Latest Odisha News

BREAKING NEWS

ନେତାଜୀଙ୍କୁ ମନେ ପକାଉଛି ଦେଶ, ଜାଣନ୍ତୁ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ସଂଘର୍ଷର କାହାଣୀ…

ଭୁବନେଶ୍ୱର: ୧୮୯୭ ମସିହାରେ କଟକର ଏକ ବଙ୍ଗାଳି ପରିବାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଆଜି ସମଗ୍ର ଦେଶ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳନ କରୁଛି । ବ୍ରିଟିଶ୍ ବିରୋଧରେ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ସ୍ମରଣ କଲେ ସମସ୍ତଙ୍କ ମନରେ ଆସେ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ । ଯିଏ କହିଥିଲେ-‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।’ ସେତିକି ନୁହେଁ ଦେଶବାସୀଙ୍କୁ ନେତାଜୀ କହିଥିଲେ- ମନେ ରଖନ୍ତୁ ସବୁଠୁ ବଡ଼ ଅପରାଧ ଅନ୍ୟାୟକୁ ସହିବା ଓ ଭୁଲ୍ ସହିତ ବୁଝାମଣା କରିବା । ଯିଏ କହିଥିଲେ- ସଫଳତା ସବୁବେଳେ ଅସଫଳତା ଉପରେ ଛିଡ଼ା ହୁଏ । ନେତାଜୀଙ୍କ ଜୀବନ ସଂଘର୍ଷ ଓ ତାଙ୍କ ଜୀବନ ଆଜି ବି ପ୍ରେରଣା ଦିଏ ।

ଆଜିର ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ନେତାଜୀ । ସୁଭାଷ ଚନ୍ଦ୍ରଙ୍କ ବାପା କଟକରେ ଜଣେ ଜଣାଶୁଣା ଓକିଲ ଥିଲେ । କଟକରେ ଜନ୍ମଗ୍ରହଣ କରିଥିବା ସୁଭାଷ କଲିକତାର ପ୍ରେସିଡେନ୍ସି କଲେଜ ଓ ସ୍କଟିଶ ଚର୍ଚ୍ଚ କଲେଜରେ ପଢ଼ିଥିଲେ । ଏହାପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ପ୍ରସ୍ତୁତି ଲାଗି ଇଂଲଣ୍ଡ ଯାଇଥିଲେ । ୧୯୨୦ରେ ସେ ଭାରତୀୟ ପ୍ରଶାସନିକ ସେବା ଲାଗି ଉତ୍ତୀର୍ଣ୍ଣ ହୋଇଥିଲେ ।

ଭାରତ ଫେରିବା ପରେ ଦେଖିଥିଲେ ବ୍ରିଟିଶ୍ ଅତ୍ୟାଚାରର ଚିତ୍ର । ଭାରତକୁ ସ୍ୱାଧୀନତା ଦେବାକୁ ଯାଇ ସେ ସରକାରୀ ଚାକିରି କରିନଥିଲେ । ଦେଶଭକ୍ତିର ଭାବନାରେ ପ୍ରେରିତ ହୋଇ ଚାକିରିରୁ ଇସ୍ତଫା ଦେଇଥିଲେ ସୁଭାଷ । ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସହ ମିଶିଥିଲେ । ୧୯୩୮ରେ ସେ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ । ଗଠନ କରିଥିଲେ ରାଷ୍ଟ୍ରୀୟ ଯୋଜନା ଆୟୋଗ । ୧୯୩୯ରେ ସେ କଂଗ୍ରେସ ଛାଡ଼ି ଦେଇଥିଲେ । ସେତିକିବେଳେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସରିଥିଲା । ଯାହାକୁ ସୁଯୋଗ ବୋଲି ଭାବି ନେଇଥିଲେ ସୁଭାଷ । ବ୍ରିଟେନର ଶତ୍ରୁ ସହ ମିଶି ଭାରତକୁ ସ୍ୱାଧୀନ କରିବା କଥା ଚିନ୍ତା କରିଥିଲେ ।

ଯାହା ପରେ ସୁଭାଷଙ୍କୁ କୋଲକାତାରେ ନଜରବନ୍ଦୀ କରି ନେଇଥିଲା ବ୍ରିଟିଶ ସରକାର । କିଛିଦିନ ପରେ ସୁଭାଷ କୋଲକାତାରୁ କୌଶଳ କ୍ରମେ ଖସିଯାଇ ଜର୍ମାନୀ ପଳାଇଥିଲେ । ପରେ ୧୯୪୨ରେ ଦକ୍ଷିଣ-ପୂର୍ବ ଏସିଆରେ ଗଢ଼ିଥିଲେ ଆଜାଦ୍ ହିନ୍ଦ ଫୌଜ । ଏହାପରେ ନେତାଜୀଙ୍କ ନେତୃତ୍ୱରେ ଆଜାଦ୍ ହିନ୍ଦ ଫୌଜ ଭାରତକୁ ସ୍ୱାଧୀନତା ଦେବାକୁ ଆରମ୍ଭ କରିଥିଲା ଅଭିଯାନ । ପ୍ରଥମେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ସ୍ୱାଧୀନ ଘୋଷଣା କରିଥିଲା ଆଜାଦ୍ ହିନ୍ଦ ଫୌଜ । ବିଜୟ ସହ ରାଷ୍ଟ୍ରୀୟ ଆଜାଦ୍ ବ୍ୟାଙ୍କ ଓ ସ୍ୱାଧୀନ ଭାରତ ପାଇଁ ନିଜସ୍ୱ ଟଙ୍କା ତିଆରି ପାଇଁ ନେତାଜୀ ଆଦେଶ ଦେଇଥିଲେ । ଇମ୍ଫାଲ ଓ କୋହିମାରେ ଭାରତୀୟ ବ୍ରିଟିଶ୍ ସେନାକୁ ଆଜାଦ୍ ହିନ୍ଦ ଫୌଜ ଯୁଦ୍ଧରେ ହରାଇଥିଲା ।

ପରେ ୧୯୪୫ ଅଗଷ୍ଟ ୧୮ ତାରିଖରେ ଟୋକିଓ ଯାଉଥିବା ବେଳେ ତାଇୱାନ ନିକଟରେ ନେତାଜୀଙ୍କ ମୃତ୍ୟୁ ଏକ ବିମାନ ଦୁର୍ଘଟଣାରେ ହୋଇଥିବା କୁହଯାଉଥିଲେ ହେଁ ତାଙ୍କର ମୃତଦେହ ମିଳିନଥିଲା । ଯାହାକୁ ନେଇ ନେତାଜୀଙ୍କ ମୃତ୍ୟୁକୁ ନେଇ ଏବେ ବି ବିବାଦ ଲାଗି ରହିଛି ।

Leave A Reply

Your email address will not be published.