Latest Odisha News

BREAKING NEWS

କଟକରେ ଓକିଲଙ୍କୁ ଆକ୍ରମଣ ଘଟଣା: ଓକିଲ ସଂଘର କାର୍ଯ୍ୟବନ୍ଦ, ୩ ଜଣ ପୋଲିସ ନିଲମ୍ବିତ

ଭୁବନେଶ୍ୱର: କଟକରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଓକିଲଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଆଜି କମିଶନରେଟ୍ ପୋଲିସ ୩ ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି ।

“ଏହି ଘଟଣାଟି ତଦନ୍ତ ପରିସରଭୁକ୍ତ ରହିଛି, ଦୋଷୀ ଯିଏବି ହୋଇଥାଉ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,”ବୋଲି କହିଛନ୍ତି କଟକ ଡ଼ିସିପି ଅଖିଳେଶ୍ୱର ସିଂହ ।

କଟକରେ ଓକିଲଙ୍କୁ ଆକ୍ରମଣ ନେଇ ଭୁବନେଶ୍ୱର, କଟକ ଓ ବାଲେଶ୍ୱର ବାର୍ ଆସୋସିଏସନ ପକ୍ଷରୁ କାର୍ଯ୍ୟ ବନ୍ଦ ଡ଼ାକରା ଦିଆଯାଇଥିଲା ।

କଟକ ନୂଆବଜାର ପୋଲ ଅଞ୍ଚଳରେ ଜଣେ ଓକିଲଙ୍କୁ ପୋଲିସ ଆକ୍ରମଣ କରିବା ଅଭିଯୋଗ ହୋଇଥିଲା । ଏନେଇ କଟକ ଓ ଭୁବନେଶ୍ୱର କୋର୍ଟ ପରିସରରେ ଓକିଲ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଡ଼ାକରା ଦିଆଯିବାରୁ ଉତ୍ତେଜନା ଲାଗି ରହିଥିଲା ।

“ଓକିଲଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ପୋଲିସ ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପର୍ଯ୍ୟନ୍ତ ଆମେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବୁ,” ବୋଲି କଟକରେ ଜଣେ ଧାରଣାରତ ଆନ୍ଦୋଳନକାରୀ କହିଛନ୍ତି ।

ସୂଚନାଯୋଗ୍ୟ କଟକରେ ଏକ ପୋଲିସ ଭ୍ୟାନକୁ ଓକିଲମାନେ ନିଆଁ ଲଗାଇଦେଇଥିବାର ଅଭିଯୋଗ ହୋଇଥିଲା । ଏହି ସମୟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ଉଚବାଚ ହେବା ସହିତ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା ।

ଏହି ଘଟଣାକୁ ନିନ୍ଦା ଓ ବିକ୍ଷୋଭ କରି କଟକରେ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା ଦିଆଯାଇଥିଲା ।

Leave A Reply

Your email address will not be published.