Latest Odisha News

BREAKING NEWS

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ (୯)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’

ମାଓଲି ବସିଥିଲା ତାଙ୍କ ବସ୍ତିର ଅଗଣା ଆଗରେ । ଆକାଶରେ କେତେ ଚଢ଼େଇ… । କେଇଟା କାଉ ତାଙ୍କ ଘର ଆଗ ଦେଇ ଟଣାଯାଇଥିବା ଟିଣର ଛପର ଉପରେ ବସି ବୋବୋଉ ଥିଲେ ଅତି କର୍କଷ ଭାବରେ ।

ଗାଲରେ ହାତଦେଇ କଣ୍ଢେଇ ସହ ଖେଳୁଛି ତା’ର ସାନ ଭଉଣୀ । କହରା ବାଳକେରାକ ଉଲୁରି ପଡ଼ିଥିଲା ଆଖି ଉପରେ । ବେଶ୍ ସୁନ୍ଦର ଲାଗେ ତା’ଭଉଣୀ । ଏବେ ଜୀବନ କହିଲେ ସେ ଆଉ ତା’ର ବାକି ଦିଭଉଣୀ ହିଁ ତା\’ର ପରିଚୟ । ନା ସାଙ୍ଗ ନା ସାଥୀ ଜୀବନ କିନ୍ତୁ ଚାଲେ ଜିଇଁବା ପାଇଁ । ଜୀବନରେ ବଞ୍ଚି ରହିବାର ସତ୍ୟ ତା’ଠାରୁ ଅଧିକ କିଏ ବୁଝିବ । ଆଖି ସାମ୍ନାରେ ଦିନକେଇଟାରେ ବାପା, ତା’ ପଛକୁ ମା’… ବୁଝିବା ଆଗରୁ ସବୁ ସରିଗଲା । ଅସହାୟ, ଯନ୍ତ୍ରଣା, ଆତୁର କାନ୍ଦଣା କିଛି ମଧ୍ୟ ଉପରେ ବସିଥିବା ଈଶ୍ୱରଙ୍କୁ ଚହଲାଇ ପାରିନଥିଲା । ଯାହା ଜୀବନରେ ଭୋଗିବାକୁ ଥିଲା, ସେମାନେ ଭୋଗୁଥିଲେ ଅତି ନିର୍ମମ ଭାବରେ ।

– “ମାଓଲି… ଏ ପୋଡ଼ାମୁହୀଁ… କୁଆଡ଼େ ଗଲୁବା… ଆସିକି ବାରଟା ହେଲାଣି… ମାଓଲି… ଏ… ମା… ଓଲୀ”… ରଡ଼ିକରି ମାଓଲିର ବଡ଼ଭଉଣୀ ଚିତ୍କାର କଲାପ୍ରାୟେ ଡାକ ଦେଉଥିଲା । ହାତରେ ଥିଲା ତା’ର ଶାଗ ପାଛିଆ ।
ମାଓଲି ତା’ର ସାନଭଉଣୀ ମୁଣ୍ଡରେ ତେଲ ଦେଉଥିଲା ।

– କହରା ହୋଇଗଲାଣି… ଦେଖତ… ତୁ ତେଲ କିଆଁ ଦଉନୁ କିଲୋ? ତେଲ ହାତକୁ ତା’ର ସାନଭଉଣୀ କପାଳରେ ଘସୁଘସୁ ମାଓଲି ଉତ୍ତର ଫେରାଇଲା – ‘ଓ’… ଯାଉଚି… ଯାଉଚି… ସେ ତେଲ ହାତରେ ଠେଲିଦେଲା ତା’ ଆଡ଼କୁ ଆଉଜେଇ ବସିଥିବା ସାନଭଉଣୀକୁ । “ଯାବା… ଟିକେ ମୋ’ ଘରମଣିକୁ ଦେଖିଆ… ଘରମଣି ଖାଇଚିକିନା…”

ମାଓଲିର ଥିଲା ପଲେ ଛେଳି, ତା’ ଭିତରେ କଳାମଚ୍‌ମଚ୍ ଚିକ୍କଣ୍ ଦେହ ଥିବା ଛେଳିର ମୁଣ୍ଡରେ ଚାନ୍ଦ ଥିଲା ଧଳାରଂଗର । ସେହିଁ ଥିଲା ମାଓଲିର ‘ଘରମଣି’!! ତାକୁ ଛାତିରେ ଜାକିଧରେ, ଗେହ୍ଲାକରେ… । ତା’ଠାରେ ତା\’ର ପ୍ରାଣବସିଥାଏ । ପଣସ, ବରଗଛପତ୍ରକୁ ଆଣି ଖୁଆଏ ତା’ର ଘରମଣିକୁ ।

ଘରମଣି ତା’ ପାଖ ଛାଡ଼େ ନାହିଁ । ଜାକି ହୋଇଯାଏ ତା\’ ପାଖକୁ ଯିବା ମାତ୍ରେ ।

ମାଓଲିର ବଡ଼ଭଉଣୀ ଫୁଲୁରୀ ନଇଁକି ତାଙ୍କ ଭଙ୍ଗା କୁଡ଼ିଆ ଭିତରେ କାଠ ସଜାଡ଼ି ରଖୁଛି । ତା\’ର ନଅମାସର ପୁଅ କାନ୍ଦୁଛି ରାହାଧରି । ଦୁଇଟି ବଖରା ସର୍ବମୋଟରେ । ଗୋଟିଏ ଶୋଇବା ବସିବାଘର, ଅପେକ୍ଷାକୃତ ଭାବେ ବଡ଼ ହେତୁ ସେଇଠି ଲାଗି ଲାଗି ପଡ଼ିଛି ଦୁଇଟା ଖଟ । ଆଳିମାଳିକା ହୋଇ ଓହଳିଛି, ରଖାଯାଇଛି ଗଦାଗଦା ଲୁଗାପଟା ବିଭିନ୍ନ ପଲିଥିନ୍ ଜରିରେ । କାନ୍ଥକଡ଼କୁ ଦୁଇଟା ପୁରୁଣା ଟ୍ରଙ୍କ । ତା’ ଭିତରେ ଯିବାଆସିବା ଲୁଗା କିଛି ସଭିଙ୍କର । ପୁରୁଣା ବର୍ଷର କ୍ୟାଲେଣ୍ଡର, ଛତା ଠାରୁ ଆରମ୍ଭକରି ଆହୁରି ଅନେକ ଅନେକ ଜିନିଷ ସବୁ ନଦିନାଦି ହୋଇ ଥିଲେ ସେଇ ବଖୁରି ଭିତରେ ।

ଫୁଲୁରୀ ପୁଅକୁ କାଖକୁ ନେବାବେଳେ କହିଉଠିଲା-

– ଖାଲି ଭୋକ୍ କରୁଛି… କି ପେଟ ପାଇଛି କେଜାନି… ପୁଅକୁ ଟେକି ଆଣି ଥନ ପୂରାଇଲା ପାଟିରେ । ମାଓଲି ଫେରି ଆସିଥିଲା ରୋଷେଇ ଶାଳାକୁ, କାଠ ଖଣ୍ଡେ ଚୁଲିକୁ ଠେଲି ଦେଲା । କାଠ ଜଳୁଛି କିରୋସିନି ପାଇ । ଗୁଣ୍ଡ କାଠ ଓ ପତ୍ରକୁ ଚୁଲି ମୁଣ୍ଡକୁ ଠେଲିଦେଇ ଅନେଇଲା । ସବୁ ଜଳିଯାଉଛି… ଜୀବନର ଅସରନ୍ତି ଘଟଣା ସ୍ମୃତି ପାଲଟି ଯାଉଛି ସମୟର ରଡ଼ନିଆଁ ଭିତରେ । ସମୟ ଧୋଇ ନେଉଛି ସବୁକିଛି… ବାପା ସହ ବୋଉ ଯିବା ବରଷେ ହୋଇଯିବ । ବାପା ସୁରାଟରୁ ଫେରିଲା ଦେହଖରାପ ନେଇ ତା’ର ଦିନ କେଇଟାରେ ଜଣାପଡ଼ିଲା ବାପାକୁ ଏଡ଼୍‌ସ୍‌… ତା’ପରେ ପରେ ମା’… । ଗାଁରେ ସବୁ ଏକଘରକିଆ କରିଦେଲେ । ଅସମ୍ଭବ ହତାଶରେ ଗାଁରୁ ବାହାରି ଆସିବାକୁ ବାଧ୍ୟ ହେଲେ । ଗାଁଘରକୁ ବିକ୍ରି କରିଦେଇ ମା\’ ଆସିଲା ଶାଗଦରରେ । କେତେ ଅସହାୟ ଦିଶୁଥିଲା ସେଦିନ ତା’ର ମୁହଁ ।
ଛିଣ୍ଡା କନ୍ଥା ଉପରେ ଚିତ୍ ହୋଇ ଶୋଇଛି ମୃତବତ୍ ଫୁଲୁରୀର ସ୍ୱାମୀ ଚକରା । ସଂଞ୍ଜ ନଇଁଲେ ସାଙ୍ଗମେଳରେ ହାଣ୍ଡିଆପିଏ । ଯଦି ହାଣ୍ଡିଆ ନମିଳିଲା ଜିଂଜର । କାହା ସହ କଳିଗୋଳ ନାହିଁ । ପିଇବତ ପୂରା ଶୋଇବ ମଲାପରି… ଦିନବାର, ଗୋଟେ ଯାଏ ଉଠିବ ନାହିଁ ଶେଜରୁ । ପଡ଼ିଥିବ କେଉ ରାସ୍ତାକଡ଼ ବରଗଛ ମୂଳେ, ନଇଲେ କେଉ ଚଉତରା ଉପରେ । ତାକୁ କେବେ କେବେ କିଏ ଆଣି ଛାଡ଼ିଦିଏ । ସକାଳୁ ସକାଳୁ ହାଉଳି ପଡ଼େ । ଯାବତୀୟ କାମ । ମାଓଲୀ ପବନ ହୋଇଯାଏ, ଝଡ଼ ପାଲଟି ଯାଏ । କାମ-କାମ-କାମ ଭିତରେ ନିଜକୁ ଭୁଲିଯାଏ ।

ତା’ ବଡ଼ଦିଦି କାମକୁ ଗଲେ ତା’ ପୁଅକୁ ରଖେ ସେ । ପୁଅକୁ ଖୁଏ, ରୋଷେଇ କରେ । ଟିଫିନ୍‌ରେ ପଖାଳ ଓ ଆଳୁସିଝା କଞ୍ଚାଲଙ୍କା ରଖେ । ଅଣ୍ଟାରେ ବିସ୍କୁଟ୍‌ ଗୁଞ୍ଜେ । ସାନଭଉଣୀକୁ ସ୍କୁଲ୍‌କୁ ପଠାଏ, ନିଜେ ମଧ୍ୟ ଅନେକବାର ଯାଏ ତା\’ର ଦିଦି ବଦଳିରେ କାମ କରିବାକୁ ବିଭିନ୍ନ ବଡ଼ବାବୁ ମାନଙ୍କର ବାସନ ଓ ଘରଓଳା ପୋଛା କରିବାକୁ । ଦିଦିର ପାଇଟିଞ୍ଚଘରକାମ ସାରି ଆସିବାକୁ ଲାଗିଯାଏ ଦିନ ବାର । ତା’ ପୁଅକୁ ତା’ ପାଖରେ ଛାଡ଼ି ତା’ପରେ ଯାଏ ତା’ର
ଛେଳିପଲଙ୍କୁ ନେଇ ନଳାଆଡ଼େ । ବୁଲାଏ, ଖୁଆଏ ଘାସପତ୍ର… ।

ମାଓଲି ତାଙ୍କ ବସ୍ତି ଆଗ ରାସ୍ତାରେ କାମକୁ ମଧ୍ୟ ଯାଏ ପୁଅକୁ ନେଇ । ସେଠି ଅନ୍ୟମାନେ ପାଳିକରି ଜଗନ୍ତି ପିଲାଙ୍କୁ । ରାସ୍ତାକାମରେ ଦିନକୁ ଦିନ ଫି ପଇସା… ଫୁଲୁରୀ କହେ – “ବାବୁଟା ଭାରି ଭଲ… । ନୁହେଁ କି?? କହେ ପୁଅ ପାଇଁ ସାର୍ଟ ନେ… ଦେଖ ଦେଇଚି ଏଇ ନାଲିରଂଗର ସାର୍ଟପେଣ୍ଟ୍ ପୁଅ ପାଇଁ, ନିକା ନୂଆ!

ମାଓଲି ଦେଖିଲା, ତାଙ୍କ ପୁଅ ପାଇଁ କାମ କରୁଥିବା ଠିକାଦାର ବାବୁର ସ୍ନେହପୂର୍ଣ୍ଣ ଜାମାଖଣ୍ଡକ । ଢ଼େରଦାମ୍ ହୋଇଥିବ ପରା । ମନେ ମନେ ମାଓଲି ଦୁଃଖ ପାଏ । ତା’ର ଭିଣେଇ ଓରଫ ଫୁଲୁରୀର ସ୍ୱାମୀ ଯାହା ପଇସା ପାଏ ଉଡ଼ାଇ ଦିଏ ମଦରେ । କିଛି କହିଲେ ପିଟିବ ଲୋକଙ୍କ ଆଗରେ । ଗାଳିଦେବ ଅସଭ୍ୟ ଭାଷାରେ ।

ମାଓଲି ଦିଦିର ପୁଅ ନାଁ ରେ ଖାତା ଖୋଲିଚି ଡାକରେ । ଦଶପଚାଶ ନେଇ ରଖେ ପୁଅ ଓ ତା\’ ନାଁରେ । ସେମାନଙ୍କ ଭବିଷ୍ୟ କଥା ଭାବେ । କ’ଣ ତା’ର ଭବିଷ୍ୟ । ବାପାମା’ ନାହିଁ, ଖଟିଲେ ଖାଇବେ । ପାଞ୍ଚଜଣ ହେଲେଣି ଆସେ କଉଠୁ । ମାସ ଶେଷ ଯାଏ ଦୋକାନରେ ବାକି କରିବାକୁ ପଡ଼େ । ସବୁଦିନ ଗାରୁଗାରୁ ହେଉଥିବା ମଙ୍ଗୁବୁଢ଼ା ସବା ଶେଷକୁ ଦିଏ ତା’ ସଉଦା । ତା’ର ପୁଅ ତାକୁ ଗେଲହୁଏ, ହାତ ଧରିପକାଏ କିମ୍ବା ଆଖିମାରିଦିଏ । ମାତ୍ର ଯେଉଁ
ଦିନଠାରୁ ଜାଣିଲାଣି ବାପାମା’ ମରିଛନ୍ତି ଏଡ଼୍‌ସ୍‌ରେ ତାକୁ ଛୁଏଁ ନାହିଁ । ଦୂରରୁ ଜିନିଷ ଥୋଇଦିଏ । ଯେମିତି ତାକୁ ଛୁଇଁ ଦେଲେ ସେ ମାରା ହୋଇଯିବ । ସେଇପାଇଁ ତାଙ୍କ ଘରୁ କେହି ପାଣିପିଅନ୍ତି ନାହିଁ । କିମ୍ବା କେହି ଆସନ୍ତି ନାହିଁ । ମାଓଲୀ କାମରେ ଗଲେ, ସଭିଏଁ ଆଡ଼ ଆଡ଼ ହୋଇ ରହନ୍ତି ଯାହା ଖାଇଯାଏ ତାକୁ । ଅନେକ ବାର ସେ କଥା ଲୁଚାନ୍ତି ସଭିଙ୍କୁ । କହନ୍ତି ବେମାର ହୋଇଥିଲା ମା\’ ମଲା । ମାତ୍ର ଏଇକଥା କେଇ ଜଣ ତ ଜାଣନ୍ତି । କିନ୍ତୁ ଶେଷଯାଏ ପ୍ରାୟ ତିନିଭଉଣୀ ଚେଷ୍ଟାକରନ୍ତି କାହାପାଖେ ନପହଞ୍ଚୁ ବୋଲି ।

– “ଆଲୋ ଫୁଲୁରୀ ତୋତେ ବାବୁ ଡାକିଛି… ଯା… ।”

– ଏଇ ସଞ୍ଜଟାରେ କାଇଁକି ବା?? କହୁ କହୁ ଘର ମୁହଁ ଫୁଲୁରୀ ପୁଣି ବାଟଭାଙ୍ଗି ଗଲା ବାବୁ ରହୁଥିବା ବଖରାକୁ । ଗୋଟେ ଅସ୍ଥାୟୀ ଠିକଣାରେ ସେମାନେ । ଅଧାଗଢ଼ା ଘର ଭିତରେ ବାବୁ! ଠିକାଦାରର ଯାହାକୁ ସେମାନେ ଜାଣନ୍ତି କାମ କଲାପରେ ଯେ ପଇସା ଦିଏ ଚୌକିରେ ବସି । ବାବୁ ମୁଣ୍ଡରେ ହାତ ଦେଇ ବସିଛି । ଚିନ୍ତିତ ଜଣାପଡ଼ୁଛି…
– କି ହୋଉଚି ବାବୁ??
– ତୋ’ ପୁଅ ଦେହ ଭଲ ଅଛିଟି?? କାନ୍ଧରେ କାହିଁକି ଏମିତି ପଡ଼ିଛି ତୋ’ର? ଓଲଟା ପ୍ରଶ୍ନ କଲା ଠିକାଦାର ବିସ୍ମିତ ଭାବରେ । ଠିକ୍ ସେଇ ବେଳକୁ ପୁଅଟା ତା’ର କାନ୍ଦିଉଠିଲା ଭେଁ… ଭେଁ କରି । ପୁଅକୁ ବୋଧ କରିବାକୁ ଯାଇ ଫୁଲୁରୀ ପୁଅକୁ କାନ୍ଧରୁ ଓହ୍ଲାଇ କୋଳକୁ ନେଲା, ତଳେ ବସିପଡ଼ି ପୁଅକୁ ଥନ ଦେଲା । ନିଜର ବା’ହାତରେ ବ୍ଲାଉଜର ବୋତାମ ଖୋଲି ଅଧା ମୁକୁଳିତ ସ୍ତନ ଦୃଶ୍ୟମାନ ହେଉଥିଲା । ଫୁଲିରି ପୁଣିଥରେ ପଚାରିଲା ବାବୁକୁ – “କାଇଁ ଡାକିଥିଲ ବାବୁ?? କି କାମ୍ ଥିଲା କି??

– କ’ଣ ହୋଇଚି ତା’ର?? ଏମିତି କାନ୍ଦୁଛି କିଆଁ??
– ନାଇମ ବାବୁ ତା’ ଦେହଟିକେ ଭଲ ନାଇ । ଥଣ୍ଡାଜର! ହେଲେ କାମ ନକଲେ କିଏ ଖାଇବାକୁ ଦେବ ବାବୁ… ।
– ଔଷଧ ଦେଇନୁ?
– ନା’ବାବୁ, ତୁଟୁକା ଦେଇଛି, ତେଲ ଘସିଛି…
– ଏଇନେ ପଚାଶ ଟଙ୍କା ଔଷଧ ଦବୁ ତାକୁ । ତୋ’ ସ୍ୱାମୀ କ\’ଣ ପଇସା ଦିଏନି ତତେ??
– ନାଇ ବାବୁ!! ମଦରୁ ବଳିତ । ନିଶାପାଣି ଆଗ । ଯାହା ପାଏ ଉଡ଼ାଇ ଦିଏ ସେଇ ପାଇଁ ତ ବାବୁ କାମ କରିବାକୁ ପଡ଼ୁଛି ମତେ । ମୋ’ ସହ ମୋ’ ଭଉଣୀମାନେ ବି ତ ରହନ୍ତି ନା ବାବୁ । ସେମାନଙ୍କୁ ମଧ୍ୟ ଦେଖିବାକୁ ପଡ଼େ ।
– ହଁ… ହଁ… ଜାଣେ ସବୁ । କିନ୍ତୁ ତୁ ଭିନ୍ନ । ତୋ’ ସାନଭଉଣୀ ପରି ନୁହେଁ । ସେତ ଚଣ୍ଡିଟା!!
ହଁ ହି ହସିଲା ବାବୁ କଥାରେ ଫୁଲୁରୀ । “ନାଇ ବାବୁ ସେ ଖୁବ୍ ଭଲଟା!!”
– କେତେ ଦିନ ହେଲା ଜର?? କଥା ବଦଳାଇବାକୁ କହିଲା ଠିକାଦାର । ହାତରେ ଥିଲା ସିଗାରେଟ୍‌, ଯାହା ଅନ୍ଧାର ଭିତରେ ଦିକ୍ ଦିକ୍ କରି ଜଳୁଥିଲା ନିଜର ଅସ୍ତିତ୍ୱକୁ ଜାହିର୍ କରି ।

– ଆମ ପିଲାଙ୍କୁ ପ୍ରାୟ ଏମିତି ଥଣ୍ଡାକାଶ ଲାଗିକିଥାଏ ବାବୁ । ଛୋଟ ବିମାର୍‌ରେ କ’ଣ ଡାକ୍ତର ଯିବୁ । ଔଷଧ ଦୌକାନକୁ ନେଇ ଆସୁ । ଆମକୁ
ପଇସା ନିଅଣ୍ଟ ସବୁବେଳେ । ହେଲେ ଆମ ପଖାଳପାଣିରେ ଖୁବ୍ ଦମ୍ ଅଛି ବାବୁ । ଆମେ ବଡ଼ରୋଗ ଭୋଗୁନା’ ।
ହସିଲା ଠିକାଦାର ଫୁଲୁରୀର ଉତ୍ତରରେ ।

– ହଁ ତୋ’ ପଖାଳ ଖୁବ୍ ମିଠା ଠିକ୍ ତୋ’ପରି… ଦେବୁ ମୋତେ??
ଟିକେ ଲାଜେଇ ଗଲା ଅବୁଝା ଢଙ୍ଗରେ ଫୁଲୁରୀ ।
– ହଁ ବାବୁ!! ତମେ ଖାଇବ ଆମ ଘରେ?? ମୁଁ ମାଛଭଜା ପଖାଳ ଦେବି । ଆମ୍ବୁଲ ଚକଟା ଦେବି… ଆସ । ଆମ କପାଳ ଖରାପ ବୋଲି ସିନା ଆମେ
ଏଠି । ମରୁଡ଼ିପଡ଼ିଲା ବାବୁ ଦିସନ’ । ସେଇ ନାଗି ଆମେ ପଳାଇ ଆସିଲୁ ଏଠିକି ନଇଲେ ଆମେ କାମ କରୁନା ଏମିତି…!!
ନିରିହ ଫୁଲୁରୀର ଗପ ଲମ୍ବିଯାଏ ନଦୀର ସ୍ରୋତପରି । କେତେ କଥା, କେତେ ବ୍ୟଥା.. କେତେ ଅଭିମାନ… ଅଭିଯୋଗ ସ୍ୱପ୍ନ ଅସୁମାରୀକୁ ପଢ଼ିପାରୁଥିଲା ଠିକାଦାର ନିରିହ ଫୁଲୁରୀ ଆଖିରୁ ।

କ୍ରମଶଃ….

Leave A Reply

Your email address will not be published.