Latest Odisha News

BREAKING NEWS

କବିତା : ବାହୁଡ଼ି ଆସ

ବନ୍ଦନା ପଣ୍ଡା 

ସମସ୍ତେ କହୁଛନ୍ତି
ଆଜି ମୁଁ କୁଆଡ଼େ
ଅତି ମନଲୋଭା ଦିଶୁଛି
ମୁଖରେ ମୋ ଝଟକୁଛି
ଅସ୍ତରବି ଚନ୍ଦ୍ରମାର
ସ୍ୱର୍ଣ୍ଣ ନାଲି ଆଭା…

ପ୍ରଭୁ ମୋର!
ବାହୁଡ଼ି ଆସ ଦେଉଳକୁ ଆମ
ଦଶ ଦିନ କଣ କମ୍ ହେଲାଣି?
ରାତି ରାତି ଉଜାଗର ରହି
ସତରେ,
ଦଶଟା ଯୁଗ ବିତିଲାଣି…!

ତୁମେ ଯୁଆଡ଼େ ଗଲେ
ଲୀଳା ଲଗେଇଥାଅ
ମୁଁ ଏଠି ଏକୁଟିଆ
ମୋର ବା କିଏ ଅଛି କୁହ ଭଲା?

ମାନେନା ମୋ ବୋଲ ଆଜି ନୀଳଚକ୍ର ବାନା
ଶୁଭେନାହିଁ ହରିବୋଲ ହୁଳହୁଳି ସିନା
ଖାଁ ଖାଁ ଲାଗେ ଏତେ ବଡ ଶ୍ରୀମନ୍ଦିର
କାନେ ଖାଲି ବହୁଥାଏ ଅର୍ଦ୍ଧରାତ୍ରେ
ବିରହିଣୀ ବଇଁଶୀର ସୁର . . . . I

ମୁହଁ ଫେରି ଚାହିଁଲନି ଥରେ . . .
ଖୋଜୁ ଅଛି କାହିଁକି ଗୋ ପୁଣି ?
ଭାରି ଖୁସି ଦେଖାଅ ତ
ମାଉସୀଙ୍କ ଘରେ ସାଙ୍ଗେ ଧରି ଭାଇ ଓ ଭଉଣୀ ! !

ହୁସିଆରି ଥିବ !
ଥକି ଥିବ ଏତେଦିନ ନ ଶୋଇ ଶୋଇ. . .
ରଥ ଉପରେ ଏକାଦଶୀ
ଉପବାସେ କାଳେ ଯଦି ପଡ଼ିବ ଘୁମେଇ !

ଅଭିମାନୀ ମୁଁ ଏଠି ବସିଛି ଅନେଇ
ମାଟି ହାଣ୍ଡିରେ ମିଠା ଆଣିବ ପୁରେଇ
ଲାଜମୋର ରଖିବ ଗୋ ପ୍ରଭୁ
ମାନଭଞ୍ଜନ କରି ମୋତେ
ନେବ ଆପଣେଇ. . .
ସଡକହିବି?
କିଏ କହେ ମହାଦେଇ
କିଏ ଅନୁପୂର୍ଣ୍ଣା
ସମ୍ପୂର୍ଣ୍ଣା ମୁଁ ଶ୍ଵେତପଦ୍ମା ସିନ୍ଧୁ ରାଜଜେମା . . .
ହେଲେ ଦେବତା ଗୋ ମୋର !
ଏକା ଏକା ଝୁରି ହୁଏ ଖାଲି
ତୁମ ବିନା ଦେଉଳରେ
ଭଲ ଲାଗେନାହିଁ ଜମା!

ଲୁମ୍ବିନୀ ବିହାର
୯୪୩୭୪୨୮୬୪୯

Leave A Reply

Your email address will not be published.