Latest Odisha News

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୮)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’

ମନେ ପଡ଼ିଗଲା ସୀପ୍ରା! ଯେ କାନ୍ଦୁଥିଲା, ଭାଇ ହିଁ ତା’ର ଏକମାତ୍ର ପ୍ରାଣୀ ଯେ ତା’ର ଖୁବ୍ ନିବିଡ଼ ଥିଲା । କଥାକଥାକେ ଭାଇ । ସବୁ କଥା ଭାଇସହ ବାଣ୍ଟିପାରେ । ବଡ଼ ଆତୁର ଦିଶୁଥିଲା । କାନ୍ଦୁଥିବ.. ଖାଉନଥିବ ହୁଏତ… । ସେ ତାକୁ ଅପେକ୍ଷାକରେ, ଅନ୍ୟମାନେ ଶୋଇବାବେଳେ । ସେ ଥାଏ ଭାଇ ଅପେକ୍ଷାରେ । ଖାଇବା ବେଳେ ତା’ ମାଛରୁ ଟିକେ ପାଟିରେ ପକାଇବ, ଡାଲି ଟିକେ ଚାଖିଦେବ ଗପିବ । ତା\’ର ଅଜସ୍ର ଗପ ମଧ୍ୟ ଶୁଣିବ ବିନା ଦ୍ୱିଧାରେ ।

ଢେର୍ ଭଲ ପଡ଼େ, ଭଲ ଗୀତଗାଏ, ମାତ୍ର ରକ୍ଷଣଶୀଳ ମନୋବୃତ୍ତିରୁ ସେ ମଧ୍ୟ ଆଗକୁ ଯାଇ ପାରିଲା ନାହିଁ ।

ଈଶ୍ୱର କାନ୍ଦିଥିଲା ତଳକୁ ମୁହଁ ପୋତି । ଲୁହପୋଛି ଆସିଲା ରିକ୍ସା ଖୋଜିବାକୁ । ମାତ୍ର ଠିକଣା…?? କୁଆଡ଼େ ଯିବ । ରିକ୍ସା ପାଖରେ ଠିଆହୋଇ
ଭାବିଲା- କ’ଣ କରିବ ସେ । ଭାରି ଅସହାୟ ବୋଧକଲା । ସେଦିନ ଯିଏ ବିନା ଦ୍ୱିଧାରେ ଠିକଣାହୀନ ଲୋକକୁ ଠିକଣା ଦେବାରେ ବିନାପଇସାରେ ସାହାଯ୍ୟ କରିଥିଲା ସେ ହିଁ ଥିଲା ନିଗୁ । ଈଶ୍ୱର ତାକୁ ସାଙ୍ଗରେ ନେଇକି ଯାଇଥିଲା ସେ ଘରଟିକୁ ଯେଉଁଠି ଟିକକ ଆଗରୁ ସେ ଭୟରେ ଧାଇଁ ପଳାଇ ଆସିଥିଲା ବାହାରକୁ । ମାତ୍ର ସେମାନେ ସେ ଠିକଣାର କୌଣସି ଲୋକକୁ ଭେଟିପାରି ନଥିଲେ । ଈଶ୍ୱର ଟିକେ କାତର ହେଲା ନିଗୁ ସହ । ତା’ ବୟସର ସେ ମଧ୍ୟ । ତା’ର ଦୁଃଖକୁ ଠିକ୍‌ ବୁଝିପାରୁଥିଲା ବୋଧହୁଏ । ଈଶ୍ୱର କାନ୍ଦ କାନ୍ଦ ହୋଇଯାଉଥିବା ଦେଖି ନିଗୁ ସାମର୍ଥ ଦେବାକୁ ଯାଇ କହିଲା –

– ହେଇଟି ବାବୁ! ଏଇଟା ସହର । କେତେ ଘର… କେତେ ନାଁ… ଗୋଟେ କାମ କର ତୁମେ । ଆଜି ରାତିଟା ଏଇଠି ୱଟିଙ୍ଗ ରୁମ୍‌ରେ ରହିଯାଅ ।
କାଲିକୁ ପୁଣି ଦେଖିବା, ବୁଝିବା । ମୁଁ ତୋ’ ପାଇଁ ଘର ଖୋଜିଦେବି । କେତେ ଟଙ୍କା ଦେବ ??

ବୋକା ପାଲଟି ଯାଇଥିଲା ଈଶ୍ୱର । ଯେମିତି ତା’ର ସବୁ ବୁଦ୍ଧିବୃତ୍ତି ସବୁ ହଜିଯାଇଥିଲା । ରିକ୍ସାରୁ ଓହ୍ଲାଇ ଦଶଟଙ୍କା ଯାଚିଥିଲା । ମାତ୍ର ନିଗୁ ମ୍ଳାନ ହସ ହସିଥିଲା । “ଠିକ୍ ଅଛି ଥାଉ, ବାକି ରହିଲା ପରେ ଦେବ”…

ଈଶ୍ୱର ବିକଳ ହୋଇ କହିଥିଲା – “ମୋ’ ପାଖରେ ମାତ୍ର ଦେଢ଼ଶ ଟଙ୍କା ଥିଲା । ଏବେ କିନ୍ତୁ ନାହିଁ ଦଶଟଙ୍କା ଛଡ଼ା… ।” ପ୍ରତ୍ୟୟର ସହ ନିଗୁ ତାକୁ ଆଉଁସି ଦେବା ଢଙ୍ଗରେ କହିଥିଲା –

– ହଉ ଯାଅ!! ବିଶ୍ରାମ ନିଅ । କାଲିକି ଦେଖିବା… ଆମେ ମଣିଷ ଅଛି ନାହିଁ ତ ଲାଗିଛି ସବୁବେଳେ । ବିଶ୍ୱାସ ବଡ଼କଥା… ନୁହେଁ… ତୁମେ କ’ଣ ମୋ’ ଭାଇ କି ସାଙ୍ଗ ନୁହେଁ… ।

ଠିକ୍ ସେଇ ମୁହୂର୍ତ୍ତରୁ ଈଶ୍ୱର ପାଇଁ ପାଲଟି ଯାଇଥିଲା ନିଗୁ ତଥାସ୍ତୁ ଈଶ୍ୱର । ତା’ର ଖୁବ୍ ଭଲ ସାଙ୍ଗ । ବନ୍ଧୁ ଏମିତି ହିଁ ହୁଏ ତା\’ର ଉଦାହରଣ ହୋଇ ଯାଇଥିଲା ଈଶ୍ୱର ଓ ନିଗୁର ବନ୍ଧୁତ୍ୱ । ଈଶ୍ୱର ତା’ର ବ୍ୟାଗ ଉଠାଇ ପହଞ୍ଚାଇ ଥିଲା ରେଲବାଇ ବିଶ୍ରାମ କକ୍ଷରେ । ସେଠି ଗୋଟେ କୋଣରେ ପଡ଼ିଥିବା ବେଞ୍ଚକୁ ଝାଡ଼ିଲା ଓ ସେଇଠି ବସି ସବୁକଥା ପୁଣି ମନେପକାଇଲା । ପେଟର ଥିଲା ପ୍ରଚୁର ଭୋକ ଯାହା ତାକୁ ପାଗଳ କରିଦେଇଥିଲା । ସେ ଦିନତମାମରେ ଭଲକରି ମୁଠାଏ ଖାଇନଥିଲା ।

ପ୍ରଥମ କରି ମୁଠାଏ ପେଟଭର୍ତ୍ତି ଖାଇବାର ଅନୁଭବକୁ ଢେର ବୁଝିପାରୁଥିଲା । ବ୍ୟାଗରୁ ପ୍ଲାଷ୍ଟିକ୍ ବୋତଲ କାଢ଼ି ପାଣି ପିଇଥିଲା । ସେ ପେଟର ଭୋକ ଭୁଲିବାକୁ ଅନାଇଲା ଚାରିଆଡ଼େ ପ୍ରକୃତରେ ବିରାଟ ବିରାଟ କୋଠା ଓ ଗାଡ଼ିମଟର ଥିଲା ସହରରେ ପ୍ରଚୁର । ଯାହା କେବେ ଆଗରୁ ସେ ଦେଖିନଥିଲା । ଛୋଟା ତା’ର ବେକ ପାଖରୁ କାଢ଼ିଥିଲା ଜବାମାଳ ଭରା ତା’ର ଆସ୍ଥାନ । ଝାଲମୁଢ଼ି ଓ ବାରମଜାରୁ ପରିତ୍ୟକ୍ତ ଦୁଇଟା ପୁଡ଼ିଆ ତିଆରି କଲା, ଗୋଟେ ଈଶ୍ୱର ଆଡ଼କୁ ବଢ଼ାଇ ଆରଟିକୁ ନିଜେ ଖାଇଲା । ତା ଆଡ଼କୁ ବଢ଼ାଇ ଦେଉଦେଉ ପଚାରିଲା ଚିହ୍ନା ଆମାୟିକ କଣ୍ଠରେ – ତୁ କ’ଣ ଖାଇଚୁ??

ଭାରି ଆଶ୍ଚର୍ଯ୍ୟ ହୋଇଥିଲା ଈଶ୍ୱର ଛୋଟାର ଏ ବ୍ୟବହାରରେ । ସେ ତାକୁ ଓଲଟା ପ୍ରଶ୍ନ କଲା – ତୋ\’ ନା’ କ’ଣ? ତୁ କ\’ଣ ମେତେ ଜାଣୁ??
ଆଗରୁ ଚିହ୍ନିଚୁ?

ଛୋଟା କହିଲା – ନାଁ!! ମୁଁ ସାଙ୍ଗ କରେ । ମୋ’ ସାଙ୍ଗ ହେବୁ?? ମୋ’ର କେହି ସାଙ୍ଗ ନାହିଁ । ମୁଁ ସାଙ୍ଗ ବନାଏ ଏଇ ଷ୍ଟେସନ୍‌ରେ ଅନେକ । କେହି ମନେରଖନ୍ତି ନାହିଁ ସବୁ ଭୁଲି ଯାଆନ୍ତି ପଳାନ୍ତି ମୋ’ଠୁ… ମୁଁ ଛୋଟାଟା ନା…!

– ଖାଉନୁ… ଖା’… ପଇସା ମାଗୁନିରେ… । ମୁଁ ସାଙ୍ଗ ବନାଉଚି ସାଙ୍ଗକୁ ପଇସା ମାଗେନି… ଆରେ ଦେବାକୁ ଆମେ ତମେ କିଏ ଦବାଲୋକ ତ ଉପରେ ବସିଛି… । ଆମେ ଖାଲି ମାଧ୍ୟମ… ବିନ୍‌ଦାସ୍ ଖା’… ଆଉ ଇଚ୍ଛା ହେଲେ କହିବୁ… । ମୁଁ ଯାହା ବଳେ ଏମିତି ଖାଏ ଆଉ ଖୁଆଏ । ଭଲ ଲାଗେ ମତେ… ।

ପ୍ରଥମକରି ଗୋଟେ ହୃଦୟବାନ ମଣିଷଙ୍କୁ ଭେଟୁଥିଲା ଈଶ୍ୱର । ଯାହା ପାଇଁ ପଇସା ବଡ଼ ନଥିଲା, ବରଂ ଆତ୍ମସନ୍ତୋଷର ଉପଲବ୍ଧି ବଡ଼ଥିଲା ।
ଛୋଟାର ସେଦିନର କଥା ମନରେ ଗାରଟାଣି ଦେଇଥିଲା । ଛୋଟା ପାଲଟି ଯାଇଥିଲା ତା’ର ବନ୍ଧୁ । ଛୋଟା ତା’ ସହ ଗପିଥିଲା ଅନେକ, ତାକୁ ସେଇଠୁ ନେଇଥିଲା ତା’ର ଘର । ସେଦିନ ରାତି ଯେମିତି ଖୁବ୍ ବଢ଼ିଯାଇଥିଲା ଦୁହିଁଙ୍କ ପାଇଁ । ସେ ଟ୍ରଙ୍କ ଖୋଲି ତା’ର ରଙ୍ଗ ଛାଡ଼ି ଆସୁଥିବା ସାଲ୍‌କୁ ଦେଇଥିଲା ଘୋଡ଼େଇ ହେବାପାଇଁ ଈଶ୍ୱରକୁ । ମଶାଙ୍କ ଗହଳରେ ସେ ଜାକିଜୁକି ହୋଇ ଶୋଇଥିଲା ଛୋଟାର ତାଟିଦିଆ ସେ ବଖରାରେ । ଯେଉଁଠି ନଳାପାଣିର ଯିବାର ଶବ୍ଦ ଖୁବ୍ ଜୋର୍‌ରେ ଶୁଭୁଥିଲା । ଢ଼େର ରାତି ଯାଏ ତା’ର ନିଦ ବାରବାର ଭାଙ୍ଗୁଥିଲା । ତା’ର ଦେହହାତ ସବୁ ଥରୁଥିଲା, ଟ୍ରେନ୍‌ର ଘୁଘୁ ଘର୍‌ଘର୍ ଶବ୍ଦ ସତେକି ଥରେଇ ଦେଉଥିଲା ମାଟିପୁଳାକ ସହ ତା’ର ପରିଧି ମଧ୍ୟ ।

କ୍ରମଶଃ

Comments are closed.