଗ୍ ଜୋନ୍ରେ କିଏ ଓ କାହିଁକି ଡ୍ରୋନ୍ ଉଡାଇଲା, ତାହାର କାରଣ ଅସ୍ପଷ୍ଟ ରହିଛି। ଡ୍ରୋନ୍ ଟି ଦୋଳମଣ୍ଡପ ସାହିରୁ ପ୍ରଥମେ ଆସି ମେଘନାଦ ପାଚେରୀ ଉପରେ ବୁଲିଥିଲା । ଏହାପରେ ୧୦୦ ଫୁଟ ଉଚ୍ଚକୁ ଯାଇ ଦଧିନଉତି ଏବଂ ନୀଳଚକ୍ର ଉପରେ ମଧ୍ୟ ବୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ତେବେ ଏହି ଡ୍ରୋନଟି ପୋଲିସ୍ କଣ୍ଟ୍ରାଲ ରୁମ୍ ରୁ ଆସିଛି କି କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।