Latest Odisha News

BREAKING NEWS

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ; ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି । ପବନ ଯୋଗୁ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

କାଳବୈଶାଖୀ ପ୍ରଭାବରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଦେଓଗାଁ ଅଞ୍ଚଳ ଏବଂ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜୀର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଛି । ଅଗ୍ନିଶମ ବିଭାଗ ଗଛ ଗୁଡ଼ିକୁ କାଟି ରାସ୍ତା ଉପରୁ ହଟାଇବାକୁ ଉଦ୍ୟମ ଜାରି ରଖିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ୩ ଦିନ ଯାଏଁ କାଳବୈଶାଖୀ ଆଶଙ୍କା । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ ପବନ ବହିବ । ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲା ସହ ଗଞ୍ଜାମ ଓ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ୨୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ ।

୨୪ ଘଣ୍ଟା ମଧ୍ୟରେ ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ପାଇଁ ୬ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ତେବେ ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ଟ୍ରାପ୍ ଲାଇନ୍ ବା ନିମ୍ନ ଚାପ ରେଖା ସକ୍ରିୟ ରହିଛି । ଯାହା ପ୍ରଭାବରେ ବର୍ଷା ହେଉଛି ।

Comments are closed.