Latest Odisha News

BREAKING NEWS

ମହାପଞ୍ଚୁକ ବ୍ରତ: ଆଜି ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ : ଆଜି ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଆଜି ପଞ୍ଚୁକର ୪ର୍ଥ ଦିନରେ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ଶ୍ରୀ ବିଗ୍ରହମାନେ ଶ୍ରୀଭୁଜ, ଶ୍ରୀପୟର ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି । ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ  ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି  ।

ଆଜି ରାତି ୩ଟା ୪୫ରେ  ଶ୍ରୀମନ୍ଦିର ଦ୍ୱାରଫିଟା ପରେ ଭୋର ୪ଟା ୪୦ରେ ମଙ୍ଗଳ ଆରତୀ, ପରେ ଅବକାଶ ନୀତି ବଢିବା ପରେ  ଠାକୁରଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ସଜ୍ଜିତ କରାଯିବ ।  ଠାକୁରଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ପଞ୍ଚୁକ ଯାତ୍ରା ଅନ୍ୟତମ  । ଆସନ୍ତାକାଲି ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ  ରାଜ ରାଜେଶ୍ୱର ବେଶ ବା ସୁନାବେଶରେ ସଜ୍ଜିତ କରାଯିବ  ।  ବିଶ୍ବାସ ରହିଛି ଆଜିର ଦିନରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ  ।

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମର୍ଚ୍ଚିକୋଟ ଛକଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ଭିତରେ ଆସି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ ସହ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସେଡ୍ ର ବ୍ୟବସ୍ଥା ମଧ୍ୟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ୪୦ ପ୍ଲାଟୁନ ଫୋର୍ସ ସହ ୭ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫୦ ଅଧିକାରୀ, ୪୦ ରୁ ଉର୍ଦ୍ଧ ଇନ୍ସପେକ୍ଟର ଦାୟିତ୍ବରେ ରହିଛନ୍ତି। ଏଥିସହ ୫୦ରୁ ଉର୍ଦ୍ଧ ସ୍ବେଛାସେବୀ ମଧ୍ୟ ନିୟୋଜିତ ଅଛନ୍ତି।

Leave A Reply

Your email address will not be published.