ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’
ଈଶ୍ୱର ବାହାଘର ଦିନ ନିଗୁ ଯାଇଥିଲା ତା’ସହ । ମନ୍ଦିରରେ ବେଶ୍ ଉତ୍ସାହର ସହ ବାହାଘର ହେଲା । ଈଶ୍ୱରର ପ୍ରେମ ଦେଖି ତା’ ମଧ୍ୟ ଈର୍ଷା ହୋଇଥିଲା । ଏତେ ବେଶୀ ଭଲପାଇ ହୁଏ ଗୋଟେ ଝିଅକୁ??
ସେମାନେ ଧୁମ୍ ନାଚି ଥିଲେ । ଏମିତି ଅନେକ ପରିଚୟ ଏମିତି ହିଁ ହୁଏ । ସଂପର୍କର ନା’ ନଥାଇ ମଧ୍ୟ ରଂଗଲାଗିଯାଏ । ସଂପର୍କର ନାମ ଲୋଡ଼ାପଡ଼େନି । ସେମାନେ ଖୁବ୍ ସେଦିନ ଅନ୍ତରଂଗ ହୋଇଯାଇଥିଲେ । ଦୁହିଁଙ୍କର ଅନେକ ଭଂଗୀର ଫଟୋ ଉଠାଇଥିଲେ ତାଙ୍କ ସାଙ୍ଗମାନେ । ନିଗୁକୁ ମୋଟେ ମନେ ହୋଇନଥିଲା, ସେ ଦିନ କେଇଟାର ବଂଧୁ ଈଶ୍ୱରର । ବନ୍ଧୁତ୍ୱ ଏମିତି ପ୍ରେମ ଯାହା ଅନ୍ୟ ପ୍ରେମଠାରୁ ଅନେକ ମହତ୍ତ୍ୱ ରଖେ ଅନେକ ଗୁରୁତ୍ୱ ରଖେ । ଦୁଇ ଅଜଣା ସଂପର୍କ ଯାହାକୁ ଆପଣାର କରିହୁଏ ରକ୍ତର ସଂପର୍କ ଠାରୁ ଅଧିକ । ରକ୍ତର ନୁହେଁ କିନ୍ତୁ ଆମେ ନିଜ ରକ୍ତରେ ମିଶାଇ ଦେଉ । ତା’ର ଚେହେରା ମଧ୍ୟ ମନେପଡ଼େନି । ମୁହଁ ମନେପଡ଼େନି… ଯଦି କିଛି ମନେପଡ଼େ ତା’ କେବଳ ବଂଧୁର କଥା, ତା’ର ସଂପର୍କର ନିବିଡ଼ ମଧୁରତା ଯାହାକୁ କେବେ ମଧ୍ୟ ପାର କରାଯାଇ ପାରେନା । ମାଓଲି ଲୁହପୂର୍ଣ୍ଣ ଆଖିରେ ନିଗୁର ପାଦଛୁଇଁବା ବେଳେ ଖୁବ୍ ବିଭୋର ହୋଇପଡ଼ିଥିଲା ଈଶ୍ୱର । ନିଗୁର ମନେ ହେଲା ଯେମିତି ତା ଭଉଣୀ ତା’ ପାଦଛୁଇଁଲା । ତା’ର ଦୁଇ ହାତକୁ ମାଓଲି ମୁଣ୍ଡରେ ଥୋଇ କହିଲା – “ତୋ’ ସିନ୍ଦୂର ଦୀର୍ଘ ହେଉ ଭଉଣୀ । ଏ ଭଲପାଇବା ଦୁହିଁଙ୍କର ଏମିତି ଚିରଅତୁଟ ରହୁ ।”…
ପୁଳାଏ ସିନ୍ଦୂର, ନାଲି ଚୂଡ଼ି, ପାଦରେ ପାଉଁଜି ଲଗାଇ ଅପରୂପା ଦେବୀ ପରି ଦିଶୁଥିଲା ମାଓଲି । ସେମାନେ ସେଦିନ ସାଙ୍ଗହୋଇ ଫିଲିମ୍ ଯାଇଥିଲେ ।
ଅନେକ ସ୍ୱପ୍ନର ସାଥୀ ସେ ବୋଧ ହୁଏ ଈଶ୍ୱରର ।
ଈଶ୍ୱର ଅନେକ ସ୍ୱପ୍ନ ଗଢ଼ୁଥିଲା । ତା\’ର ନା’ରେ ଗୋଟେ ଆକାଉଣ୍ଡ ଖୋଲି ଥିଲା । ନିଜ ନା’ରେ ଜୀବନବୀମା ନେଇଥିଲା… କାଳେ ଯଦି ତା\’ର କିଛି
ହୁଏ ମାଓଲି ହଇରାଣ ହେବନି… ତା\’ ପିଲା ମଧ୍ୟ । କେଜାଣି କେମିତି ସେ ଅନୁଭବ କରିଥିଲା ମୃତ୍ୟୁର ଶିତଳ ଛୁଆଁକୁ ।
ମାଓଲି ଆଳୁଚପ୍ ଭଲପାଏ ବୋଲି ନିତି ନିଏ ସଂଗରେ । ତା’ ବୋଉ ଦେହରେ ଯାଏନି ପୁଅର ସ୍ତ୍ରୀ ସୁହାଗ । ଖୁବ୍ ଦିନେ ଝଗଡ଼ା କଲା । ସବୁ ଦୋଷରେ ଦୋଷୀ କରି ମାଓଲିକୁ ଦାଣ୍ଡରେ ଠିଆକରି ଦେଲା । ମାଓଲି ତଥାପି ନିରବ ଥିଲା । ଲୁହ ସହ ଆକ୍ତାମାକ୍ତା କୋହରେ ଶାଶୁର ପାଦରେ ପଡ଼ି ଭିକ୍ଷା ମାଗିଲା ପରି ବିନାଦୋଷରେ କ୍ଷମା ଯାଚନା କରୁଥିଲା । ସବୁବେଳେ ରାଉରାଉ ବୋଉ ତା\’ର ମାଓଲିକୁ ସହିପାରେ ନାହିଁ । ତା’ ପୁଅ ପରଝିଅକୁ ମା’ଠାରୁ ଅଧିକ ଈଶ୍ୱର କିନ୍ତୁ କେବେ ମା’କୁ ପଛକରିନି… ପଇସା ଆଗେ ପ୍ରତିଦିନର ଆଣି ମା’କୁ ଦିଏ । ମାଓଲି ହାତରେ କେବେ କେମିତି । ତା’ପାଇଁ ଚିଜମାନ କିଣିଦିଏ । ତା’ର ଭଲପାଉଥିବା ଦରବ ସେ କହିବା ପୂର୍ବରୁ ଯେମିତି ବୁଝି ପାରେ ଈଶ୍ୱର । ତା’ର ସ୍ନୋ ଠାରୁ ପାଉଡ଼ର ଯାଏ ସେ କହିବା ପୂର୍ବରୁ ଆଣିଦିଏ । ଆଉ ମାଓଲି ପାଇଁ ଈଶ୍ୱର କେଉ ଈଶ୍ୱର ଠାରୁ କମ୍ ନଥିଲା । ତା’ ସ୍ୱାମୀର ଓଠରେ ହସ ହଜିଯିବାକୁ ଦେବାକୁ ଚେଷ୍ଟାମଧ୍ୟ କରେନି । ସେ ଚାହେଁ ତା’ ସ୍ୱାମୀର
ଓଠରେ ସଦା ଖୁସିଥାଉ ।
ମନଦୁଃଖ କଲାପରି କିଛି କାମ କିମ୍ବା କିଛି କଥା କହିନଥିଲା ମାଓଲି । ଜୀବନରେ ହରେଇଥିବା ସଂପର୍କର ସବୁ ଅକ୍ଷର ଓ ସମ୍ବନ୍ଧ ସେ ପାଇଥିଲା ଈଶ୍ୱର ଭିତରେ । ସେ ଖାଲି ତା’ର ସ୍ୱାମୀ ନଥିଲା, ଥିଲା ତା\’ର ସାଙ୍ଗ, ତା\’ ପ୍ରେମ, ତା\’ର ବାପା, ତା’ର ମା’, ତା’ର ଭାଇ ଆଉ ଭଉଣୀ ମଧ୍ୟ ।
ମାଓଲି ଶାଶୁର ରାଗର କାରଣ ବେଶୀ ଥିଲା ମାଓଲିର ସାନଭଉଣୀକୁ ଆଣି ରଖିବାର ନିଷ୍ପତ୍ତି ଈଶ୍ୱର ନେବାରେ । ଅଭାବୀ ସଂସାର ଭିତରେ ଆଉ ଗୋଟେ ବୋଝ… କାହିଁକି ତା’ ପୁଅ ବୋହିବ ଏଇ ପାଇଁ ସବୁଦିନ କଳି କରତାଳ ପରେ । ମାଓଲି ନିଷ୍ପତ୍ତି ନେଇଥିଲା ଭଉଣୀକୁ ପୁଣି ଭିଣେଇ ପାଖେ ପଠାଇଦେବ ।
ତାହା ହିଁ ହେଲା । ଫୁଲୁରୀ ଫେରିବାର ଅପେକ୍ଷାରେ ଢ଼େର ଖୋଜା, ଢ଼େର ହତାଶ ପରେ ପୋଲିସ୍ରେ ଏତଲା ଦେଲା ଚକରା । ଆଜିକାଲି ସେ ପିଉନଥିଲା, କାମକୁ ଯାଉଥିଲା । ଫୁଲୁରୀକୁ ଝୁରି ଢ଼େର କାନ୍ଦୁଥିଲା । ତା\’ ମା’ ଗାଳି କରୁଥିଲା – “ମାଇଚିଆ… ସ୍ତ୍ରୀ ପଛକ ଆଉ କା’ସଙ୍ଗେ ପଳେଇଲା, ପୁରୁଷ ଭୁଲିପାରୁନି… ଛି… ଛି…
ଚକରା ରାଗିଯାଏ । ଫଁ ଫଁ ହୁଏ ତା’ ମା’ ଉପରେ । ସେ ଶୁଣିବାକୁ ଚାହେଁନି ଫୁଲୁରୀ ବିଷୟରେ କିଛି । ବରଂ ମାଟିରେ ଗୋଟେ କାଠିରେ ଗାରଟାଣୁ ଟାଣୁ ଦୃଢ଼ୋକ୍ତିର ସହ କହୁଥିବ – ସେ ଆପେ ଯାଇନି ଲୋ! ସେ ଟା ବୋକୀଟା… ତାକୁ ଓଷଦ କରି ନେଇଛି ସେ ବାବୁଟା… ମୁଁ ତାକୁ ଛାଡ଼ିବାର ନାଇ… ତା’ ଜାନ୍ ଖାଇଦେବି କଲିଜା ଉପାଡ଼ି ଦେବି… ଖାଲି । ସର୍ବସ୍ୱ ହରାଇ ପରାସ୍ତ ସୈନିକ ପରି ସେ ନିଜର ଚୁଟିକୁ ଦୁଇ ମୁଠାରେ ଭିଡ଼େ । କହେ ନିଜକୁ ନିଜେ – ଏ ସବୁ ପାଇଁ ମୋ’ ମଦ ହିଁ କାରଣ! ମୁଁ ମଦ ଖାଇବିନି । ମଦ ପାଇଁ ଆଜି ଫୁଲୁରୀ ଗଲା… ମୋ’ ପାଇଁ ଗଲା । ତା’ର ଦୃଢ଼ବିଶ୍ୱାସ ଫୁଲୁରୀ ନିଶ୍ଚୟ ଦିନେ ଫେରିବ । ପୁଅ ତା’ର ଫେରିବ । ତା’ ପ୍ରାଣ ଫେରିବ… ଲୁହ ଢଳଢ଼ଳ ଆଖିରେ ଅନାଏ ଆକାଶକୁ । ଖୋଜେ ସେ ଅନେକ କଥା, ଅନେକ ସ୍ମୃତି । ଯେତେଥର ମାଓଲି ଯାଏ ଘରକୁ, ସେତେଥର କାନ୍ଦିକାନ୍ଦି ଫେରେ । ଅସହାୟ ତାକୁ ସାଙ୍ଗ କରିପାରେ । କିଛି ନକରିପାରିବାର ଅସଜଡ଼ା କୋହ ମାନଙ୍କୁ ଆଉଢ଼େଇ ଫେରେ । ଈଶ୍ୱର ତା\’ର ହାତକୁ ଚାପି ଧରେ । ତା\’ କାନ୍ଧରେ ହାତରଖି କହେ – “ମୁଁ ଅଛିନା!! ତୁ କାହିଁକି ଡରୁଛ! ମୁଁ ଥିବାଯାଏ ତୁ ଖାଲି ହସ!!”
– ସେ ହସରେ ମୋ’ ଛୁଆ ହସୁ । ସେ ହସରେ ପରିପୂର୍ଣ୍ଣ ରହୁ ମୋ’ ଘର । ତୋ\’ ହସରେ ମୁଁ ଜୀବନ ଖୋଜିପାଏ ଧନ । ମୋ’ ପ୍ରାଣ । ମୋ’ ଜୀବନ! କହି ତା’ ଗାଲକୁ ଚିମୁଟି ଦିଏ ଈଶ୍ୱର । ମାଓଲି ଲାଜ ଲାଜ ହୋଇଯାଏ । ଲାଜ ଲାଜ ହୋଇ କହେ
– ମୁଁ ବି ତୁମ ଓଠରେ ହସ ହଁ ଦେଖିବାକୁ ଚାହେଁ । ତୁମର ସବୁ ଦୁଃଖ ଏ ଛାତିରେ, ଏଇ ପଣତରେ ପୋଛି ନେବାକୁ ଚାହେଁ । ତୁମ ମନରେ ଟିକେ ବୋଲି ଟିକେ କଷ୍ଟ ଦେବାକୁ ଚାହେଁନି । ତୁମେ ଯେମିତି, ଯେଉଁଠି… ଯେପରି ରଖିବ ରହିବି । ଯାହା ଦେବ ଖାଇବି… କେବେ ବି ତୁମକୁ କିଛି ପ୍ରତିବାଦ କରିବିନି…
– ବିଷ ଦେଲେ ବି??
– ହଁ, ଖୁସି ଖୁସିରେ ପିଇ ନେବି…
– କାହିଁକି ଲୋ??
– କାରଣ ଯେ ଜୀବନଠାରୁ ମୋତେ ଭଲପାଏ, ତମର ଦେବା ବିଷ ମଧ୍ୟ ଅମୃତ ମୋ’ ପାଇଁ ।
– ଯଦି କେବେ ମାଡ଼ ଦିଏ, ଗାଳିଦିଏ??
– ସବୁ ଆଖିବୁଜି ସହିଯିବି! “ଟିକେ କୌତୁକ କଲାପରି ମାଓଲି ସେଦିନ ପଚାରିଥିଲା ଈଶ୍ୱରକୁ ।” ସତ କୁହ ତୁମେ ମତେ ମାରିପାରିବ?? ଗାଳି ଦେଇ ପାରିବ??
– ହଁ । ସମୟ ଆସିଲେ…
– ଦିଅନା!! ତା’ ମଧ୍ୟ ପାଇବାକୁ ଚାହେଁ ତୁମଠୁ… ଆଗ୍ରହର କୃତିମ ରାଗ ଦେଖାଇ ଈଶ୍ୱର କାନ୍ଧ ଉପରେ ମୁହଁ ଗୁଞ୍ଜି ଦେଇଥିଲା ।
ଈଶ୍ୱର ତାକୁ ନିଜର ବାଁ ହାତରେ ଥାପୁଡ଼େି ଦେବା ବେଳେ କହିଥିଲା – ଦୁଷ୍ଟ!!
ଏଇ ପ୍ରେମରେ ସତରେ କାହାର ନଜର ଲାଗିଗଲା!! ଈଶ୍ୱର ଆଉ ଦେଖାଗଲାନି । ଖଟିକୁ ଆସିଲାନି… । ଦୁଇତିନି ଦିନ ପରେ ବ୍ୟାକୁଳ ହୋଇ ନିଗୁ ଗଲା ଈଶ୍ୱର ଘରକୁ । ଜରରେ କମ୍ପୁଥିଲା ଈଶ୍ୱର । ମାଓଲି କାନ୍ଦିଉଠିଥିଲା ବିକଳ ହୋଇ । ତା\’ ଦେହ ମୁଣ୍ଡରେ ହାତ ବୁଲାଇ ଆଣି ବିକଳରେ ।
ଈଶ୍ୱର ଦିଦିନ ହେବ ମୁଠାଏ ଦାନା ପାଟିରେ ନେଇନଥିଲା । ସୁ… ସୁ ହୋଇ କାନ୍ଦୁଥିଲା । ବିକଳ ହୋଇ ମାଓଲିକୁ ଅନାଉଥିଲା କିଛି କହିବା ଭଙ୍ଗୀରେ ମାତ୍ର କହିପାରୁ ନଥିଲା ।
ଈଶ୍ୱରର ହସ ଭିତରେ ସ୍ୱପ୍ନ ବୁଣୁଥିବା ମାଓଲି ଭାରି ଦୟନୀୟ ଦିଶୁଥିଲା । ଯେମିତି ତାକୁ ଜର ହୋଇଛି । ସେ ହିଁ ଖାଇନି । ପ୍ରକୃତପକ୍ଷେ ସେmଖାଇପାରୁ ନଥିଲା । ପେଟରେ ଛୁଆ ହେତୁ ତାକୁ ଖାଇବାକୁ ବାଧ୍ୟ ଥିଲା । ନଇଲେ ଈଶ୍ୱର କାନ୍ଦିପକାଇବ । ତା’ ଛୁଆ ତା’ ପାଇଁ ଖାଲି ଛୁଆନୁହେଁ ତା’ର ଅସରନ୍ତି ସ୍ୱପ୍ନର ମହକ । ତା\’ ପାଇଁ ଦିନ କେବେ ସରେ, ରାତି କେବେ ଆସେ ସେ ମଧ୍ୟ ବୁଝିପାରିନଥିବ । ତା\’ ଆସିବା ପୂର୍ବରୁ ସେ ତା’ ପାଇଁ ଖଞ୍ଜି ରଖିଥିଲା
ଅନେକ ସ୍ୱପ୍ନ ସହ, ଟ୍ରଙ୍କରେ କୁନି ଡ଼୍ରେସ୍, ବୁଟ୍ ଜୋତା, ମୋଜା, ସେୱଟର, ଟୋପି । ହିସାବ କରେ ପୁଅ ତା\’ର ଆସିବ ପିନ୍ଧିବ । ରାଜା ପରି ପାଳିବେ ଦୁହେଁ…
ଈଶ୍ୱରର ହସ ଭିତରେ ହସ ମାଖେ ସେ । ଈଶ୍ୱର ଦୁଃଖ ଭିତରେ ଲୁହ ଆଙ୍କେ ସେ… ସବୁ ସାଇତି ଦିଏ ତା\’ ଛାତିରେ । ତା’ ମନରେ… ନିଜ ଭିତରେ ।
ଈଶ୍ୱର ଆଖିରେ ଦେଖେ ଅସରନ୍ତି ସ୍ୱପ୍ନ ।
ଅନେକ ବାର ନିଗୁସହ କାଠଯୋଡ଼ି ବନ୍ଧରେ ହାଲକା ପବନ ତାଳେ ତାଳେ ରିକ୍ସା ଟାଣି ଗଲା ବେଳେ ଈଶ୍ୱର ମାଓଲିର ଅନେକ କଥା କହେ ।
ଉଚ୍ଚାଟିତ ହୁଏ । ତା’ର ନିରିହ ଛଳଛଳ ଆଖି ଭିତରେ ସେ ଦୁନିଆର ଆଉ କେଉ ନାରୀକୁ ସେମିତି ନଦେଖି ପାରିବାର ସ୍ୱୀକାରୋକ୍ତ କହେ । ସଂସାର ଯାକରେ ତା’ ସ୍ତ୍ରୀ ସବୁଠାରୁ ସୁନ୍ଦରୀ, ଅପରୂପା… ଲାବଣ୍ୟବତୀ ତା\’ ପାଇଁ । ତା\’ ପାଇଁ ଗୀତ ଗାଏ ଈଶ୍ୱର… ମାଓଲି ବିନା ମୁହୂର୍ତ୍ତଟେ ବଞ୍ଚିବାକଥା ଚିନ୍ତା ମଧ୍ୟ କରିପାରେ ନାହିଁ ଈଶ୍ୱର । ଗୋଟେ ଭୟ କ୍ରମଶଃ ଈଶ୍ୱରଙ୍କୁ ଜାକି ଦେଇଥିଲା । ଈଶ୍ୱର ଆଶଙ୍କିତ ଥିଲା ଅନେକ କିଛିକୁ ନେଇ । ସେଇ ଦିନ ମାନଙ୍କରେ ଯାହା ସହ ଅନେକ କଥାକୁ ବୁଝାଇପାରିଥିଲା ସେ ଥିଲା ନିଗୁ ।
ରାସ୍ତାଯାକ ମନେପଡ଼ୁଥିଲା ମାଓଲି ଶାଶୁର ଅନେକ କଥା ଯାହା ଆଜି ସେ କହୁଥିଲା କୁପିତ କଣ୍ଠରେ – “ତୁ ଜାଣିନୁ ପୁଅ, ଏଇ ବହୁତ ଚତୁର । ଦେଖୁନୁ ମୋ’ ପୁଅକୁ କେମିତି ପଟେଇ ପାଟେଇ ବାହା ହୋଇପଡ଼ିଲା! କହିଲେ ଯାହା ଉତ୍ତର ଦେବନି ଭଲେଇ ହେବ ମୋ’ ପୁଅ ଆଗରେ । ମୁଁ ଖରାପ!
କେବଳ ସେ ହିଁ ଭଲ । ସେଇ ପାଇ ମୋ’ ପୁଅ ମୋ’ଠୁ ବାହାହେବା ପରେ ଦୂରେଇଗଲା । ମୋ’ଠୁ ମୋ\’ ପୁଅକୁ ଛଡ଼େଇ ନେଲା!! ଏଇଟା ଡାହାଣୀଟା…!! ଖାଲି ମୋ’ ପୁଅର ଛୁଆର ମା’ ଭାବି ତାକୁ ଅନେଇଚି… ନଇଲେ…” କହୁ କହୁ ଆଖିରେ ନିଆଁର ଝଲକ ଦେଖି ପାରିଥିଲା ନିଗୁ!!
ନିଗୁ ହତାଶ ହୋଇଯାଇଥିଲା ଏଇ ଶବ୍ଦଗୁଡ଼ାକ ଶୁଣି । କ’ଣ ଉତ୍ତର ଦେବ ଭାବିମଧ୍ୟ ପାରିଲା ନାହିଁ । ସେ ଚୁପ୍ଚାପ୍ ସେଠୁ ଉଠିଯାଇଥିଲା । ଗଲାବେଳେ ମଧ୍ୟ ସେ ଛାଡ଼ିନଥିଲେ କହିବାକୁ –
– ହଁ ବା, ତୁମେ ତା’ ଆଗେ କହିଲେ ଏ ସବୁ ମୋ\’ର କିଛି ହେବନି । ମୁଁ ତ ବୁଢ଼ୀ ହେଲିଣି… ତା’ ସଂସାର ତା’ର… ମୋ’ର ସେଥିରେ ଅଛି କ’ଣ!
ଯିଏ ଯାହାକୁ ରସିଲା ନା’ କିଆ-ଫୁଲ ପରି ବାସିଲା!! ପୁଅଟା ଦେହ ଭଲ ରହୁନି, ମା’ମନଟା ନା ଭଲ ରହୁନି!! ହଉ ପୁଅ ଚା’ ଟୋପେ ପିଇକି ଯା??… ଈଶ୍ୱର ବାହାରି ଆସୁଥିଲା ବେଳେ, ଏପରି ଭାବପରିବର୍ତ୍ତନକୁ ଦେକି ଆଚମ୍ବିତ ହୋଇ ପଡ଼ିଲା । କେମିତି ଚଳୁଥିବ ମାଓଲି । ପ୍ରତି ଦୁଇ ମିନିଟ୍ରେ ଭାବପରିବର୍ତ୍ତନ ସତରେ ଝିଅମାନଙ୍କ ଜୀବନ ଚାଲେଞ୍ଜ ଠାରୁ କମ୍ ନୁହେଁ । ସେହି ମୁହୂର୍ତ୍ତରେ ମାଓଲି ସହନଶୀଳତା ପାଇଁ ଆହୁରି ତା’ ପ୍ରତି ସମ୍ମାନ ବଢ଼ିଯାଇଥିଲା ଈଶ୍ୱର । ଈଶ୍ୱର ରୁଚିବୋଧ ଉପରେ ଗର୍ବ ଆସୁଥିଲା ।
କ୍ରମଶଃ..
Comments are closed.