Latest Odisha News

BREAKING NEWS

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷୁଛି, ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଲୋ ପ୍ରେସର ଏରିଆ ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଅଞ୍ଚଳରେ ରହିଛି । ଏହି ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଏକ ଟ୍ରଫ୍‌ଲାଇନ୍‌ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରୁ ଉତ୍ତର ଉପକୂଳ ଓଡ଼ିଶା ପର୍ୟ୍ୟନ୍ତ ଲମ୍ବିଛି । ଏହା ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା । ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି ।

ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଗତକାଲି ରାତିରୁ ବର୍ଷା ଲାଗି ରହିଛି । ଆଜି ପାଇଁ କଟକ ଓ ଭୁବନେଶ୍ୱର ସମେତ ୧୧ ଜିଲ୍ଲାକୁ ଓ୍ୱେଲୋ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲା ହେଲା ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ଗଜପତି, କଳାହାଣ୍ଡି, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ ଓ କେନ୍ଦୁଝର । ଏସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇପାରେ ।

ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ୪ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳକୁ ୟେଲୋ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ।

୧୫ତାରିଖ ବେଳକୁ ଏହା ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ୧୬ ଓ ୧୭ତାରିଖ ଆଡ଼କୁ ଓଡ଼ିଶାର କିଛି କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.