ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’
ଖାଁ.. ଖାଁ ଖାଇଗୋଡ଼ାଉଥିଲା ତାଙ୍କର ଘର ଅଗଣା, ବାଡ଼ି-ଖଳାବାଡ଼ି, ଘସିଭାଡ଼ି, ପୋଖରୀତୁଠ, କୂଅମୂଳ ସବୁ କୋଣ ଅନୁକୋଣ । କେଜାଣି
କେଉଁଟି ତାଙ୍କୁ ଶାନ୍ତି ଲାଗୁନଥିଲା । ଈଶ୍ୱର ବୋଉ ଚୁପ୍ଚାପ ବସିଥିଲା ଦୋକଡ଼ିରେ ।
ଦୋକଡ଼ିର କୋଣକୁ ପଲ୍ଲାମରା ହୋଇ ତାଙ୍କ ରୋଷେଇଘର ଚୁଲି । ଯାହା ପ୍ରତ୍ୟେହ ବ୍ୟବହାର ହୁଏ । ଭିତର ଘରେ ଥିବା ଚୁଲି କେବଳ ବର୍ଷାଦିନେ ଅତି ଜୋର୍ରେ ବର୍ଷାହେଲେ ପବନ ବତାଶ ହେଲେ ସେଠି ରୋଷେଇ ହୁଏ । ସୀପ୍ରା ପତ୍ର ଟୋକେଇକୁ ଉଠାଇ ଆଣି ଭିତର ପାଖ ଚୁଲି ଆଗରେ ଗଦାକରି ନଳରେ ଫୁଙ୍କି ନିଆଁ ଧରାଉଛି ଅଧା ଓଦା ପତ୍ରମାନଙ୍କୁ । ଫୁଙ୍କି କାଶି କାଶି ନୟାନ୍ତ ହୋଇଯାଉଛି ସୀପ୍ରା, ସେ ପ୍ରତି କିନ୍ତୁ ବୋଉର ନିଘା ନାହିଁ ।
ସକାଳୁ ସକାଳୁ ଚା’ ନପିଇଲେ ଈଶ୍ୱରର ବାପା ଯିବେ ନାହିଁ କୁଆଡ଼େ । ନାଲି ଚା\’ ପେଟରେ ନପଡ଼ିଲେ ତାଙ୍କର ଝାଡ଼ା ହୁଏନି । ଈଶ୍ୱର ବୋଉକୁ ଚା’ ନପିଇଲେ ଅଳସୁଆ ଲାଗେ । ସକାଳ ପାଇଟି କରିବାକୁ ମନଲାଗେନି । ଆଉ ଈଶ୍ୱର ଥିଲେ ଚା’ ଗ୍ଲାସ ଶେଜପାଖକୁ ନଗଲେ ମହାରାଜ ଉଠିବେନି ଶେଜରୁ । ପ୍ରତିଦିନ ସୀପ୍ରା ଚା’ କରି ତା’ କନ୍ଥା ପାଖରେ ଥୋଇ ହଲାଇଦିଏ ଭାଇକୁ । ଆଜି କେଉଠି ଈଶ୍ୱର… ।
ଈଶ୍ୱର ବୋଉକୁ ଭାରି ଅବସ ଲାଗୁଥିଲା । ଦୁର୍ବଳ ଲାଗୁଥିଲା ଯେମିତି ସେ ଖାଇ ନାହାନ୍ତି ବର୍ଷ ବର୍ଷ ଧରି; ଶୋଇ ନଥିଲେ ଯେମିତି ନିଦୁଆ ନିଦୁଆ ଲାଗେ, ସେମିତି ନିଦୁଆ ଲାଗୁଥିଲା ତାକୁ । ସେ କାନ୍ଥକୁ ଆଉଜି ବସିଲା । ମନ ତାଙ୍କର କୋଉଥିରେ ଲାଗୁନଥିଲା ଈଶ୍ୱର ଗଲାଦିନ ଠାରୁ । ପାଖରେ ଥିଲା ଯାଏ, କେତେ ଚିଡ଼ନ୍ତି… । ଏଇ ଅଗଣାଘର ଦାଣ୍ଡଦୁଆରରୁ ବାଡ଼ି ଦୁଆର ଯାଏ ବୋଉର କାନି ତଳେ ଆଶ୍ରା ନେଇ ଅଗଣାରେ ସର୍ବାଧିକ ସମୟ କାଟୁଥିବା ଈଶ୍ୱର ଦୂରକୁ ଚାଲି ଯାଇଥିଲା । ଆଜି ଖୁବ୍ ନିଜକୁ ଦୋଷୀ ବୋଧ କରନ୍ତି । ସ୍ୱାମୀ ଆଖିରେ ଦୋଷୀପଣ ବେଶୀ ଦିଶେ ତାଙ୍କୁ । ଦୂରକୁ ଛାଡ଼ିବେନି ବୋଲି ତାକୁ ଗାଁଠାରୁ ଆଠ କିଲୋମିଟର ଦୂର ସ୍କୁଲ୍ରେ ପାଠପଢ଼ାଇ ନଥିଲେ
କି ହଷ୍ଟେଲ୍ରେ ଛାଡ଼ିନଥିଲେ ଜିଦ୍ କରିବା ସତ୍ତ୍ୱେ । ନିତି ଆସି ଫା କରି ପଡ଼ିଯାଏ ସଉପରେ । ଡାକଛାଡ଼େ ସୀପ୍ରାକୁ, ବୋଉକୁ ଟିକେ ତା’ ପାଦରେ ଗୋଡ଼ରେ ହାତମାରି ଦେବାକୁ । ପ୍ରତିଦିନ କହୁଥିବା ମୋ’ ଗୋଡ଼ଦିଟା ଭାଙ୍ଗିପଡ଼ିବ ଏଇଲେ । ଟିକେ ତେଲ ମାରି ଦେ…”
“ସବୁବେଳେ କାମ ଠକ ଟାଏ” କହିଉଠିଲା ମନକୁ ମନ ଈଶ୍ୱର ବୋଉ । ଟିକିଏ କାମ ଚାପ ପଡ଼ିଲେ ଆଁକରି ପଡ଼ିଯିବ । ରାତିରେ ପୁଅର ଗୋଡ଼ରେ ତେଲ ମାଲିସ କରିବାକୁ ପଡ଼େ । ଭଲପାଏ ବୋଲି ବାରମାସ ପାଇଁ ବଡ଼ିପାରି ରଖେ । ବଡ଼ିଚୁରା, ପଖାଳ ଆଉ ଆଳୁପୋଡ଼ା ତା’ର ଖୁବ୍ ପ୍ରିୟ । ନିଇତି ଗାଧୋଇ ଆସିଲେ ବଡ଼ିଚୁରି କଂସାଏ ପଖାଳ ଖାଇଦେଲେ ପରମ ଶାନ୍ତିରେ ପେଟ ପୁରିଯାଏ । ଦିନତମାମ ଆଉକିଛି ନଖାଇଲେ ମଧ୍ୟ ଚଳିବ । ସବୁ ପରେ ମଧ୍ୟ ସେ ନୟନର ମଣି…
– କିଏ ତା’ର ଖବର ବୁଝୁଥିବ?? କ’ଣ ଖାଉଥିବ, କେମିତି ରହୁଥିବ?? କେଉଁଠି ରହିଲା?? ମୁଁ ଚଣ୍ଡାଳୁଣି ରାଗରେ କ’ଣ କରିଦେଲି । ବଢ଼ିଲା
ପୁଅ… ଭୁଲିଗଲି ଯେମିତି”… ମନକୁ ମନ ପ୍ରଶ୍ନରେ ରଗଡ଼ୁଥିବା ବେଳେ । ଈଶ୍ୱରର ବାପା ଚା’ କଂସାଟାକୁ ଉଠାଇ ଆଣି ଗୋଟେ ବାଟିରେ ଢାଳୁ ଥିଲେ ।
ସୀପ୍ରା ବାପାଙ୍କ ଗୁଡ଼ାଖୁ ଓ ପିତ୍ତଳ ଢାଳ ଥୋଇ ଦେଇ ଧ୍ୟାନମଗ୍ନ ହୋଇ କରଞ୍ଜକାଠିରେ ଦାନ୍ତ ଘସୁଥିଲା ଭାର ଦେଇ ରସ ନୋଟା ଉପରେ ।
– ପିଲାଟା କ’ଣ କଲା? କେଉଠି ରହିଲା ଖବର କିଏ କ\’ଣ ଦେଲ ଆଉ?? ସବୁତ ମୋରି ଦୋଷ, ମୋରି କାମ… ଅନେକ ବେଳଯାଏ ଚୁପ୍ଥିବା ଈଶ୍ୱରର ବାପା, ପୁଳାଏ ଛେପ ପଚ୍ କରି ପିଣ୍ଡାତଳକୁ ପକାଇ ଦେଇ ଚିଡ଼ଉଠିଲା ପରି କହିଲେ – – ଭାରି ସୁହାଗ ଏବେ!! ଏତେ କିଏ ରାଗେ ବଢ଼ିଲା ପୁଅ ଉପରେ… ତୁ ତ ଖାଲି ଏକା ମା’ । ତୁ ଏକା ଗୋଟିଏ ପୁଅ ଜନ୍ମ କରିଛୁ ଏ ବ୍ରହ୍ମାଣ୍ଡରେ । ମୁଁ ଆଉ ବୁଝୁନି କିଛି । ତୋ’ ପୁଅ ପାଞ୍ଚବର୍ଷର ଛୁଆ ହୋଇ ଆଉ ନାହିଁ । ଅନ୍ୟମାନଙ୍କ ପରି ସେ ନୁହେଁ । ବୁଝିଲୁ । ଅବଶ୍ୟ ଆଜିକାଲି ବେଳକାଳ ଠିକ୍ ନାହିଁ ।
ତୁ ଯା’ ଜଳଖିଆ କର ସୀପ୍ରା ମୁଁ ବିଲଆଡ଼େ ଯିବି ଶିଘ୍ର, କାମ ସାରି – କହି ଈଶ୍ୱର ବାପା ଢାଳ ଧରି ଚାଲିଗଲେ ବାଡ଼ିକୁ । ଈଶ୍ୱର ବୋଉ କାନିରେ ଲୁହ ପୋଛିଲେ । ଆଖିପତା ଥମ୍ ଥମ୍ ଥିଲା । ଆଉକିଛି ନକହି ଓଢ଼ଣାକୁ ଆଗକୁ ଟାଣି ଦେଇ ଭିତରକୁ ଗଲେ – ଗ୍ରାମ
ଦେବତୀଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି କହିଲେ –
– ମା’ଲୋ ଘଣ୍ଟଘୋଡ଼ାଇ ରଖିବୁ ମୋ’ ଧନକୁ । ତୁଇତ ତା’ର ଏକମାତ୍ର ଆଶ୍ରା ଓ ଭରସା ଲୋ ମା’…!!
ସୀପ୍ରା ହାତରୁ ଛୁରୀଟାଏ ନେଇ ପାଛିଆଧରି ବାଡ଼ିକୁ ଗଲା ନିଗୁବୋଉ । ପୋଖରୀ କୂଳରେ ଛନଛନ କଳମଶାଗ ହୋଇଛି । କାକୁଡ଼ିଗଛରେ କଷି ନଦି ହୋଇଛି । ଜହ୍ନିଲଟା ଲମ୍ବିଗଲାଣି ମଥାନକୁ. ସେଠି ଜହ୍ନି, ଛଚିନ୍ଦ୍ରା, ବାଇଗଣ, କାଙ୍କଡ଼… । ବିରାଟ ବାଡ଼ିକୁ ଦେଖାରେଖା କରିବାକୁ କିଏ ବା ଅଛି । ସେ ହାଁ ହାଁ କରି ମାଙ୍କଡ଼ ଗୋଡ଼ାଇଲା ଖଣ୍ଡେ ଲମ୍ବା ଆଙ୍କୁଡ଼ା ନେଇ । ସମୟର ସ୍ରୋତ ଧୋଇ ଦେଇଛି ଅନେକ କିଛି । ଏଇ ଘରକୁ ଆସିଲା ବେଳକୁ କେତେ ଲୋକ ଭର୍ତ୍ତି ଥିଲେ । ଦିଦିଟା ଖୁଡ଼ୀଶାଶୁ, କୁନି ଦିଅର ମାନେ, ଶାଶୁ, ନଣନ୍ଦ, ଶଶ୍ୱର… ସବୁ ବଢ଼ିଲେ, କିଏ ଖସିଲେ । ପିଲାମାନେ ଆସିଲେ କୋଳକୁ । ଏଇ ଅଗଣାରେ ଦାଣ୍ଡରେ ଲଙ୍ଗଳା ହୋଇ ଖେଳୁଥିଲେ ଆଜି ବଡ଼ହୋଇ କିଏ କେଉଠି ବିଦେଶରେ ।
ଜୀବନରେ କେତେ ଦୁଃଘଟଣା – ଘଟଣା ଘଟୁଛି ଧାରାବାହିକ ଭାବରେ । ମାତ୍ର ଅଟକି ଯାଉନି କିଛି ମଧ୍ୟ । ତା’ର ଅନ୍ତ ହିଁ ନାହିଁ । ଗୋଟିଏ ସରିଲେ ଆଉ ଗୋଟେ ଘଟଣା ସୂତା ଖିଅ ପରି ଲମ୍ବିଯାଉଛି । ଏଇ ଘର ଦିନେ ଐଶ୍ଚର୍ଯ୍ୟ ପ୍ରତିପତ୍ତିରେ ଭିନ୍ନ ପରିଚୟ ଥିଲା । ବିରାଟ ଖଞ୍ଜା ଥିଲା । ପଥରବସା ପାହଚ, ଦାଣ୍ଡ ଅଗଣା ଥିଲା । ଜାଲରେ ସୁନାମୋହର ଲଗାଇ ସିନ୍ଦୁକରେ ରଖାଯାଉଥିଲା । ବଳିଆର ସିଂ ଉପାଧି ପାଇଥିବା, ଏ ପରିବାର ମହଣ ମହଣ ଧାନରେ ଖମ୍ଭାର ପରିପୂର୍ଣ୍ଣ ଥିଲା । ମା\’ ଜାଗୁଳେଇକୁ ସେମାନେ ପ୍ରତିଷ୍ଠା କରିଛନ୍ତି ମହଣ ମହଣ ଧାନରେ ଭିତ୍ତିପ୍ରସ୍ତର କରି । ମା’ଙ୍କ ନା’ରେ ଆଜି ମଧ୍ୟ ବଂଶାନୁକ୍ରମିକ ନୀତିରେ ଘିଅପୋଡ଼ା ହୁଏ, ପାଳିରେ ଖାଇବାକୁ ନିଆଯାଏ ପାଞ୍ଚଖଣ୍ଡ ଗାଁ ।
ସମୟର ସୁଅ ସବୁ ହଜାଇ ଦେଇଛି । ସବୁ ସରିଯାଇଛି । ଖଞ୍ଜାଘର, ପ୍ରତିପତ୍ତି, ସୁନାଟଙ୍କା, ପଥର ପାହାଚ, ଯୌଥ ପରିବାର… ସବୁ! ଭାଇ ଭାଇରେ ଝଡ଼, ଅନ୍ୟ ଗାଁ ସହ ଏ ଗାଁର କଳିରେ କେତେ ମଥାର ସିନ୍ଦୂର ଲିଭିଛି । କେତେ ଦୁଧିଆଳୀ ଗାଈ, ଏକର ଏକର ଜମି, ଧନଗଦା, ସୁନା ଏମିତି କିଛି ଅନେକ ସ୍ତ୍ରୀ ଲୋକର ଇହତ ମଧ୍ୟ ସରିଛି ଏଇ ଯୁଦ୍ଧ ମଧ୍ୟରେ । ବାକି ଯାହା ରହିଯାଇଛି ଉତ୍ତରାଧିକାରୀ ସୂତ୍ରରେ ଗୁଡ଼ାଏ ମକଦମା ଜମିବାଡ଼ିର, କିଛି ଦାରିଦ୍ର୍ୟତା, ଅଭାବରେ ନିଇତି ଯୁଦ୍ଧ କରୁଥିବା ମନ, ମୁଠାଏ ଭାତ ପାଇଁ, ଛୋଟ ଖୁସିପାଇଁ ଲଢ଼ୁଥିବା ମନ! ପୁଳାଏ ଦୀର୍ଘଶ୍ୱାସ ଉତୁରିଗଲା ନିଗୁବୋଉର ଛାତିରୁ, ଯାହା ସେ ବୁଝାଇ ପାରେନି ପୁଅକୁ, ସ୍ୱାମୀକୁ…
Comments are closed.