Latest Odisha News

BREAKING NEWS

ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର : ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ, ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଏସବୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ ଦୁଇ ମାସ ମଧ୍ୟରେ ଏହି ସବୁ ପ୍ଲାଣ୍ଟରୁ ସେବା ଯୋଗାଇ ଦିଆ ଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିତ୍ତିପ୍ରସ୍ତର ଦିଆଯାଇଥିବା ଜିଲ୍ଲା ଗୁଡିକ ହେଲା – ଅନୁଗୁଳ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଜପତି, ଭବାନୀପାଟଣା ଓ ନୂଆପଡା । ପ୍ରତ୍ୟେକ ସଂରକ୍ଷଣ ବ୍ୟବସ୍ଥାରେ ୬ କିଲୋଲିଟର ତରଳ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ କରାଯାଇପାରିବ । ଏହାସହିତ ମୁଖ୍ୟମନ୍ତ୍ରୀ ଆଠମଲ୍ଲିକ ଉପଖଣ୍ଡ ହସ୍‌ପିଟାଲରେ ଅକ୍ସିଜେନ ପାଇପ ସଂଯୁକ୍ତ କୋଭିଡ ୱାର୍ଡ, ପାଲଲହଡା ଉପଖଣ୍ଡ ହସ୍‌ପିଟାଲ, ମାଧପୁର ଓ କିଶୋରନଗରର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଠାକୁରମୁଣ୍ଡା ଓ ବଇଣ୍ଡାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ ପାଇପ ସଂଯୁକ୍ତ ଆଇସୋଲେସନ୍‌ ୱାର୍ଡ ଓ ଦେବଗଡ ରାଜମୁଣ୍ଡାସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟୀକା ଭଣ୍ଡାର ଗୃହର ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପାଇଁ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ହେଉଛି ସର୍ବାଧିକ ପ୍ରାଥମିକତା । ଜଣେ ବି କୋଭିଡ ରୋଗୀ ଯେପରି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତି, ସେ ଦିଗରେ ଆମେ କାମ କରୁଛୁ । ଏଥିପାଇଁ ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀଙ୍କୁ ପୁଣିଥରେ ଧନ୍ୟବାଦ ଦେଇଛନ୍ତି । କରୋନାର ପ୍ରଥମ ଓ ଦ୍ବିତୀୟ ଲହରରୁ ଆମେ ଯେଉଁ ଅଭିଜ୍ଞତା ପାଇଛୁ, ତୃତୀୟ ଲହରର ମୁକାବିଲାରେ ତାହା ଆମ ପାଇଁ ନିଶ୍ଚୟ ସହାୟକ ହେବ । ଏହାସହିତ ଭିତ୍ତିଭୂମି କ୍ଷେତ୍ରରେ ଯେଉଁ କାମ ହେଉଛି, ଏହାଦ୍ବାରା କୋଭିଡ ବିରୁଦ୍ଧରେ ଆମର ଲଢେଇ ଆହୁରି ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ଉପବାଚସ୍ପତି ରଜନୀକାନ୍ତ ସିଂହ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ, ଶକ୍ତି ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ଢେଙ୍କାନାଳ ସାଂସଦ ମହେଶ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ରାଜ୍ୟରେ କୋଭିଡ ଯୁଦ୍ଧରେ ଓଡିଶାର ଉତ୍ତମ ପ୍ରଦର୍ଶନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ବର ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Leave A Reply

Your email address will not be published.