ମୁମ୍ବାଇ: ଭାରତୀୟ କ୍ରିକେଟ୍ ବୋର୍ଡ ଦେଶର ସମଗ୍ର କ୍ରିକେଟ୍ ବ୍ୟବସ୍ଥାକୁ ଗୋଟିଏ ସୂତ୍ରରେ ଯୋଡ଼ିବା ପାଇଁ ଏକ ବଡ଼ ରଣନୈତିକ ପଦକ୍ଷେପ ନେବାକୁ ଯାଉଛି । ବୋର୍ଡ ପ୍ରଥମ ଥର ପାଇଁ ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ପଦବୀ ସୃଷ୍ଟି କରିବାକୁ ପ୍ରସ୍ତୁତି ଚଳାଇଛି । ବର୍ତ୍ତମାନ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ର ମୁଖ୍ୟ ଥିବା ଭି.ଭି.ଏସ୍. ଲକ୍ଷ୍ମଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଏଥିପାଇଁ ତାଙ୍କ ଚୁକ୍ତିବଦ୍ଧତାକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇପାରେ । ବର୍ତ୍ତମାନ ସିନିୟର ଦଳ, ଚୟନ କମିଟି ଏବଂ ଜୁନିୟର (ଏଜ୍-ଗ୍ରୁପ୍) କ୍ରିକେଟ୍ ଭିନ୍ନ ଭିନ୍ନ ସ୍ତରରେ କାର୍ୟ୍ୟ କରୁଛନ୍ତି । ନୂଆ ବ୍ୟବସ୍ଥାରେ ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ଏହି ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବେ ।
ପୁରୁଷ ଓ ମହିଳା କ୍ରିକେଟ୍ର ନିରୀକ୍ଷଣ ସହ କୋଚିଂ ଓ ସପୋର୍ଟ ଷ୍ଟାଫ୍ ନିଯୁକ୍ତି ଏବଂ ଖେଳାଳିଙ୍କ ରିହ୍ୟାବ୍ (ଚିକିତ୍ସା ଓ ଫିଟ୍ନେସ୍) ଦାୟିତ୍ୱ ଲକ୍ଷ୍ମଣଙ୍କ ହାତରେ ରହିବ । ନୂଆ ବ୍ୟବସ୍ଥା ସତ୍ତ୍ୱେ ଗୌତମ ଗମ୍ଭୀର (ମୁଖ୍ୟ କୋଚ୍) ଏବଂ ଅଜିତ ଆଗରକର (ମୁଖ୍ୟ ଚୟନକର୍ତ୍ତା) ଙ୍କ ବର୍ତ୍ତମାନର ଦାୟିତ୍ୱରେ କୌଣସି ପରିବର୍ତ୍ତନ ହେବ ନାହିଁ । ୨୦୨୭ ବିଶ୍ୱକପ୍ ପର୍ୟ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ । ଟେଷ୍ଟ କ୍ରିକେଟ୍ରେ ଦଳର ସାମ୍ପ୍ରତିକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ବିପକ୍ଷ ୨ଟି ଟେଷ୍ଟ ମ୍ୟାଚ୍ ସିରିଜ୍ ଗୌତମ ଗମ୍ଭୀରଙ୍କ ରେଡ୍-ବଲ୍ କୋଚିଂ ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି ।
