Latest Odisha News

ଭାଷା ଭାଗବତ : ବସ୍ତୁ ହିଁ ବାସ୍ତବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୦ 

ଅମୂଳକ ଆବେଗଧାରୀ
ଅଧିକାଂଶ ଲୋକ ଆମରି
ଭାଗ୍ୟାଧୀନ ହୋଇ ଚଳଂତି
କେବଳ ଅତୀତ ଦେଖଂତି

ଯାହା ଏଠି ଯାଇଛି ବିତି
ତାହା ଏହି ଜାତିର ଖ୍ୟାତି
ବଂଧନରୁ ସ୍ବେଚ୍ଛାରେ ମୁକ୍ତି
ଲୋଡ଼େନାହିଁ ଏଠାରେ ବ୍ୟକ୍ତି

ସୀମାୟତ୍ତ ହୋଇ ଆନଂଦ
ପାଇବା ଲୋକଂକ ପସଂଦ
ହେଉ ଭଲ ଅଥବା ମଂଦ
ମନ ମଧ୍ୟେ ନ ଥାଏ ଦ୍ବଂଦ୍ବ

ଦୁଃଖ, କଷ୍ଟ , ପୀଡ଼ା, ଅଭାବ
ଭଳି ଅନୁଭବ ପ୍ରଭାବ
ଫଳେ ବଦଳେନି ସ୍ବଭାବ
ଏଥିରେ ଜାତିର ଗୌରବ

ନିଜ ଭାଷା ହେଲେ ବିଲୀନ
ବିଚଳିତ ହୁଏନି ମନ
ନିର୍ଲିପ୍ତ ଜୀବନ ଯାପନ
କରିବାରେ ରହଂତି ମଗ୍ନ

ବାରଂବାର ଗୋଟିଏ ପଦ
ଗାଇଲେ ପାଆଂତି ଆନଂଦ
ଆସୁ ଯେତେ ବିଘ୍ନ, ବିପଦ
ମନକୁ ଛୁଏଁନି ବିଷାଦ

ଏପରି ମନୋଭାବ ଧରି
ସଂସାର ପାରେ ଯେ ସଂତରି
ସେ ନିଶ୍ଚେ ଅଟେ ଆତ୍ମଲୀନ
ସ୍ବଚ୍ଛଂଦେ ବିତାଏ ଜୀବନ

ବସ୍ତୁକୁ ମଣେ ଯେ ବାସ୍ତବ
ତୁଂଡରୁ ଉଚ୍ଚାରିତ ସ୍ତବ
କରେ ତାହାକୁ ଆସ୍ଥାଶାଳୀ
ସଂସାରେ ସୁଖେ ପାରେ ଚଳି

ଏପରି ଲୋକଂକର ଭାଷା
ସଂଚାର କରେନି ଭରସା
କେବଳ ଆତ୍ମ ସମର୍ପଣ
ଆଡ଼କୁ ଯାଏ ଲୋକ ମନ

 

Comments are closed.