Latest Odisha News

ଭାଷା ଭାଗବତ : ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସାୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୦ 

କେବଳ ଧନାର୍ଜନ ପାଇଁ
ସିଧାକୁ ବଂକା ଯେ କରଇ
ସରଳ ବିଷୟ ଜଟିଳ
ଅଟେ ତା’ର ବେପାରୀ ଖେଳ

ତାହାର ମନେ ଥାଏ ଶଂକା
ହୁଏତ କେବେ ବା ଅବିକା
ଧରାପଡ଼ିଲେ ତା’ର ଖେଳ
ସରଳ ହୋଇବ ସରଳ

ଯାହାର ଅଟେ ଯାହା ପେସା
ତହିଁରୁ ଟଂକା ଓ ପଇସା
ପାଇଲେ ହୁଅଇ ସଂତୁଷ୍ଟ
କରେନି ଅଳ୍ପ ଟିକେ କଷ୍ଟ

ଶିକ୍ଷା ଓ ସ୍ବାସ୍ଥ୍ୟ ଦୁଇ କ୍ଷେତ୍ର
ଏକଦା ଥିଲେ ହେଁ ପବିତ୍ର
ଏବେ ହେଲାଣି ବ୍ୟବସାୟ
ତେଣୁ ଘଟୁଛି ମାନ କ୍ଷୟ

ଅଧ୍ୟାପକ ଓ ଚିକିତ୍ସକ
ସ୍ବେଚ୍ଛାରେ ହୋଇ ନିର୍ବିବେକ
କେବଳ ଧନ ଉପାର୍ଜନ
ଆଡ଼କୁ ବଳାଇଲେ ମନ

ଶିକ୍ଷା ଓ ସ୍ବାସ୍ଥ୍ୟ ହେଲା ପଣ୍ୟ
ସେବା ତ ତୁଚ୍ଛ ଓ ନଗଣ୍ୟ
ଅନାବଶ୍ୟକ ଶବ୍ଦାବଳି
କହିଲେ ସବୁ ଯାଏ ଚଳି

ଭାଷାର ଏପରି ସ୍ଖଳନ
ଯୋଗୁଁ ବିଭ୍ରାଂତିଭରା ମନ
ଖୋଜି ପାଉନି ସମାଧାନ
ସମସ୍ୟା ହେଲା ବହୁଗୁଣ

ଭାଷାର କୁହୁକ ଲଗାଇ
ଶିଖିଲେ ସତ୍ୟକୁ ଲୁଚାଇ
ମିଳଇ ସଂପଦ ଓ ଧନ
କିଂତୁ ମିଳେନି ସମାଧାନ

ସମସ୍ୟା କଲେ ବିଶ୍ଳେଷଣ
କେବଳ ଉଚ୍ଚାରି ଭାଷଣ
ମିଳେନି ମୋଟେ ସମାଧାନ
ସମସ୍ୟା ହୁଏ ବର୍ଧମାନ

କରିଲେ ନିଷ୍ଠାଭରା କାମ
ମନକୁ ମିଳଇ ବିଶ୍ରାମ
ସୁସ୍ଥିର ଶାଂତ ଏକ ମନ
କାଢ଼େ ସମସ୍ୟା ସମାଧାନ

 

Comments are closed.