Latest Odisha News

BREAKING NEWS

ଓଡ଼ିଶା ସରକାର-ୟୁନିସେଫ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ: ଏସଏଚଜିର ମା’ମାନେ ବିଶୁଦ୍ଧ ପାଣି ଓ ମିଟର ବ୍ୟବସ୍ଥାର ନେବେ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ୨୪ ଘଣ୍ଟା ପାଇପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୟୁନିସେଫ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏଥିପାଇଁ ଭୁବନେଶ୍ୱରର ୫ଟି ଅଞ୍ଚଳ, ପୁରୀର ୨ଟି ଅଞ୍ଚଳରେ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯିବ । ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ନିର୍ଦ୍ଦାରଣ କରାଯାଇଛି ।

‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ’ ନାମିତ ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ୨୪ ଘଣ୍ଟା ପାଣି ଯୋଗାଇ ଦିଆଯିବା ସହିତ ଶତପ୍ରତିଶତ ମିଟର ବ୍ୟବସ୍ଥା କରାଯିବ । ଏଥିରେ ସ୍ୱୟଂ ସହାୟିକା ଗୋଷ୍ଠୀର ମା’ ମାନଙ୍କୁ ନିୟୋଜିତ କରାଯିବ ଏବଂ ସେଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ତାଲିକ ମଧ୍ୟ ଯୋଗାଇ ଦିଆଯିବ ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସବୁ ଘରକୁ ନିରାପଦ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସରକାର ପ୍ରାଥମିକତା ଦେଉଛନ୍ତି । ବିଶୁଦ୍ଧ ପାନୀୟ ଜଳ ହିଁ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ବିଶେଷ ସହାୟକ ହୋଇଥାଏ । ତେଣୁ ୟୁନିସେଫର ବୈଷୟିକ ସହାୟତାରେ ଆରମ୍ଭ ହେଉଥିବା ଏହି ପ୍ରୋଜେକ୍ଟ ଆମ ଲକ୍ଷ୍ୟ ପୂରଣରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିଥିଲେ । ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଏବଂ ୟୁନିସେଫ ପ୍ରତିନିଧି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।

Leave A Reply

Your email address will not be published.