ପୁରୀ: ଶୃଙ୍ଗାରପ୍ରିୟ ଆମ କଳାଠାକୁର ।ଶୃଙ୍ଗାରରେ ତାଙ୍କର ଭାରି ଆଦର।କଳାଠାକୁରଙ୍କ ଦିନଚର୍ଯ୍ୟାରେ ଯୋଡି ହୋଇଥାଏ ଦିନର ଅନ୍ତିମ ବେଶ ବଡ଼ସିଂହାର ବେଶ ବା ବଡ଼ଶୃଙ୍ଗାର ବେଶ ।ରାତିରେ ଚନ୍ଦନ ଲାଗି ନୀତି ପରେ ବଡ଼ସିଂହାର ବେଶରେ ନାନାଦି ପୁଷ୍ପ ଅଳଙ୍କାରରେ ସଜେଇ ହୁଅନ୍ତି ବଡ଼ ଠାକୁର ।
ଏହି ବେଶରେ ଠାକୁରଙ୍କ ପାଖରେ ତିନି ଶୃଙ୍ଗରର ହୁଏ ମିଳନ ।ବସ୍ତ୍ର ଶୃଙ୍ଗାର,ପୁଷ୍ପ ଶୃଙ୍ଗାର, ରତନଶୃଙ୍ଗାର ।ମୁଖ୍ୟତଃ ପୁଷ୍ପ ଶୃଙ୍ଗାରରେ ଭୂଷିତ ହୋଇ ଶାନ୍ତ,ସ୍ନିଗ୍ଧ ରୂପରେ ଦର୍ଶନ ଦିଅନ୍ତି କଳାସାଆନ୍ତ ।ଗଭାମାଳ, ଚନ୍ଦ୍ରିକା,ଅଳକା,ପୁଷ୍ପତିଳକ ଭଳି ଫୁଲ ତିଆରି ଅଳଙ୍କାରରେ ସଜେଇ ହୋଇ ଦୁର୍ଲଭ ଦର୍ଶନ ଦିଅନ୍ତି କାଳିଆଠାକୁର ।ଏବଂ ସେଥିମଧ୍ୟରୁ ସବୁଠାରୁ ସୁନ୍ଦର ଲାଗୁଥାଏ ନାକଚଣା ଏବଂ ଗଭା ।
ଓଡ଼ିଆରେ ‘ନାକଚଣା’ କହିଲେ ବୁଝାଏ ନାକଫୁଲି।ଏହି ନାକଚଣାକୁ ନେଇ ମହାପ୍ରଭୁଙ୍କ ମାଉସୀ ଘର ଗୁଣ୍ଡିଚା ମନ୍ଦିର ସହ ରହିଛି ୩ଟି କାହାଣୀ ।ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରପଟେ ପହଣ୍ଡି ହୋଇ ମହାପ୍ରଭୁ ବାହୁଡା ରଥକୁ ଆସିଥାନ୍ତି ।
ଲୋକକଥା ଅନୁଯାୟୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ରାଣୀଙ୍କ ନାଆଁ ଥିଲା ଗୁଣ୍ଡିଚା । ସେ ନାକରେ ପିନ୍ଧୁଥିବା ସୁନାର ‘ନାକଚଣା’ରେ ହୀରା ଖଚିତ ହୋଇଥିଲା । ସେଥିପାଇଁ ତାହା ବହୁମୂଲ୍ୟ ଥିଲା । ତାହାକୁ ବିକ୍ରୟ କରି ସେହି ଅର୍ଥରେ ଗୁଣ୍ଡିଚା ରାଣୀ ମନ୍ଦିରର ଏହି ଦ୍ୱିତୀୟ ଦ୍ୱାର ନିର୍ମାଣ କରାଇଥିଲେ । ତେଣୁ ତାହା ‘ନାକଚଣା ଦ୍ୱାର’ ନାମରେ ପ୍ରସିଦ୍ଧ ହେଲା ।ଲୋକମୁଖରେ ଏହି କାହାଣୀଟି ପ୍ରସିଦ୍ଧ ହେଲେ ମଧ୍ୟ ‘ନାକଚଣା ଦ୍ୱାର’ର ନାମ ପଛରେ ଆଉ ଦୁଇଟି କାହାଣୀ ମଧ୍ୟ ପ୍ରଚଳିତ ଅଛି । ସେଥିରୁ ଗୋଟିଏ ହେଉଛି- ରାଜା କପିଳେନ୍ଦ୍ର ଦେବଙ୍କ ସମୟ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରର ସମ୍ମୁଖ ଭାଗରେ ଥିଲା ଗୋଟିଏ ଦ୍ୱାର । ଏହି ରାଜାଙ୍କର ରାଣୀ ନିଜ ନାକଚଣାର ମୂଲ୍ୟରେ ଗୁଣ୍ଡିଚାମନ୍ଦିରର ଦ୍ୱିତୀୟ ଦ୍ୱାର ଗଢ଼ାଇଥିଲେ ।
ତେଣୁ ତାହାର ନାମ ନାକଚଣାଦ୍ୱାର ହେଲା ।କିନ୍ତୁ ଏ ସଂପର୍କରେ ପ୍ରଚଳିତ ତୃତୀୟ କିଂବଦନ୍ତିଟି, କୌଣସି ରାଣୀଙ୍କ ସହିତ ନୁହେଁ- ସ୍ୱୟଂ ମହାଲକ୍ଷ୍ମୀଙ୍କ ସହ ଜଡ଼ିତ । ଏହି କିଂବଦନ୍ତି ଅନୁସାରେ, ହେରାପଞ୍ଚମୀ ଦିନ ଦେବୀ ଲକ୍ଷ୍ମୀ ଗୁଣ୍ଡିଚାମନ୍ଦିରକୁ ଆସିଥିବା ବେଳେ, ସଂଧ୍ୟାଧୂପର ‘ଟେରା’ ପଡ଼ିଯିବାରୁ ସେ କ୍ରୋଧାନ୍ୱିତ ହୋଇଥିଲେ । ସେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିଥିଲେ ହେଁ ରାଗରେ ଦକ୍ଷିଣ ଦ୍ୱାର ଦେଇ ବାହାରିଯାଇଥିଲେ । ସେହି ବାଟେ ତରତର ହୋଇ ବାହାରି ଯିବାବେଳେ ତାଙ୍କର ନାକରୁ ନାକ ଅଳଙ୍କାରଟି ଖସି ପଡ଼ିଥିଲା । ସେହି ଅଳଙ୍କାର ‘ଚଣା’ ଆକୃତିର ଥିବା ହେତୁ, ତାହାର ସ୍ମୃତିରେ ଦ୍ୱାରର ନାମ ‘ନାକଚଣା’ ହେଲା ।
ମହାପ୍ରଭୁଙ୍କ ବଡ଼ସିଂହାରରେ ବ୍ୟବହୃତ ହେଉଥିବା ପୁଷ୍ପ ଶୃଙ୍ଗାରକୁ ବିଭିନ୍ନ ଶୁଭ କାର୍ଯ୍ୟରେ ଆମେ ବ୍ୟବହାର କରିଥାଉ ଯାହାଦ୍ବାରା ସମସ୍ତ କାର୍ଯ୍ୟ ଶୁଭ ଓ ମଙ୍ଗଳାଦାୟୀ ହୋଇଥାଏ ।
Comments are closed.