Latest Odisha News

ଭାଷା ଭାଗବତ : ପ୍ରସଂଗ ଆଲୋଚନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୧

ପ୍ରସଂଗ ହେଲେ ଆଲୋଚିତ
ଭାଷାଟେ ହୁଏନି ଉନ୍ନତ
ସମସ୍ୟା କଲେ ଉତ୍‌ଥାପନ
ଆପେ ମିଳେନି ସମାଧାନ

ଆମର ଆଲୋଚକଗଣ
ଅନେକ ପ୍ରବଂଧ ଲିଖନ
କରଂତି ସିନା ଘନଘନ
କିଛି ତ ଦିଶେନି ନୂତନ!

ପୁନର୍ଲିଖନକାରୀଗଣ
କରିଲେ ଚର୍ବିତ ଚର୍ବଣ
ବର୍ଧିତ ହୁଏ ନାମ ଯଶ
ଘଟେ ଭାଷାର ସତ୍ତାନାଶ

ଭୋଗି ଅସଂଖ୍ୟ ପ୍ରତାରଣା
ସ୍ବଭାଷା ଏବେ ବାଟବଣା
ଚାଲିଛି ତୁଚ୍ଛ ଆଲୋଚନା
ମିଳୁନି ନୂତନ ସର୍ଜନା

ଅତୀତ ସହ ହୋଇ ଛଂଦି
ବିଦ୍ବାନ୍‌କୁଳ ଯେଣୁ ବଂଦି
ଭବିଷ୍ୟତର କାର୍ଯକ୍ରମ
ନିମଂତେ ପ୍ରାୟତଃ ଅକ୍ଷମ

ନ ଥିଲେ ସମର୍ପଣ ଭାବ
କିପରି ଘୁଂଚିବ ଅଭାବ?
ବ୍ୟକ୍ତି ବଂଦନା କରି କରି
ସ୍ବଭାଷା ଯାଉଅଛି ସରି

ନିଜେ ତ ସାଜିଛୁଁ ବଇରୀ
କାହାକୁ କରିବା ଗୁହାରି?
ନିରବ ଭାଷାକର୍ମୀ କେହି
ଖୋଜିଲେ ସୁଦ୍ଧା ମିଳୁନାହିଁ

କର୍ମଠ ଜ୍ଞାନୀ ଭାଷାବିତ୍‌
ଏଠାରେ ଦିଶଂତି କ୍ବଚିତ୍‌
ଉଚିତ ହେଲାଣି ଉଚିତ୍‌
ସୁଶିକ୍ଷିତ ବି ସୁଶିକ୍ଷିତ୍‌

Comments are closed.