Latest Odisha News

ହର ଘର୍ ତ୍ରିରଙ୍ଗା ପରେ ଏଣେତେଣେ ପଡ଼ିଲା ପତାକା; ଏବେ ସମ୍ମାନ ପାଇଁ ସଚେତନ କରୁଛନ୍ତି ଅଧ୍ୟାପିକା

ବ୍ରହ୍ମପୁର: ହର ଘର୍ ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହେଲେ। ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ। କିନ୍ତୁ ବର୍ତ୍ତମାନ ଆଉ ସମ୍ମାନ ଦିଆଯାଉ ନାହିଁ। ପତାକା ନଷ୍ଟ ହେଉଛି। ସମ୍ମାନ ହାନୀ ହେଉଛି। ଏନେଇ ସଚେତନତା ସୃଷ୍ଟି ଦିଗରେ ଉଦ୍ୟମ କରିଛନ୍ତି ଜଣେ ଅଧ୍ୟାପିକା।

ସେ ହେଲେ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ରାମ ନାରାୟଣ ଡିଗ୍ରୀ କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଡ. ଉଷାରାଣୀ ବ୍ରହ୍ମା। ତାଙ୍କ କହିବାନୁସାରେ, ଦେଶବାସୀଙ୍କ ଭିତରେ ଜାତୀୟତା ସୃଷ୍ଟି ଏବଂ ଦେଶପ୍ରେମ ଜାଗ୍ରତ୍ କରିବାକୁ ଭାରତ ସରକାର ହର ଘର୍ ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଥିଲେ ।

ଅଗଷ୍ଟ ୧୩ରୁ ୧୫ତାରିଖ ସମସ୍ତେ ନିଜ ଘରେ, ବ୍ୟବସାୟୀ କେନ୍ଦ୍ର, ବିଭିନ୍ନ ଅନୁଷ୍ଠାନରେ ତ୍ରିରଙ୍ଗା ପତାକାକୁ ଲଗାଇଲେ। ଅଭିଯାନଟି ସଫଳ ହେଲା ସତ। କିନ୍ତୁ ଆମେ ପରବର୍ତ୍ତୀ ପର୍ଯ୍ୟାୟରେ କିପରି ତ୍ରିରଙ୍ଗାର ସମ୍ମାନ କରିବା କଥା ତାହା ଭୁଲିଗଲେ ।

କେଉଁଠି ଉଡି ଉଡି ଚିରି ଫାଟି ଗଲାଣି, କେଉଁଠି ରଙ୍ଗ ଫିକା ପଡିଲାଣି, କେଉଁଠି ସିଧା ରହିବା ବଦଳେ ଟଳି ପଡିଲାଣି । ଏହି ସବୁକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି ଦିଗରେ ଉଦ୍ୟମ ଆରମ୍ଭ ହୋଇଛି।

ଗୁରୁଦିବସ ଠାରୁ ତାଙ୍କର ଏହି ଅଭିଯାନ ଆରମ୍ଭ ହୋଇଛି। ସୋମବାର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ଯେ, ଯେଉଁଠି ବି ତ୍ରିରଙ୍ଗା ପତାକା ଅସମ୍ମାନ ଅବସ୍ଥାରେ ଦେଖିବେ, ତୁରନ୍ତ ତାହାକୁ ସମ୍ମାନର ସହିତ ସଜାଡିବାକୁ ବ୍ୟବସ୍ଥା କରିବେ ।

ଆଉ ଆମ ଗୌରବକୁ ଟେକ ରଖି ଆମେ ଉଚିତ ନାଗରିକ ଭାବେ ପରିଚୟ ଦେବା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଅଧ୍ୟାପିକା ବ୍ରହ୍ମା ଟ୍ରାଫିକ ନିୟମ, ପଶୁବଳି, ଅନ୍ଧବିଶ୍ୱାସ, ମହିଳା ଅଧିକାର ସହ ବିଭିନ୍ନ ବିଷୟରେ ସଚେତନତା ସୃଷ୍ଟି ଦିଗରେ କାର୍ଯ୍ୟ କରୁଛନ୍ତି।

Comments are closed.