ଭୁବନେଶ୍ବର: ଆଜି ତୃତୀୟ ଦିନରେ ବି ଉପବାସରେ ରହିଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ । ସୋମବାର ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ହୋଇପାରୁନି ନୀତିକାନ୍ତି । ବଡୁ ସେବାୟତ ଏବଂ ବ୍ରାହ୍ମଣ ନିଯୋଗ ବିବାଦ କାରଣରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି ।
ଟ୍ରଷ୍ଟ ବୋର୍ଡ ବୈଠକ ଡାକି ସ୍ଥାୟୀ ସମାଧାନ ପାଇଁ ଦାବି କରିଛି ବ୍ରାହ୍ମଣ ନିଯୋଗ । ଏପରିକି ବ୍ରାହ୍ମଣ ନିଯୋଗ ପକ୍ଷରୁ ଆଇନ ମନ୍ତ୍ରୀଙ୍କ ମଧ୍ୟ ହସ୍ତକ୍ଷେପ ଲୋଡାଯାଇଛି ।
ତେବେ ନୀତି ଅନୁସାରେ ପବିତ୍ର ପୁଷ୍ୟାଭିଷେକ ଅବସରରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ । କିନ୍ତୁ ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ଯାହାକୁ ମାହାସୁଆର ନିଯୋଗ ବିରୋଧ କରିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ସୋମବାର ସନ୍ଧ୍ୟାରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ନୀତି କରିବାକୁ ନେଇ ବିବାଦ ହେଉଥିବାରୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଓ ମକର ପୂଜା ନୀତି ବନ୍ଦ ରହିଛି । ମକର ମଣ୍ଡପରେ ସୋମବାର ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି ।