Latest Odisha News

ଭାଷା ଭାଗବତ : ମାଟିଲଗ୍ନ ଭାଷା ସୁସଂପନ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୨

ମାତୃଭାଷାକୁ ଭାବି ନ୍ୟୂନ
ନ କଲେ ପଠନ ଲିଖନ
କ’ଣ ହୁଏ ଯେ ଭାଷାବସ୍ଥା
ଦେଖିଲେ ବି ପଶେନି ଚେତା

ଉଦ୍ଧୃତ ବାଣୀର ମହତ୍ତ୍ୱ
ବୁଝି ପାରେନି ବ୍ୟକ୍ତି ଚିତ୍ତ
ସଂସର୍ଗ ହେଲେ ବ୍ୟକ୍ତିଗତ
ସର୍ବେ ହୁଅଂତି ଉପକୃତ

ପ୍ରତ୍ୟକ୍ଷ ଅନୁଭୂତି ବିନା
କେବଳ କରିଲେ କଳ୍ପନା
ମନରେ କରି ବାସ, ଗ୍ରାସ
ଲେଖକେ ପାଆଂତି ଉଲ୍ଲାସ

ଏପରି ମନୋଭାବ ପୋଷି
ଲେଖକମାନେ ଏଠି ଖୁସି
ନ ବୁଝି ସ୍ବଭାଷାର ସ୍ଥିତି
ଲୋଡ଼ଂତି ବିଶ୍ବବ୍ୟାପୀ ଖ୍ୟାତି

ନିଜ ମାଟିର ବାସ୍ତବତା
ନ ହେଲେ ଗଳ୍ପ ଓ କବିତା
ହରାଇଥାଏ ବିଶେଷତା
ଏହା ତ ଜଣାଶୁଣା କଥା

ରଚନା ହେଲେ ମାଟିଲଗ୍ନ
ଭାଷା ବି ହୁଏ ସୁସଂପନ୍ନ
ତେଣୁ କରିବା ବିତରଣ
ଅନୁଭୂତିରୁ ପ୍ରାପ୍ତ ଜ୍ଞାନ

ବ୍ୟକ୍ତିକୁ ବିଶ୍ବ ସହ ଯୋଡ଼ି
ଆକାଶେ ଭାଷା ପାରେ ଉଡ଼ି
ଥକିଲେ ପୁନଶ୍ଚ ବାହୁଡ଼ି
ନୀଡ଼ରେ ରହିଥାଏ ପଡ଼ି

ଆକାଶ ଯେଣୁ ପଥହୀନ
ନ ଦିଶେ କାହା ପାଦଚିହ୍ନ
ଆକାଶେ ନାହିଁ ଯେଣୁ ଘର
ମାଟିକୁ କରଇ ନିର୍ଭର

ମାଟିରେ କରି ବାସ, ଗ୍ରାସ
ଦେଖାଇ ନିଜସ୍ୱ ସାହସ
ମଣିଷ ମଧ୍ୟ ପକ୍ଷୀ ପରି
ହୁଅଇ ଗଗନ ସଂଚାରୀ

Leave A Reply

Your email address will not be published.