Latest Odisha News

BREAKING NEWS

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଲାଇ ଡିଟେକ୍ସନ ଟେଷ୍ଟରେ ସତ ପ୍ରମାଣିତ ହେଲା ସାଙ୍ଗ ଓମ୍ ପ୍ରକାଶଙ୍କ ବୟାନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ମୃତ ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶଙ୍କ ଉପରେ କରାଯାଇଥିବା ‘ଲାଇ ଡିଟେକ୍ସନ’ ବା ମିଛ ଧରା ପରୀକ୍ଷା ରିପୋର୍ଟ ଓଡ଼ିଶା କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି। ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ତଦନ୍ତ ବେଳେ ଓମ୍ ପ୍ରକାଶ ଦେଇଥିବା ବୟାନ ଏବଂ ଲାଇ ଡିଟେକ୍ସନ ଟେଷ୍ଟର ତଥ୍ୟ ମଧ୍ୟରେ ସମାନତା ରହିଛି। ଅର୍ଥାତ୍ ପୁଲିସ ଆଗରେ ଓମ୍ ନିଜ ପକ୍ଷରୁ ଯେଉଁ ତଥ୍ୟ ରଖିଥିଲେ, ତାହା ସତ୍ୟ ବୋଲି ପ୍ରମାଣିତ ହୋଇଛି।

 

ତଦନ୍ତକାରୀ ସଂସ୍ଥାର ସୂଚନା ଅନୁଯାୟୀ, ଓମ୍ ପ୍ରକାଶଙ୍କ ବୟାନ ମେଳ ଖାଇବା ପରେ ତଦନ୍ତ ପ୍ରକ୍ରିୟାରେ ଅଧିକ ସ୍ପଷ୍ଟତା ଆସିଛି। ଆଗାମୀ ଦିନରେ କୋର୍ଟରେ ଚାର୍ଜସିଟ୍ ଦାଖଲ ବେଳେ ଏହି ରିପୋର୍ଟକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଉପସ୍ଥାପନ କରାଯିବ। ସୂଚନାଯୋଗ୍ୟ ଯେ, ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନଙ୍କୁ ଯେତେବେଳେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା, ସେହି ସମୟରେ ତାଙ୍କ ସହ ଘଟଣାସ୍ଥଳରେ ଓମ୍ ପ୍ରକାଶ ମଧ୍ୟ ଉପସ୍ଥିତ ଥିଲେ।

 

ଓମ୍‌ଙ୍କ ରିପୋର୍ଟ ହସ୍ତଗତ ହୋଇଥିଲେ ସୁଦ୍ଧା ଏହି ହତ୍ୟାକାଣ୍ଡର ତଦନ୍ତ ଏବେ ବି ଶେଷ ହୋଇନାହିଁ। ମାମଲାରେ ସମ୍ପୃକ୍ତ ଥିବା ୫ ରୁ ୬ ଜଣ ଅଭିଯୁକ୍ତ ଏବେ ବି ପୁଲିସ ଆଖିରେ ଧୂଳି ଦେଇ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତି ଜୋରଦାର କରିଛି। ଖୁବ୍‌ଶୀଘ୍ର ଫେରାର ଅଭିଯୁକ୍ତଙ୍କ ନାମରେ ୱାରେଣ୍ଟ ଜାରି କରିବା ପାଇଁ ତଦନ୍ତକାରୀ ଟିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି।

 

ଭୁବନେଶ୍ୱର ସ୍ଥିତ ରାଜ୍ୟ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରୀ ଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଓମ୍ ପ୍ରକାଶଙ୍କର ଏହି ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ଏଥିପାଇଁ କ୍ରାଇମବ୍ରାଞ୍ଚ ପ୍ରଥମେ କୋର୍ଟଙ୍କଠାରୁ ବିଧିବଦ୍ଧ ଅନୁମତି ଆଣିବା ସହ ଏହି ପରୀକ୍ଷା ନିମନ୍ତେ ଓମ୍ ପ୍ରକାଶଙ୍କ ସହମତି ମଧ୍ୟ ନେଇଥିଲା। ପୂର୍ବରୁ ସୌମ୍ୟଙ୍କ ପରିବାର ଲୋକେ ଏହି ହତ୍ୟାକାଣ୍ଡ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଥିଲେ। ଏପରିକି ଘଟଣା ସମୟରେ ସାଙ୍ଗରେ ଥିବା ସାଙ୍ଗ ଓମ୍ ପ୍ରକାଶଙ୍କ ଭୂମିକାକୁ ନେଇ ମଧ୍ୟ ସେମାନେ ସନ୍ଦେହ ପ୍ରକାଶ କରିଥିଲେ। ପରିବାର ଲୋକଙ୍କ ସନ୍ଦେହ ଦୂର କରିବା ଏବଂ ଓମ୍ ଦେଇଥିବା ବୟାନର ସତ୍ୟାସତ୍ୟ ପରଖିବା ପାଇଁ କ୍ରାଇମବ୍ରାଞ୍ଚ ଏହି ପଦକ୍ଷେପ ନେଇଥିଲା।

Leave A Reply

Your email address will not be published.