ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବୁଧବାର ଦିନ ରାଷ୍ଟ୍ରପତି ଭବନରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ସମ୍ମାନଜନକ ‘ସଙ୍ଗୀତ ନାଟକ ଏକାଡ଼େମୀ’ ପୁରସ୍କାର ପ୍ରଦାନ କରିଛନ୍ତି ।
ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା ତଥା ବୋହୂ ସୁଜାତା ୧୮ ବର୍ଷ ବୟସରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ । ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଓଡ଼ିଶୀ ଶିଖି ପାରଙ୍ଗମତା ହାସଲ କରି ନୃତ୍ୟ ଜଗତରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ତାଙ୍କର ପାରଦର୍ଶୀତା ପ୍ରଦର୍ଶନ କରିପାରି ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଥିଲେ । ସୁଜାତାଙ୍କ ନୃତ୍ୟରେ ସାଧାରଣତଃ ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ସ୍ପର୍ଶ ଦେଖିବାକୁ ମିଳିପାରିଥାଏ । ସେ ତାଙ୍କର ଗୁରୁଙ୍କ ସୁପୁତ୍ର ତଥା ଓଡ଼ିଶୀ ନୃତ୍ୟ ଜଗତରେ ବେଶ୍ ପରିଚିତ ଗୁରୁ ରତିକାନ୍ତ ମହାପାତ୍ରଙ୍କୁ ବିବାହ କରିଛନ୍ତି ।
ଏହି ବିଶିଷ୍ଟ ନୃତ୍ୟାଙ୍ଗନା ସୁଜାତାଙ୍କ କନ୍ୟା ପ୍ରୀତିଷା ମଧ୍ୟ ଓଡ଼ିଶୀ ନୃତ୍ୟରେ ବେଶ୍ ନିପୁଣା ।
ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ବଂଶୀବାଦକ ରାଜେନ୍ଦ୍ର ପ୍ରସନ୍ନ, କଥକ ନୃତ୍ୟଶିଳ୍ପୀ ଶୋଭା କୋସେର ଏବଂ କଣ୍ଠଶିଳ୍ପୀ ଅନୱାର ଖାନ ମଙ୍ଗନିୟାର ଏହି ସମ୍ମାନଜନକ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଛନ୍ତି ।
ରାଷ୍ଟ୍ରପତି ଏହି ଅବସରରେ ୫ଟି ବିଭାଗରେ ସମୁଦାୟ ୪୨ ଜଣ କଳାକାରଙ୍କୁ ୨୦୧୭ ମସିହା ଲାଗି ସମ୍ମାନ ପ୍ରଦାନ କରିଛନ୍ତି । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ସେମାନଙ୍କର ଜୀବନବ୍ୟାପୀ ଅବଦାନ ଲାଗି ଯୁଗ୍ମଭାବେ ଉମାକାନ୍ତ ଓ ରମାକାନ୍ତ ଗୁଣ୍ଡେଚାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ନୃତ୍ୟ ବିଭାଗରେ ସମୁଦାୟ ୯ ଜଣ ନୃତ୍ୟଶିଳ୍ପୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ରମା ବୈଦ୍ୟନାଥନଙ୍କୁ ଭାରତନାଟ୍ୟମ, ଶୋଭା କୋସେରଙ୍କୁ କଥକ, ମାଡ଼ାମ୍ବି ସୁବ୍ରମନିୟାନ ନମ୍ବୁଦ୍ରିଙ୍କୁ କଥାକଳି, ଓଇନମ ଓଙ୍ଗୱି ଧୋନି ଦେବୀଙ୍କୁ ମଣିପୁରୀ, ଦୀପିକା ରେଡ୍ଡିଙ୍କୁ କୁଚୁପୁଡ଼ି, ରାମକୃଷ୍ଣ ତାଲୁକଦାରଙ୍କୁ ସତ୍ରିୟା, ଜନ୍ମେଜୟ ସାଇବାବୁଙ୍କୁ ଛଉ ଏବଂ ଅସୀତ ଦେଶାଇଙ୍କୁ ନୃତ୍ୟ ଗୀତିକାର ଭାବେ ପୁରସ୍କୃତ କରାଯାଇଛି ।