Latest Odisha News

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ (୫)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’

ନଈକୂଳରେ କଣ୍ଡିଆ, ଯେଉଁଠି ବିରି, ମୁଗ, କନ୍ଦମୂଳ ଓ ପରିବା ଚାଷ ହୁଏ । ପାଣିଘରୁ ପମ୍ପରେ ପାଣି ଉଠାଯାଏ ପାଳିକରି ଖରାଦିନ ମାନଙ୍କରେ ।

ଭାଡ଼ିଘର ଉପରେ ଜଗନ୍ତି ଜନ୍ତୁମାନଙ୍କୁ ରାତିରେ ପାଲିକରି । ସେଇଠି ନଦୀ ତା’ର ପ୍ରଥମ ପ୍ରେମ ପାଲଟି ଯାଇଥିଲା । ନଈକୂଳରେ ଥିବା ବାଗଲା କଇଁଆର ବିରାଟଗଛ, ତା’ର ମିଠାମିଠା ବାସ୍ନା ଯାହା ନିଗୁକୁ ବିଭୋର କରିଦେଇଥିଲା । ଜୋର୍‌ରେ ସେ ଅନୁଭବ କରିବାକୁ ଚେଷ୍ଟାକଲା ସେ ବାସ୍ନାକୁ… ପ୍ରତିଥର ତାକୁ ଚହଟାଇ ଦିଏ ସେ ବିଭୋର ବାସ୍ନା । ଯାହା ତା’ର ସ୍ନାୟୁମଣ୍ଡଳକୁ ଆକ୍ତାମାକ୍ତା କରିପକାଏ ।
ସେଇଠି ପ୍ରତି ରବିବାରରେ ଫିଷ୍ଟ ହୁଏ । ନଈରୁ ଧରାଯାଏ ମାଚ । ଧରନ୍ତି ମିଶିକି, ନଇଲେ କଣ୍ଡିଆ ଭିତରୁ ବୁଦାଭିତରେ ଲୁଚିଥିବା ବଣକୁକୁଡ଼ାକୁ ଧରାଯାଏ । ନଈପଠାରେ ରୋଷେଇ ହୁଏ ଚୁଲିରେ ସେଇଠି ଖୁବ୍ ଗପଜମେ, ଗୀତ, ସାହିତ୍ୟ, ରାଜନୀତି ଠାରୁ ସମାଜର, ଗାଁର ସବୁ ଘରର କଥା ପଡ଼େ ।

ନିଜର ଅନୁଭବମାନଙ୍କ ପ୍ରତି ଖୁବ୍ ବିଶ୍ୱସ୍ତ ଥାଆନ୍ତି ସଭିଏଁ । ଅକୃତିମ ଭାବେ ଗପନ୍ତି । ଯାହା ଆଜି ସ୍ମୃତି । ଆଜି ଏକା ଏକା ରାସ୍ତା ବଡ଼ ଭୟ ଦିଏ । ବାଗଲା କଇଁଆ ମୂଳରେ ନଟସାହୁର ବରାପିଆଜି ଦୋକାନ । ଯେଉଁଠି ବାକିସବୁ ଜିନିଷ ମଧ୍ୟ ମିଳେ । ଅର୍ଥାତ୍ ପାନ, ବିଡ଼ି, ସିଗାରେଟ୍‌, ଗଞ୍ଜେଇ,ସାବୁନ, ତେଲ, ଅଳତା, ଚୁଡ଼ି, ରିବନ, ଚାପିନ୍‌, ଖଟଖଟି, ଜରିରେ ପ୍ୟାକେଟ୍ ହୋଇଥିବା ତେନ୍ତୁଳି, ଆମ୍ବ ଆଚାର ଯାହାର ମୂଲ୍ୟ ମାତ୍ର ପଚାଶ ପଇସା । ସେଠି ଲମ୍ବାକଳା ବେଞ୍ଚ ଉପରେ ଅଧିକାର କରିଥିବେ ଆଖପାଖ ଗାଁର ସବୁତକ ପୁରୁଖା, ବୟସ୍କ ଲୋକ । ଦଳେ ବସିଥିବେ ଗାମୁଛା ପାରି ତାସ ଖେଳିବାକୁ । ଏହା ପ୍ରତ୍ୟେହ ନିଶା । ଚାରିଟା ବାଜିଲେ ପାଗଳପ୍ରାୟ ଧାଇଁଆସିବେ । ଗୁଣ୍ଡିପାନ, ଚାହା ଚାଲେ, ତା’ ସଙ୍ଗରେ ସମତାଳରେ ଚାଲେ ତାସ ।

ଗାଁର ବେକାର ପିଲାମାନେ ସେଠି ଚାହା ପିଅନ୍ତି, ସିଗାରେଟ୍ ଟାଣନ୍ତି । ତା\’ ସାଙ୍ଗକୁ ନଟସାହୁର ବୁଟବରା ବା ଖେସାରି; ଯାହା ଗପକୁ ଆହୁରି
ରସାଣିତ କରେ । ତା’ର ଅଧାରୁ ଅଧିକ ଗ୍ରାହକଙ୍କର ବାକିଖାତା ଚାଲେ । ସେଥିରେ ଦିନେ ତାର ମଧ୍ୟ ନା’ ଥିଲା । ସେମାନଙ୍କର ସାଙ୍ଗ ଦଳରେ ଶୁଭକାନ୍ତ, ପ୍ରମୋଦ, ହରିଆ, ମଣିଆ ଆଦି ସଭିଏଁ ଏକା ବୟସ ନହେଲେ ମଧ୍ୟ ପାଖାପାଖି ଦୁଇଚାରିବର୍ଷ ବଡ଼ସାନରେ
ଥାଆନ୍ତି । ସେଠି ସବୁ ଚର୍ଚ୍ଚାରେ ଗୋଟିଏ ମୁଖ୍ୟ ଥାଏ ଆଧୁନିକ ହେବାର କାଇଦା ଏବଂ ଝିଅଙ୍କୁ କେମିତି ଇମ୍ପ୍ରେସ୍ କରାଯିବ । ଏସବୁରେ ମଣିଆ ବେଶ୍‌ ଦୁଇପାଦ ଆଗରେ । ସେ ନଟସାହୁର ଝିଅକୁ ଲାଇନ୍ ମାରେ, ବୁଲେଇ ବଙ୍କାଇ କମେଣ୍ଟ୍ କରେ ।

ମାତ୍ର ଶୁଭକାନ୍ତ ଖୁବ୍ ଶାନ୍ତ, ସମୁଦ୍ର ପରି । ସ୍ଥିର ଭାବେ ବସେ, ଶୁଣେ ସବୁ ଅନୁଧ୍ୟାନ କରେ । କମ୍ କଥାକହେ । ସେ ପ୍ରାୟ ଗାଁ ମାମଲତିରେ ଭାଗନିଏ । ନ୍ୟାୟନିସାପରେ ଯାଏ । କେଉଁଠି କଳିଗୋଳ ବା ମାଡ଼ପିଟ୍ ହେଲେ ସମାଧାନ କରିବାକୁ । ଶୁଭକାନ୍ତକୁ ସମସ୍ତେ ଭଲପାଆନ୍ତି ।
ନଟସାହୁ ଦୋକାନ ଭୋର୍ ପାଞ୍ଚଟାରୁ ରାତି ଆଠଯାଏ ବସେ । ତା\’ ସ୍ତ୍ରୀ ବିରିବାଟେ । ସୁଜି ମିଶାଇ ଫେଣ୍ଟେ ଆଉ ରସହାଣ୍ଡିରେ ରଖି ଢାଙ୍କୁଣିଦେଇ, ଝିଅହାତରେ ପଠାଏ ଦୋକାନକୁ । ଝିଅ ଆସିବା ପୂର୍ବରୁ ନଟ ଯାଏ ଭାଟିକୁ । ଖଜୁରି ତାଡ଼ି ପିଏ, ଝିଅକୁ ପିଆଜ, ଲଙ୍କା କାଟିବାକୁ ଦେଇ ନିଜେ କେଇ ଗ୍ଲାସ ପାଣିପିଏ । ନଟଝିଅ ରାନୁ ପିଆଜକାଟିଲା ବେଳେ ଆଖିରୁ ଝରଝର ପାଣି ଝରିପଡ଼େ । ଯାହା ଜମା ସହିପାରେନା ମଣିଆ । ଗରଗର ହୋଇ ନଟସାହୁକୁ ଗାଳିକରେ ମାତ୍ର ନିମ୍ନ ସ୍ୱରରେ । ନଟର ତିନିଟା ଝିଅ । ତା’ ସ୍ତ୍ରୀ ପୁଣି ଗର୍ଭବତୀ । ପୁଅହେବା ପାଇଁ ହଜାରେ ମାନସିକ । ନଟସାହୁର ବଡ଼ଝିଅ ନଖି ବର୍ତ୍ତମାନ ଅଷ୍ଟମରେ ପଢ଼େ । ଦେଖିବାକୁ ପରୀଟେ ପରି । ସେ ଆସେ ନାହିଁ ଦୋକାନକୁ ନଖିକୁ ଦେଖିବା ମାତ୍ରେ ବଜାରୀ ଟୋକାଙ୍କ ଭିଡ଼ଜମେ । ବୁଢ଼ା, ଦରବୁଢ଼ାଙ୍କ ଆଖି ଲସଲସ ହୁଏ, ସତେକି ଧର୍ଷଣ କରିପକାଇବେ ଆଖିରେ… ନଟସାହୁ ରାଗେ ତା’ ସ୍ତ୍ରୀକୁ । ସେ ଚାହେଁନାହିଁ ତା’ ବଡ଼ଝିଅ କାହାର ଦୃଷ୍ଟିରେ ଆସୁ । ଏହା ପିତୃତ୍ୱର ଭୟ!! ଈଶ୍ୱର ଅନୁଭବ କରେ କେତେ ଅସହାୟ ସତରେ ଗୋଟେ ବାପା ।

ଟ୍ରେନ୍ ଧାଉଁଚି ଷ୍ଟେସନ୍ ଆଡ଼କୁ, ପୁଣି ଛାଡ଼ିଯାଉଛି ଆଉ ଏକ ନୂଆ ଷ୍ଟେସନ୍‌ରେ ପହଁଞ୍ଚିବା ଆଗ୍ରହରେ ଦ୍ରୁତଗାମୀ ହୋଉଛି ପୁଣି ଆଉ ଏକ ଟ୍ରେନ୍‌… । କୋଳାହଳ-ବ୍ୟସ୍ତତା, ବିବ୍ରତ ଭିତରେ ଆପଣା ରାସ୍ତାରେ କିଛି ହୁଇସିଲ୍‌ର ଶବ୍ଦ, ଧୂଆଁ… ଘୋରା ଏଇ ଷ୍ଟେସନ୍‌ରେ ସେ ଆଜି ଅପରିଚିତ ପରି ଜୀବନ ଜିଏ । କାହାସହ ବେଶୀ କଥାବାର୍ତ୍ତା କରେନି । ପ୍ରାୟ ଶୁଣେ । ଦିନେ ଶୁଭକାନ୍ତ କହିଥିଲା ଏଇ କଥା- ସମୟ ସବୁ ପରିବର୍ତ୍ତନ କରିଦିଏ । ସବୁବଦଳାଇ ନିଏ ସମୟ, ସବୁ ରୂପରଂଗ… ଖାଲି ଧର୍ଯ୍ୟଧରିବା ଉଚିତ୍ ।

ଜୀଇଁବାର ନିୟତଯୁଦ୍ଧରେ ସବୁ ହାରିବା ଜିତିବା, ମାନ ଅପମାନ, ଅଭିମାନ, ଅଭିଯୋଗ, ଶାପ ଅଭିଶାପ ପ୍ରାର୍ଥନା ବି ବନ୍ଦୀ ହୋଇଯାଏ ଜୀବନପାଖରେ  ମଣିଷ ଖୋଜେ ମୁଠାଏ ଖୁସି । ମାତ୍ର ଏହି ମୁଠାଏ ଖୁସି ଟିକକ ଥାଏ କେଉଁଠି? ଆଶ୍ୱସନାର ଫର୍ଦ୍ଦଭିତରେ ନା ମଣିଷର ହସିଲା ମୁହଁ ଭିତରେ? ନା ବିଶ୍ୱାସର ଭଙ୍ଗାଦରଜା ପାଖରେ? ନା ଈଶ୍ୱରଙ୍କ ବ୍ୟବସ୍ଥିତ ସ୍ଥାନରେ?? କେଉଁଠି ଥାଏ? ଈଶ୍ୱର ଖୋଜୁଥିଲା… ନିଜକୁ । ଖୋଜିବୁଲୁଥିଲା ଜୀବନର ମୁଠାଏ ବିଶ୍ୱାସ ଭରା ଖୁସି ପାଇଁ!

ମୁହଁ ପୋଛୁ ପୋଛୁ ଈଶ୍ୱର ଅନେଇଲା ଉଦାସୀ ଭାବେ ଆକାଶକୁ । କାହିଁକି ଏମିତି ହୁଏ ଗୋଟେ ଉଦାସୀ ପ୍ରହର ମନ, ପାଟି, ଦେହ ସବୁକୁ କାହିଁକି ଗ୍ରାସ କରିଯାଏ । ଲୁଚାଇ ରଖିଥିବା ଖଇନିରୁ ଚିମୁଟା ଟାଏ ପାଟିରେ ପକାଇଲା । ଝିମ୍‌ଝମ୍ କରିଉଠିଲା ଜିଭ, ଅଭ୍ୟାସ ନାହିଁ ମାତ୍ର କେବେ କେବେ ଖାଇବାକୁ ଭଲଲାଗେ ।

ସେ ପୁଣି ଫେରି ଆସିଲା ପୂର୍ବ ବେଞ୍ଚକୁ । ସେ ବେଞ୍ଚରେ ଶୋଇବାକୁ ଚାହୁଁଥିଲା ମାତ୍ର ଶୋଇ ପାରିଲା ନାହିଁ । ଆଜିକାଲି ଅନେକ କଥା କରି
ହେଉନଥିଲା ଚାହିଁବା ପରି । ଯେମିତି ସେ ଆଉ ସିଟି ବଜାଇ ପାରୁନଥିଲା । ସୁନ୍ଦରୀ ଝିଅ ଆଡ଼କୁ ଚାହିଁପାରୁନଥିଲା । ଜହ୍ନକୁ ଲୁଚକାଳି ଖେଳୁନଥିଲା ପୋଖରୀ ଭିତରେ । ଧୂ-ଧୂ ଖରାବେଳେ ଯାଉନଥିଲା ନଦୀ କୂଳକୁ । କାହାର ମିଠାଚୁମାର ଆକର୍ଷଣରେ ବିହ୍ୱଳିତ ହେଉନଥିଲା ରାତିରାତି । ଗୋଟେ ଉଦାସୀ ବିଷାଦ ତାକୁ କୋଳାଗ୍ରତ କରିସାରିଥିଲା ।

ସେ ସବୁଯେମିତି ଛାଡ଼ି ଆସିଛି । ଅନେକ ସଂଭାବନା, ଅନେକ ପ୍ରତିଶ୍ରୁତିକୁ ପଛକରି । ଗୋଡ଼କୁ ଟିକେ ତଳକୁ ଖସାଇ ପିଠିକୁ ବେଞ୍ଚ ପିଠିରେ ଜଡ଼ାଇ କରି ବସିଲା । ଆଜି ତାକୁ ଅନେକ କଥା ଘାରୁଥିଲା । ସେ ବିବ୍ରତ ହୋଇଗଲା । ସବୁକିଛି ଶୂନ୍ୟ ଓ ଖାଁ… ଖାଁ… । ତାକୁ ଏ ନିର୍ଜନତା ଗୋଡ଼ାଏ । ସେ ପଳାଇ ଆସେ ଅଜଣାଯାଗାକୁ । କୋଳାହଳପୂର୍ଣ୍ଣ ଜାଗାକୁ । ଯେଉଁଠି ଅନ୍ତତଃ ଅନେକ ଲୋକଥିବେ । ଯେଉଁଠି ଗହଳି ଭିତରେ ସେ ଏକାଥାଏ । ହଜିଯିବାର ଭୟନଥାଏ । ସେ ଖୋଜିଥାଏ ଆପଣାକୁ ନିଜଭିତରେ । ଏଇଠି ସେ କାନ୍ଦିଛି ଢେର… ଉପାସରେ ଶୋଇଛି । ରାତି ରାତି ପାଣିପିଇ ଜାଗା ଅଭାବରୁ । ଏଇ ଷ୍ଟେସନ୍‌ରୁ ଆରମ୍ଭ ତା’ ଜୀବନର ନୂଆ ଅଧ୍ୟାୟ । ମନେପଡ଼େ ପ୍ରଥମଦିନ ଏଇ ସହରରେ… ।

ସେଦିନ ସକାଳର ଆକାଶରେ ଭର୍ତ୍ତିଥିଲା ଆଷାଢ଼ୀମେଘ । ଖୁନ୍ଧାଖୁନ୍ଧି ହୋଇ ଏଇଲେ ସତେକି ଦୁର୍‌ଦାର୍ ବର୍ଷିଯିବେ ବିନା ଦ୍ୱିଧାରେ । ମେଘଭିତରୁ ଲାଜେଇଝିଅର ମୁହଁପରି ଧିରେ ଧିରେ ଆସୁଥିବେ ଆଉ ଯାଉଥିଲେ ସୂର୍ଯ୍ୟଦେବତା । ଆକାଶରେ ଥିଲେ ପକ୍ଷୀଦଳ । ପ୍ରତିଟି ସକାଳ ଏକ ନୂଆ ଅଧ୍ୟାୟ… ଏମିତି ଥିଲା ଅନୁଭବ ।

କ୍ରମଶଃ

Leave A Reply

Your email address will not be published.