ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୬
କାମ ସରିସରି ଆସୁଥିଲା। ପାହିପାହି ଯାଉଥିଲା ରାତି। ଲିଭିଲିଭି ଯାଉଥିଲା ସ୍ବପ୍ନ। ଗତକାଲି ଥାକଥାକ ହୋଇ ସାଇତା ଯାଉଥିଲା ମନରେ ହୃଦରେ। ପ୍ରତିଦିନ ସେଇ ଏକାପରି କାମର ଲହରୀ। ଅମୃତା ଭାବେ ଗୋଟିକ ପରେ ଗୋଟିଏ କାମ , ଜଲଦି ନୁହେଁ ସଠିକ ଭାବରେ କରିପାରିଲେ ଆତ୍ମିକ ଆନନ୍ଦରେ ଉତ୍ଫୁଲ୍ଲିତ ହୁଏ ମନ । ପ୍ରଶାନ୍ତ ମନରେ କରିଚାଲେ ସେଇଥିପାଇଁ। କାହା ଘରର ଝିଅ ସେ । ହଃ , କାମ ତ କାମ , ବଡ ଛୋଟ କ’ଣ ଯେ। ପାରିଶ୍ରମିକ ବିନା ତ କରୁନି, ଆଉ ଏଡେ ବଡ ଦୁନିଆରେ ଅଛି କିଏ ସେଇ ଟଙ୍କା ଭରସା। କରିଗଲେ ନିଜକୁ ବ୍ୟସ୍ତ ରଖିବା ସହ ସଶକ୍ତ ହବ। ଟଙ୍କା କାହାକୁ ଶକ୍ତି ଦିଏ ଯେ । ଟଙ୍କା ବିନା ଚଳି ହେବନି ସତ କିନ୍ତୁ, ତାହା କ’ଣ ଶକ୍ତି ସଞ୍ଚାର କରେ । ସେ ତ ନିଜକୁ ଶକ୍ତିହୀନା ଭାବେନି କେବେ। ସେ ଅନନ୍ୟା, ବହ୍ନିକନ୍ୟା ।
କେତେ ଶୃଙ୍ଖଳିତ ଥିଲା ପିଲାଦିନ। ଲିଭୁନି ମନରୁ ଜମା। ଶଣ୍ଠଣା କ’ଣ ଜାଣିଚି ବୋଲି ନିଜକୁ ନିଜେ ଗୋଡେ ଗୋଡେ ଜଗିଚି। ନିଃସଙ୍ଗ ସେଇଲାଗି ହେଉଚି। ତା’ ଭଳି ଆଉଜଣକୁ ପାଏନି ବୋଲି ଦୁଃଖ କରୁଚି। ଏ ଜୀବନ ଏମିତି କି ମନୋଲଗ ତା’ର। କେତେ ଆଗକୁ ଯିବାର ଅଛି, ଏଇ ଟିକିଏ ଜୀବନରେ କ’ଣ ଚିହ୍ନିଯାଇଚି ଯେ ଦାର୍ଶନିକ ଭଳି ହେଉଚି। ହସିଲା ଶିଖିବାର ବୟସ ଏଇଟା। ଶିଖୁଚି ମନଯୋଗ ଦେଇ। ସେସବୁ ବାଟଖର୍ଚ୍ଚ ହବ ଜୀବନ ବଜାରରେ। ଖୁଆଇଲା ବେଳେ ମାଆ କହୁଥିଲା , ” ଯିଏ ଖାଇବ ପଖାଳ ମଣ୍ଡି ତା’ର ହବ ଅଖଣ୍ଡ ଗଣ୍ଡି। ” ନହନହକା ଅମୃତା ଆହୁରିଥରେ ହସିଲା। ସନ୍ତୁଳିତ ଚେହେରା ସହିତ ମାନସିକ ସନ୍ତୁଳନ ଆବଶ୍ୟକ।ସେଇଲାଗି ସେ ଯୋଗ , ପ୍ରାଣାୟାମ କରିବା ସହ ନିଜକୁ ପୂରାପୂରି ବ୍ୟସ୍ତ ରଖେ। ତଥାପି କିଛି କିଛି ପଶି ଆସି ହଇରାଣ କରନ୍ତି ବେଳଅବେଳରେ।
ଏତେ ବଡ ସଂସାରରେ କେତେନାକେତେ ବାଘ, ଭାଲୁ, କୁମ୍ଭୀର, ସାପ। ଲୁଚିବ ନା ଯୁଦ୍ଧ କରିବ। କୋଉଠି ରଖିହବ ନିଜକୁ ସୁରକ୍ଷିତ ଭାବରେ। ଠକେଇବନି କାହାକୁ କି ଠକି ନଯାଉ ସେ କେବେ। କେତେବେଳେ କି କୌଶଳ କରିବ, ସମୟ କହିବ ସେ କଥା। ଅବସ୍ଥା ଦେଖି ବ୍ୟବସ୍ଥା।
ସିଂହାବଲୋକନ ଚାଲିରେ ଅମୃତା ଚାଲେ। ଟିକିଏ ଆଗକୁ, ଟିକିଏ ପଛକୁଫେରି ଦୁଇପଟକୁ ଦେଖି ପୁଣି ସିଧାସିଧା ପରିପୂର୍ଣ୍ଣ ମନଟିଏ ନେଇ । ମନରେ ଆଶଙ୍କାଥିଲେ ବି ଜଣେଇ ଦିଏନି କାହାକୁ କେବେ। ସତର୍କ ଦୃଷ୍ଟି ସହ ଅଳ୍ପ ସନ୍ଦେହ ରହେ ମନରେ। ଏକାକୀ ପଥିକ । ନିର୍ଜୀବ ରାସ୍ତା ବି ସାପ ହୋଇ ଡରାଏ। ମନରେ ତା’ର ଅବିଶ୍ବାସ ସୃଷ୍ଟି ହୁଏ। ପଛକଥା ଦଂଶିଦିଏ ମଝିରେ ମଝିରେ। ସମୟକୁ ଚୋର କହେ। ପବନକୁ ଗାଳିଦିଏ। ବାପା ହଜିଗଲେ ଜନସମୁଦ୍ରରେ, ମାଆ ଚାଲିଗଲା ଅଜଣା ରୋଗରେ। ରହିଲା କିଏ ଯେ। ସେ ଏକା ନିଜର। ନିଜର ଯତ୍ନ ନବ। ନିଜକୁ ଜଗିବ। ନିଜେ ହିଁ ନିଜର ଏକମାତ୍ର ସାହା।
କାନ୍ଦଲାଗିଲେ କିଏ ପୋଛିବ ଲୁହ। ହସ ଲାଗିଲେ କାହା ସହିତ ହସିବ । କିଛି ଆଚିଭ କଲେ ଆଗ କାହାପାଖରେ କହିବ। ମନକଥା ମନରେ ରହିବ ଚିରକାଳ।
କାହିଁକି ଏମିତି ହୁଏ ? ଅନେକ କାହିଁକି ଅହରହ ଖେଳନ୍ତି ଭିତରେ। ଉପରଟା ଏକଦମ୍ ସ୍ଥିର , ନୀରବ। ଜଣେଇ ଦିଏନି କାହାକୁ କେବେ ତା’ ଭିତରର ଅସହାୟତାକୁ। ଜମା କହିବନି କାହାକୁ ଏକଥା କେବେ। ଯିଏ ଶୁଣିବ, ସେ ଛିଗୁଲାଇ ହବ ବା ଅଯଥା ସମବେଦନା ଦେଖାଇ ପଛ ପଟେ ନାନାକଥା ଗପିବ। ନିଜର ବୋଲି କିଏ ଅଛିକି ଏ ପୃଥିବୀରେ। ସମସ୍ତେ ଭୀଷଣ ସ୍ବାର୍ଥପର। କାହାର କୋଉଠି ଟିକିଏ ଊଣା ହୋଇଗଲେ ସେ ବଖାଣିଦବ ଗୁମର। କଞ୍ଚା ମିଛରେ ମନଗଢା କଥା ମିଶେଇ ରୋଚକ ତଥ୍ୟ ଯୋଗାଇଦବ ସଂସାରକୁ । ବାଃ ସେ କ’ଣ ଅନ୍ୟ ଅନେକଙ୍କ ଭଳି କି ବୋକାମି କରିବ।ହାତେ ମାପି ଅଧଇଞ୍ଚେ ଚାଲୁଚି ପରା ସେଇଲାଗି।
ବାପା ହଠାତ୍ ଘରୁ ପଳେଇଯିବା ଓ ମାଆର ସକସକ ହେବା ଦେହସୁହା ଯଦିଓ ନୁହେଁ ତଥାପି ଏକରକମ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ସେବେଳରୁ ଏକା ଏକା ବଞ୍ଚିବାକୁ ପଡୁଥିଲା। ନିଜକୁ ଥାପୁଡେଇ, ଧୋ ରେ ବାଇଆ ଧୋ ଗାଉଥିଲା। ଲହୁଲୁହାଣ ହେଉଥିଲା ଟିକି ହୃଦୟ। ପେନସିଲକୁ ବ୍ଲେଡରେ ଚାଞ୍ଛିଲା ବେଳେ ଆଙ୍ଗୁଠି କଟିଗଲେ ଭେଁ କରୁଥିବା ଗେହ୍ଲାଝିଅ, କାନ୍ଦୁନଥିଲା ଆଉ ଟିକେ ଟିକେ କଥାରେ। କିଛି ହୋଇନି ଯେମିତି , ସେମିତି ଅଭିନୟ କରୁଥିଲା। ମାଆ ଜାଣିପାରେନି କି କ’ଣ, ବା ବାପାଙ୍କ ଅବର୍ତ୍ତମାନରେ ବାୟାଣୀ ହୁଏ , କିଛି ବୁଝିପାରେନି। ଗାଁ କଥା। ଭୁତ ,ଡାହାଣୀର କଥା ଶୁଣି ଡର ଲାଗିଲେ ବି ନାଚାର ସେ। ନା ଡର ନୁହେଁ କେମିତି ଗୋଟାଏ ବିତୃଷ୍ଣା ଆସେ ଜୀବନ ପାଇଁ। ଜୀବନ ଦେଉଚ ତ ବଞ୍ଚିତ କରୁଚ କାହିଁକି । ରଖ ତମ ଜୀବନ ବିଦ୍ରୋହୀ ହୋଇଉଠେ ମନ।
ବାପା ହଠାତ୍ କାହାକୁ କିଛି ନକହି ଚାଲିଯିବେ ଯେମିତି ସେମିତି ଅଚାନକ ରାତି ଅଧରେ ଫେରିଆସିବେ। ଘୂର୍ଣ୍ଣିଝଡ ସେ। ବେଳକାଳ କିଛି ନାହିଁ, ଯେତେବେଳେ ଇଚ୍ଛା ସେତେବେଳ ଯିବା ଆସିବା ଲାଗିଥାଏ। ମାଆର ଶୁଖିଲା ମୁହଁ, ଅଯତ୍ନ ଦେହ , ରନ୍ଧାରନ୍ଧିର ଅଠିକଣା ସବୁ ମିଶିଲେ କୈଶୋର ଜୀବନ ଗଢିହେଉଥିଲା ନୈରାଶ୍ୟ ଓ ହତାଶା ଭିତରେ। ଖଣ୍ଡଖଣ୍ଡ ହୋଇ ଭାଙ୍ଗି ଯାଉଥିଲା ମନ। କାହାକୁ କହିହୁଏନି କିଛି। ବୁଝିହୁଏନି କିଛି। ମୌନ ରହି ବହି ଖୋଲିଲେ ପୃଷ୍ଠାରେ ବାପାଙ୍କ ହସିଲା ମୁହଁ ଦିଶେ। ଓଃ କି ଯନ୍ତ୍ରଣା ଦାୟକ ସେ ସମୟ। କୁଆଡେ ଯାଆନ୍ତି ସେ। କାହିଁକି ଯାଆନ୍ତି ।ଅସୁୁୁମାରି ପ୍ରଶ୍ନ ଉବୁଟୁବୁ ହୁଅନ୍ତି ଆସି। ଲହୁଲୁହାଣ କରନ୍ତି। ପଚାରି ପାରେନି ବୋଲି କଷ୍ଟ ପାଏ ଖାଲି ।
Comments are closed.