Latest Odisha News

ଭାଷା ଭାଗବତ : ପୁରୁଣା ଖସେ, ନୂଆ ଆସେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୨ 

ଯାହା ଅଧିକ ଶ୍ରମସାଧ୍ୟ
ତାହା କରିବା ପାଇଁ ବାଧ୍ୟ
ହୋଇଲେ ପରିଶ୍ରମୀ ଜନ
କରେ ନୂତନ ଉଦ୍‌ଭାବନ

ପୁରୁଣା ଖସେ, ନୂଆ ଆସେ
ଲୋକଂକ ସୁବିଧା ସକାଶେ
ଏ ଧାରା ହେଲେ ପ୍ରସାରିତ
କରଇ ସର୍ବଜନହିତ

ଭାଷାରେ ସୁଦ୍ଧା ଏହି ନୀତି
ଚଳୁଛି ସଭିଏଁ ଜାଣଂତି
ତଥାପି ପରଂପରାବାଦୀ
ସାଜଂତି ବୃଥା ପ୍ରତିବାଦୀ

ବ୍ୟକ୍ତିନିର୍ଭର ହୋଇ ଭାଷା
ବଢ଼ାଇଥାଏ ଦୃଢ଼ ଆଶା
ଜ୍ଞାନରୁ ତୁଟିଲେ ଭରସା
ପାଖକୁ ଆସେନି ସୁଦଶା

କାଳ ସହିତ ଦେଇ ତାଳ
ଆଗେଇ ପାଉଁ ଶୁଭଫଳ
ତେବେ ବି ଅଯଥା ସଂଦେହ
କରିବା ଅଟେ ଭୟାବହ

ବିକାଶ ପଥେ ଖଂଜି ବାଧା
ଯେ କରେ ସବୁ ଅସୁବିଧା
ତାହାର ବାଧାକୁ ଲଂଘନ
କରଂତି ନିଷ୍ଠାପର ଜନ

ଗଚ୍ଛିତ ତାଳପତ୍ର ପୋଥି
ମୁଦ୍ରିତ କାଗଜ ସଂପତ୍ତି
ଆଡ଼କୁ ଯାଉନାହିଁ ମତି
ଏହା ହିଁ ଭାଷାର ପ୍ରକୃତି

ବଦଳେ ଲିପିର ଆଧାର
ତାହାକୁ କରିଲେ ଆଦର
ହୁଏନି ଲିପିର ନିଧନ
ଘଟେନି ଭାଷା ଅବସାନ

ଚଳିତ କାଳ ଉପଯୋଗୀ
ହେବା ନିମଂତେ ସହଯୋଗୀ
ହେଲେ ହିଁ ତିଷ୍ଠିବ ସ୍ବଭାଷା
ଯଂତ୍ରକୁ କରିବ ଭରସା

ଅଧିକ ହେଲେ ଯଂତ୍ରାୟନ
ସମସ୍ୟା ହେବ ସମାଧାନ
ମିଳିବ ବହୁବିଧ ସୁଖ
କିପାଇଁ ହୋଇବା ବିମୁଖ ?

 

Comments are closed.