Latest Odisha News

BREAKING NEWS

ଓଡ଼ିଶାର ଜାତୀୟ ରାଜପଥର ଲମ୍ବ ଗତ ୪ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି: ନୀତିନ ଗଡ଼କରୀ

ଜଗତସିଂହପୁର/କାମାକ୍ଷାନଗର: କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର ଦିନ ତାଙ୍କର ଓଡ଼ିଶା ଗସ୍ତ ଅବସରରେ ଜଗତସିଂହପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ବିଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାର ଜାତୀୟ ରାଜପଥର ଲମ୍ବ ଦ୍ୱିଗୁଣା ବୃଦ୍ଧି ପାଇଛି । ସେହିପରି କେନ୍ଦ୍ରମନ୍ତ୍ରୀ କାମାକ୍ଷାନଗରଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ।

କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ  ନିତିନ ଗଡକରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି କାମାକ୍ଷାନଗରଠାରେ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଆଧାରଶୀଳା ରଖିଛନ୍ତି । ୨୩୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ତିନୋଟି ରାଜପଥ ପ୍ରକଳ୍ପ ହେଲା – : ତାଳଚେର – କାମାକ୍ଷାନଗର ସେକ୍ସନ (ନୂଆ ଏନ୍ଏଚ-୫୩), କାମାକ୍ଷାନଗର – ଡୁବୁରି ସେକ୍ସନ (ନୂଆ ଏନଏଚ-୫୩) ଏବଂ ଡୁବୁରି – ଚଣ୍ଡିଖୋଲ ସେକ୍ସନ (ନୂଆ ଏନଏଚ-୫୩) ରାଜମାର୍ଗ । ୪୧.୭୨୬ କିଲୋମିଟର ଦୀର୍ଘର ତାଳଚେର-କାମାକ୍ଷାନଗର ପ୍ରକଳ୍ପ ପାଇଁ ମୋଟ ୭୯୫.୧୮ କୋଟି ଟଙ୍କା ଖର୍ଚ୍ଚ ହେବ । ୫୧.୧ କିଲୋମିଟର ଦୀର୍ଘର କାମାକ୍ଷାନଗର-ଡୁୁବୁରି ସେକ୍ସନ ପାଇଁ ୭୬୧.୧୧ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ । ସେହିପରି ୩୯.୪ କିଲୋମିଟର ଦୀର୍ଘର ଡୁବୁରି-ଚଣ୍ଡିଖୋଲ ସେକ୍ସନ ପାଇଁ ୭୮୯.୨୩ କୋଟି ଟଙ୍କା ବିନିଯୋଗ ହେବ । ତିନୋଟି ଯାକ ରାଜମାର୍ଗ ପ୍ରକଳ୍ପ ଅଧୀନରେ ୩୯ଟି ଛୋଟ ବ୍ରିଜ୍, ୯ଟି ବୃହତ ସେତୁ, ୩ଟି ବାଇପାସ, ଗୋଟିଏ ଫ୍ଲାଏଓଭର, ୧୯ଟି ଅଣ୍ଡରପାସ ଏବଂ ୪୫ କିଲୋମିଟର ଦୀର୍ଘର ସର୍ଭିସ ରୋଡ ରହିବ । ଏହି ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଅନୁଗୁଳ-ଢ଼େଙ୍କାନାଳ ଜିଲ୍ଲାରେ ରାସ୍ତା ସଂଯୋଗୀକରଣ ନେଟୱର୍କ ବଢ଼ିବ ଏବଂ ଓଡ଼ିଶାର ଅନ୍ୟାନ୍ୟ ଅଂଚଳ ସହ ଯୋଗାଯୋଗ ବୃଦ୍ଧି ପାଇବ । ପ୍ରକଳ୍ପ ନିର୍ମାଣ ଦ୍ୱାରା କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସ୍ଥାନୀୟ ଅଂଚଳର ସାମାଜିକ, ଆର୍ଥିକ ବିକାଶ ଘଟିବ ଏବଂ ଯାନବାହନ ଚଳାଚଳ ସମୟର ଯଥେଷ୍ଟ ହ୍ରାସ ଘଟିବ । ଏହାଛଡା ସଡ଼କ ଦୁର୍ଘଟଣା ଯଥେଷ୍ଟ ହ୍ରାସ ପାଇବ ।

ଏହି ଉପଲକ୍ଷେ ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଗଡକରୀ କହିଲେ ଯେ, କେନ୍ଦ୍ର ସରକାର ଓଡ଼ିଶାରେ ରାଜମାର୍ଗ ନିର୍ମାଣ ଲାଗି ମୋଟ ୮୫ ହଜାର କୋଟିରୁ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରୁଛନ୍ତି । କେବଳ ୨୦୧୯ (୧ ବର୍ଷ) ମଧ୍ୟରେ ରାଜ୍ୟରେ ୪୫୯୯ କୋଟି ଟଙ୍କା ବିନିଯୋଗରେ ୧୦୮୦ କିଲୋମିଟର ଜାତୀୟ ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏବେ ରାଜ୍ୟରେ ୧୩୩୬ କିଲୋମିଟର ଦୀର୍ଘର ରାଜପଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । ୨୦୧୪ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ୪୭୯୪ କିଲୋମିଟର ଦୀର୍ଘର ରାଜପଥ ଯୋଡା ଯାଇଛି ।
ଶ୍ରୀ ଗଡକରୀ କହିଥିଲେ ଯେ, ଭାରତ ପରିଯୋଜନା ଅଧୀନରେ ୩୦ ହଜାର କୋଟି ଟଙ୍କା ବିନିଯୋଗରେ ୧୬୪୫ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଉଛି । ସେଥି ମଧ୍ୟରେ ଗୋପାଳପୁର-ଦୀଘା ୪୫୧ କିଲୋମିଟର ଦୀର୍ଘର ସଡ଼କ, ଜାମୁଝଡ଼ି-ଧାମରା ୫୮ କିଲୋମିଟର ସଡ଼କ, ଓଡ଼ିଶାର ବିଭିନ୍ନ ସହରରେ ୯୩ କିଲୋମିଟରର ରିଂ ରୋଡ, କେନ୍ଦୁଝର-ଡୁବୁରି ୯୯ କିିଲୋମିଟର ରାସ୍ତା, କଟକ-ପାରାଦୀପ ୮୬ କିଲୋମିଟର ସଡ଼କ, ଝାରସୁଗୁଡା-ତିଲେଇବଣି ୮୬ କିଲୋମିଟର ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପରିଯୋଜନା ଅଧୀନରେ ଛତିଶଗଡ, ଓଡ଼ିଶା ସୀମାନ୍ତ ଅଂଚଳରେ ଥିବା କୁଣ୍ଡାଇଠାରୁ ଓଡ଼ିଶା – ଆନ୍ଧ୍ରପ୍ରଦେଶ ସୀମାନ୍ତର ଆନ୍ଦ୍ରାଙ୍ଗି ପର୍ଯ୍ୟନ୍ତ ୨୪୫ କିଲୋମିଟର ସଡ଼କ ଏବଂ ସମ୍ବଲପୁର-ରାଂଚି କରିଡର ମଧ୍ୟରେ ଥିବା ଲିଟିବେଡା-ଜୋରାମ ସେକ୍ସନର ୩୫.୩ କିଲୋମିଟର କାର୍ଯ୍ୟ ଚାଲୁ ରହିଛି ।

ବିଜୟୱାଡା-ରାଂଚି ସ୍ୱତନ୍ତ୍ର ରାଜପଥ କରିଡର ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ  ଗଡକରୀ କହିଥିଲେ ଯେ, ମୋଟ ୧୨୦୬ କିମି ଦୀର୍ଘର ଏହି ପ୍ରକଳ୍ପ ଅଧୀନରେ ବର୍ତମାନ ସୁଦ୍ଧା ୧୧୦୪ କିଲୋମିଟର ରାସ୍ତା ନିର୍ମାଣ ଶେଷ ହୋଇଛି । ସେଥି ମଧ୍ୟରେ ଓଡ଼ିଶାର ନକ୍ସଲ ପ୍ରଭାବିତ ଅଂଚଳ ମଧ୍ୟ ରହିଛି ।
ଓଡିଶାରେ ଆଗାମୀ ୫ ବର୍ଷ ମଧ୍ୟରେ ୨.୫୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଲାଗି ଏକ ମହତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ କେବଳ ବନ୍ଦର ଭିତିକ ଶିଳ୍ପ ପାଇଁ ଏକ ଲକ୍ଷ କୋଟି ଟଙ୍କା ଏବଂ ସଡକ ପରିବହନ ଓ ରାଜମାର୍ଗ ବିକାଶ ଲାଗି ଆଉ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ ।

ସେହିପରି ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆଜି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ।

ଶ୍ରୀ ଗଡକରୀ କହିଛନ୍ତି ଯେ, ପାରାଦୀପ ବନ୍ଦର ଓଡିଶା ତଥା ପୂର୍ବ ଭାରତର ବିକାଶ ଇଞ୍ଜିନ ହୋଇପାରିବ । ପ୍ରଥମ ପର୍ଯ୍ୟାୟରେ ୬୦ ହଜାର କୋଟି ଟଙ୍କା ବିନିଯୋଗ କରାଯାଉଛି ଏବଂ ଏହା ମାଧ୍ୟମରେ ପ୍ରାୟ ୫୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଅଧିନରେ ୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ନଦୀ ସଂଯୋଗୀକରଣ ଯୋଜନା ଅଧିନରେ ୩ଟି ସଂଯୋଗୀକରଣ ପାଇଁ ୪୦ ହଜାର କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ ରହିଛି । ସେ କହିଥିଲେ ଯେ, ବନ୍ଦର ଆଧୁନିକୀକରଣ କାର୍ଯ୍ୟକ୍ରମ ମଧ୍ୟରେ ପାରାଦୀପର ପରିବହନ କ୍ଷମତା ଆଉ ୭.୫ ନିୟୁତ ଟନ ବୃଦ୍ଧି କରିବା ଲାଗି ଯୋଜନା ହେଉଛି । ଏହା ଅଧିନରେ ଆଜି ୪୩୧ କୋଟି ଟଙ୍କାର ବହୁମୂଖୀ କ୍ଲିନ କାର୍ଗୋ ବର୍ଥ ଉଦ୍ଘାଟିତ ହୋଇଛି । ଏହାଦ୍ୱାରା କୋଇଲା, ପେଟ୍ରୋଲିୟମ ସାମଗ୍ରୀର ପରିବହନ ବୃଦ୍ଧି ପାଇବ । ଦକ୍ଷିଣ ଓ ପୂର୍ବ ଭାରତକୁ ପାରାଦୀପରୁ ମାଲ ପରିବହନ ବୃଦ୍ଧି ପାଇବ ।
ସେ କହିଥିଲେ ଯେ, ସାଗରମାଳା ପରିଯୋଜନା ଅଧିନରେ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଏହାଦ୍ୱାରା ତାମିଲନାଡୁକୁ କୋଇଲା, ଆସାମକୁ ଅଶୋଧିତ ତୈଳ ଓ ଜାପାନକୁ ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ବୃଦ୍ଧି ପାଇବ । ଏହି ପରିଯୋଜନା ଅଧିନରେ ମୋଟ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ୨୦୧୩-୧୪ରେ ପାରାଦୀପର ରାଜସ୍ୱ ମାତ୍ର ୩୪୦ କୋଟି ଟଙ୍କା ଥିଲା ଏବଂ ୬୮୦ ଲକ୍ଷ ଟନ୍ ମାଲ ପରିବହନ କ୍ଷମତା ରହିଥିଲା । କିନ୍ତୁ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ପାରାଦୀପ ବନ୍ଦରର ମାଲ ପରିବହନ କ୍ଷମତା ୧୧୦୦ ଲକ୍ଷ ଟନକୁ ବୃଦ୍ଧି ପାଇଛି ଏବଂ ରାଜସ୍ୱ ୧୭୫୦ କୋଟି ଟଙ୍କାରେ ପହଂଚିଛି । ଏହି ବନ୍ଦର ଏବେ ୭୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ କରିଛି । ଦେଶରେ ସବୁ ବନ୍ଦରଗୁଡିକ ଲାଭରେ ଚାଲିଛି ଏବଂ ପ୍ରାୟ ୭ ହଜାର କୋଟି ଟଙ୍କା ଲାଭ କରିଛନ୍ତି । ଗତ ସାଢ଼େ ଚାରି ବର୍ଷରୁ ଅଧିକ ସମୟ ମଧ୍ୟରେ ପାରାଦୀପ ଦେଇ ଅଶୋଧିତ ତୈଳ, କୋଇଲା, ଲୁହାପଥର ହେଣ୍ଡଲିଂ ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ଖାଇବା ତେଲର ପରିବହନ ନିମନ୍ତେ ପ୍ରଥମ କରି ମେଡିଟେରାନିୟନ ମୁରିଂ ପ୍ରଣାଳୀ ଆରମ୍ଭ କରାଯାଇଛି ।

ଜଳମାର୍ଗ ବିକାଶ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗଡକରୀ କହିଥିଲେ ଯେ, ବ୍ରାହ୍ମଣୀ-ମହାନଦୀ ଜଳମାର୍ଗର କଳିଙ୍ଗନଗର-ଧାମରା ସେକ୍ସନରେ ୨୬୨ କିଲୋମିଟର ଆଭ୍ୟନ୍ତରୀଣ ଜଳପଥର ବିକାଶ ଲାଗି ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ଏହି ଜଳପଥ ମଧ୍ୟରେ ୫-୬ଟି ଡେମ ନିର୍ମାଣ କରାଯିବ । ଏହା ସମ୍ପୂର୍ଣ୍ଣ ହେଲେ ୨୦୦ ଲକ୍ଷ ଟନ କ୍ଷମତାର ମାଲ ପରିବହନ ସୁବିଧା ସୃଷ୍ଟି ହେବ । ରେଳ ପରିବହନରେ କିଲୋମିଟର ପିଛା ୬ ଟଙ୍କା, ସଡକ ପରିବହନରେ ୧୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜଳପଥ ପରିବହନରେ ମାତ୍ର ୧ ଟଙ୍କା ଖର୍ଚ୍ଚ ହେଉଛି । ଏଣୁ ଓଡିଶାରେ ଜଳପଥର ବିକାଶ ଦ୍ୱାରା ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହେବ । ରାଜ୍ୟ ସରକାର ଏଥିଲାଗି ସହଯୋଗର ହାତ ବଢ଼ାଇଲେ ଆଗାମୀ ୪-୫ ମାସ ମଧ୍ୟରେ ଏହିସବୁ ପ୍ରକଳ୍ପ ଆରମ୍ଭ ହୋଇପାରିବ ।

ଶ୍ରୀ ଗଡକରୀ କହିଥିଲେ ଯେ, ବେଳାଭୂମି ରାଜପଥ ପରିଯୋଜନା ଅଧିନରେ ଗୋପାଳପୁର-ଦୀଘା ମଧ୍ୟରେ ଏକ ୬ ଲେନ ବିଶିଷ୍ଟ ବେଳାଭୂମି ସଡକ ନିର୍ମାଣର ଯୋଜନା ରହିଛି । ପାରାଦୀପ ଓ ଧାମରା ଦେଇ ଏହି ବେଳାଭୂମି ରାଜପଥ ଯିବ ଏବଂ ଏଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡିଶା ସରକାର ପରିବେଶ ଓ ଜଙ୍ଗଲ ମଞ୍ଜୁରି ସହ ଜମି ଯୋଗଇ ଦେଲେ ଏହିସବୁ ପ୍ରକଳ୍ପ ୬ ମାସ ମଧ୍ୟରେ ଆରମ୍ଭ ହୋଇପାରିବ ବୋଲି ସେ କହିଥିଲେ ।

ପାରାଦୀପ ଗସ୍ତ ଅବସରରେ ଆଉ କେତେକ ପ୍ରମୁଖ ପ୍ରକଳ୍ପକୁ ମଧ୍ୟ ଲୋକାର୍ପିତ କରାଯିବା ସହ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରାଦୀପ ବିଶୋଧନାଗାରଠାରେ ପୂର୍ବ ଭାରତରେ ପ୍ଲାଷ୍ଟିକ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ପଲିପ୍ରପିଲିନ କାରଖାନାର ଲୋକାର୍ପଣ କରିଛନ୍ତି । ସେହିପରି ମନୋଇଥାଇଲିନ ଗ୍ଲାଇକୋଲ କାରଖାନାର କାର୍ଯ୍ୟାରମ୍ଭ ମଧ୍ୟ କରାଯାଇଛି । ଏଥିସହିତ ପାରାଦୀପ ବନ୍ଦରରେ ଏଲପିଜି ଆମଦାନୀ ଟର୍ମିନାଲ ଓ ୩ଟି ବର୍ଥର ଯାନ୍ତ୍ରୀକିକରଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

ସଭାରେ ଉଦ୍ବୋଧନ ଦେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦମୀତା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ପୂର୍ବ ଭାରତର ବିକାଶ ଲାଗି କେନ୍ଦ୍ର ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି ଏବଂ ଆହୁରି ଅନେକ ପ୍ରକଳ୍ପ କରିବା ବାକି ରହିଛି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯୋରନ୍ଦା ମହିମା ଗାଦି ଅଂଚଳରେ ଭାରତୀୟ ତୈଳ ନିଗମର ସିଏସଆର ପାଣ୍ଠି ବିନିଯୋଗରେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ଲାଗି ପ୍ରସ୍ତାବ ରହିଛି । ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡକରୀ ଆରମ୍ଭ କରିଥିବା ପ୍ରକଳ୍ପଗୁଡିକର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ସେ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସହଯୋଗ ଲୋଡିଥିଲେ ।

Leave A Reply

Your email address will not be published.