Latest Odisha News

BREAKING NEWS

ଓଡ଼ିଶାରେ ଗୋ ହତ୍ୟା ବନ୍ଦ ପାଇଁ ଆସିବ କଡ଼ା ଆଇନ: ମନ୍ତ୍ରୀ

ଭୁବନେଶ୍ବର: ଆସାମ ପରେ ଏବେ ଓଡ଼ିଶାରେ ମଧ୍ୟ ବନ୍ଦ ହେବ ଗୋ ହତ୍ୟା । ରାଜ୍ୟରେ ଗୋ ହତ୍ୟା ପାଇଁ ଆସିବ ଆଇନ । ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ କାମଧେନୁ ଯୋଜନା ମଧ୍ୟ ସାମିଲ ରହିଛି । ଖୁବ୍ ଶୀଘ୍ର ରାଜ୍ୟ ସରକାର ଏକ କଡା ଆଇନ ଆଣିବାକୁ ଯାଉଛନ୍ତି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବନ୍ଦ ହେବ ଗୋ ମାଂସ ଓ ଗୋ ଚାଲାଣ । ଖୁବ୍ ଶୀଘ୍ର ଲାଗୁ ହେବ ଏକ କଡା ଆଇନ । ବିଭିନ୍ନ ଦିଗକୁ ବିଚାର କରି ଗୋ ହତ୍ୟାକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ଏବଂ କଠୋର କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ । ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ଆସିବାକୁ ଯାଉଛି । ଏଥିରେ ଗୋ ହତ୍ୟା ନେଇ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ ବୋଲି ଆଇନ୍‌ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।

ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଅଛି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଆସାମରେ ଗୋ ମାଂସ ଉପରେ ରୋକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା । ସେ କହିଛନ୍ତି, କୌଣସି ବି ରେସ୍ତୋରାଁ କିମ୍ବା ହୋଟେଲ୍‌ରେ ଗୋ ମାଂସ ବିକ୍ରି କରାଯାଇ ପାରିବ ନାହିଁ । ଏହାସହ କୌଣସି ସାର୍ବଜନୀନ ସ୍ଥାନରେ ପରସା ଯାଇ ପାରିବ ନାହିଁ । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ ମନ୍ଦିର ନିକଟରେ ଗୋମାଂସ ଖାଇବାକୁ ବାରଣ କରିବା ଆମର ନିଷ୍ପତ୍ତି ଥିଲା, କିନ୍ତୁ ବର୍ତ୍ତମାନ ଆମେ ଏହାକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିଛୁ ।

Comments are closed.