ଭୁବନେଶ୍ଵର: ଭୟଙ୍କର… ଲୋମଟାଙ୍କୁରା…ଛାତିଥରା… ହୃଦୟ ବିଦାରକ । ଆଜିବି ମନରୁ ଲିଭିନି ସେହି ସବୁ କାଳ ରାତିର କରାଳ ରୂପ । ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଉଠୁଛି ଲୋମ । କାନରେ ଆଜିବି ବାଜୁଛି ରେଳ ଟ୍ରାକରୁ ଶୁଭୁଥିବା ଆର୍ତ୍ତ ଚିତ୍କାର । ସେଦିନ ଅନ୍ଧକାର ରାତିରେ ଲୌହଦାନବ ରଚିଥିଲା ରକ୍ତ ଭୋଜି । କୁଢ କୁଢ ମୃତଦେହ ସମସ୍ତଙ୍କୁ ଧୈର୍ଯ୍ୟହରା କରିଥିଲା । ଅଭୁଲା ରହିଛି ସେ ଦୃଶ୍ୟ। ସେ କରମଣ୍ଡଳ ହେଉ କି ମାନସୀ-ସହରସା ଟ୍ରେନ୍ । ଲୌହଦାନବ କିନ୍ତୁ ନେଇଥିଲା ହଜାର ହଜାର ଜୀବନ । ଇତିହାସର କଳା ପୃଷ୍ଟାରେ ଆଜିବି ଅଭୁଲା ଘଟିଥିବା ସେହି ବଡ ଧରଣର ଟ୍ରେନ ଦୁର୍ଘଟଣା । ତେବେ ଆଜି କଟକ ମଙ୍ଗୁଳି ଚୌଦ୍ବାର ନିର୍ଗୁଣ୍ତି ନିକଟରେ ଲାଇନଚ୍ୟୁତ ହୋଇଛି ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶା କରାଯାଉଛି । ଖବର ପାଇଁ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ଏହା ପୂର୍ବରୁ ମଧ୍ୟ ଭାରତ ଏମିତି ଅନେକ ଟ୍ରେନ୍ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଦେଖିଛି । ଆସନ୍ତୁ ସେ ଉପରେ ନଜର ପକାଇବା ।
୧୯୮୧ ଜୁନ ୬ ତାରିଖରେ ବିହାର ସାହର୍ସା ନିକଟରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇ ବାଘମତି ନଦୀରେ ଖସି ପଡିଥିଲା । ଟ୍ରେନର ଏକାଧିକ ବଗି ନଦୀ ଗର୍ଭକୁ ଖସି ପଡିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୃତ୍ୟୁସଂଖ୍ୟା ପ୍ରାୟ ୮ ଶହ ହୋଇଥିଲା । ଅନେକ ଦିନ ପର୍ଯ୍ୟନ୍ତ ନଦୀରୁ ଯାତ୍ରୀଙ୍କ ମୃତ୍ୟଦେହ ଉଦ୍ଧାର କରାଯାଇଥିଲା । ତେବେ ଏହାକୁ ଦେଶର ସବୁଠୁ ବଡ ରେଳ ଦୁର୍ଘଟଣା ଭାବେ ମଧ୍ୟ ବିବେଚନା କରାଯାଏ ।
ଏହାର ଠିକ୍ ବର୍ଷକ ପରେ ଅର୍ଥାତ୍ ୧୯୮୨, ଜୁଲାଇ ୮ ତାରିଖରେ କେରଳର ପେରୁମନ୍ ନିକଟରେ ଏକ୍ସପ୍ରେସ୍ ଟ୍ରେନ୍କୁ ଧକ୍କା ଦେଇଥିଲା ଏକ ପାସେଞ୍ଜର ଟ୍ରେନ୍ । ୨ ଟ୍ରେନ ମୁହାଁମୁହିଁ ଧକ୍କା ହେବାରୁ ପ୍ରାୟ ୬୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।
ଏହାପରେ ୧୯୯୫ ମସିହା ଅଗଷ୍ଟ ୨୦ ତାରିଖରେ ଉତ୍ତର ପ୍ରଦେଶର ଫିରୋଜାବାଦରେ ପୁରୀରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ପୁରୁଷୋତ୍ତମ ଏକ୍ସପ୍ରେସ, କାଳିନ୍ଦି ଏକ୍ସପ୍ରେସ ସହ ଧକ୍କା ହେଇଥିଲା । କେଇ ଘଣ୍ଚାର ଅପରେସନ ପରେ ୩୮୫ ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ଘୋଷଣା କରାଯାଇଥିଲା ।
ତା’ପରେ ୧୯୯୯ ମସିହା ଅଗଷ୍ଟ ୨୦ ତାରିଖରେ ଆସାମର ଗାଇସଲରେ ଆୱାଦ-ଆସାମ ଏକ୍ସପ୍ରେସ ଓ ବ୍ରହ୍ମପୁତ୍ର-ମେଲ ମୁଁହାମୁହିଁ ଧକ୍କା ହୋଇଥିଲେ । ଏଥିରେ ୩୫୯ ଯାତ୍ରୀ ପ୍ରାଣ ହରାଇଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ଏହି ଦୁର୍ଘଟଣାର ମୃତକଙ୍କ ମଧ୍ୟରେ ଭାରତୀୟ ସେନାର ବହୁ ଯବାନ ରହିଥିଲେ ।
ଏହାପରେ ୧୯୯୮ ମସିହା ନଭେମ୍ବର ୨୬ ତାରିଖରେ ପଞ୍ଜାବର ଖାନ୍ନା ନିକଟରେ ଅମୃତସର ଅଭିମୁଖେ ଯାତ୍ରା କରୁଥିବା ଗୋଲ୍ଡେନ ଟେମ୍ପୁଲ ମେଲର କିଛି ବଗି ଲାଇନଚ୍ୟୁତ ହୋଇଥିଲା । ପରେ ଏହି ଧାରଣାରେ ଆସୁଥିବା ଜମ୍ମୁ ତାଇ-ସିଆଲଦା ଏକପ୍ରେସ ଏହି ଟ୍ରେନକୁ ଧକ୍କା ଦେଇଥିଲା । ଏଥିରେ ପ୍ରାୟ ୨୧୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
ସେହିପରି ୨୦୧୦ ମେ’ ୨୮ ତାରିଖରେ ଘଟିଥିଲା ପଶ୍ଚିମବଙ୍ଗର ପଶ୍ଚିମ-ମେଦିନପୁର ଜିଲ୍ଲାରେ ହୋଇଥିଲା ଏକ ଭୟଙ୍କର ରେଳ ଦୁର୍ଘଟଣା । ଯେଉଁଥିରେ ୧୭୦ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିଲା । ଏଥିରେ ପ୍ରଥମ ଥର କୌଣସି ରେଳ ଦୁର୍ଘଟଣାରେ ମାଓବାଦୀଙ୍କ ଭୂମିକା ସନ୍ଦେହକୁ ଆସିଥିଲା ।
ଏହାପରେ ୨୦୧୬ ନଭେମ୍ବର ୨୦ ତାରିଖରେ ଉତ୍ତର ପ୍ରଦେଶର ପୁଖରାୟାଁ ନିକଟରେ ଇନ୍ଦୋର୍-ପାଟନା ଏକ୍ସ୍ପ୍ରେସ୍ ଲାଇନଚ୍ୟୁତ୍ ହୋଇଥିଲା । ଏଥିରେ ପ୍ରାୟ ୧୫୦ ଜଣଙ୍କ ଜୀବନ ଯାଇଥିଲା ।
ଏଥିସହ ଗତ ୨୦୨୩ ଜୁନ ୨ ତାରିଖ, ସନ୍ଧ୍ୟା ୭ଟାରେ ବାଲେଶ୍ବର ବାହନଗାରେ ଘଟିଥିଲା ଆଉ ଏକ ବଡ ଦୁର୍ଘଟଣା । ଏହି ଦୁର୍ଘଟଣାକୁ ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ବୋଲି କୁହାଯାଉଛି । ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଥିବା ଏହି ଦୁର୍ଘଟଣାରେ ପ୍ରାୟ ୨୯୩ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୧୦୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଏହି ଦୁର୍ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । ଟ୍ରେନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରେ ପ୍ରାଣ ହରାଇଥିବା ଯାତ୍ରୀଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଥିଲା । ସବୁଠାରୁ ଅଧିକ ଆହ୍ବାନପୂର୍ଣ୍ଣ ଥିଲା ମୃତଦେହ ଚିହ୍ନଟ କରିବା ଓ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା । ଏଥିପାଇଁ ପୂର୍ବତନ ଓଡିଶା ସରକାର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ । ଚିହ୍ନଟ ହୋଇନଥିବା ମୃତଦେହଗୁଡିକୁ ଭୁବନେଶ୍ବର ଏମ୍ସରେ ରଖାଯାଇଥିଲା । ତଥାପି ଶେଷ ପର୍ଯ୍ୟନ୍ତ ସମସ୍ତ ମୃତକଙ୍କ ମୃତଦେହ ଚିହ୍ନଟ ଓ ହସ୍ତାନ୍ତରଣ ପ୍ରକ୍ରିୟା ଶେଷ ହୋଇପାରିନଥିଲା । ଶେଷରେ ୨୦୨୩ ଅକ୍ଟୋବର ୧୧ ତାରିଖରେ ଚିହ୍ନଟ ହୋଇପାରିନଥିବା ୨୮ ମୃତଦେହକୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଶେଷକୃତ୍ୟ କରାଯାଇଥିଲା ।
Comments are closed.