ଭୁବନେଶ୍ବର: ୪ ଜିଲ୍ଲାରେ କୋଇଲା ଓ ପାଉଁଶ ଗାଡ଼ି ପରିବହନ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲା ଗୁଡିକରେ ଦୁର୍ଘଟଣା ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଏହା ଉପରେ ଅଧିକ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି ଗୁଡ଼ିକ ଏଣିକି କେବଳ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଯାତାୟତ କରିବ । ସକାଳ ୬ ଟାରୁ ରାତି ୧୦ ପର୍ଯ୍ୟନ୍ତ ଲୋକ ଯାତାୟାତ କରିବେ । ଏହି ସମୟ ମଧ୍ୟରେ ଦୁଇ ଚକିଆ, ଚାରି ଚକିଆ ଯାନ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଆସୁଥିବା ଗାଡ଼ି ଗୁଡ଼ିକ ଯାତାୟାତ କରିବ ।
ଯଦି କୌଣସି କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି ଗୁଡ଼ିକ ଯାତାୟତ କରେ ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଗାଡ଼ି ପରିବହନ କରୁଥିବା ଖବର ଆସିବ ତାହେଲେ ଗାଡ଼ି ମାଲିକ ଓ ସମ୍ପୃକ୍ତ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ।