Latest Odisha News

ଭାଷା ଭାଗବତ : ସ୍ମୃତିନିର୍ଭର ଭାଷାକର୍ମୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୨

ଏକାଂତବାସୀ ପଦ୍ୟକାର
ଲେଖୁଛିଁ ଭାବନା ନିଜର
ମିଳୁ ଆଦର, ଅନାଦର
କରୁଛିଁ ସବୁ ମୁଁ ସ୍ବୀକାର

ସ୍ବଭାଷା ସହ ହୋଇ ଯୁକ୍ତ
ହେଲିଣି ଯେତେ ଉପକୃତ
କରିନି ତାହାର କଳନା
କଥାରେ ବୋଳୁନି ଛଳନା

କଥିତ ଭାଷାକୁ ଗୁରୁତ୍ବ
ଦେଇ ମୁଁ ବୁଝିଛିଁ ମହତ୍ତ୍ୱ
ତହିଁର ଅକପଟ ଧାରା
ମୋ ପାଇଁ ଅମୂଲ୍ୟ ପସରା

ଭାଷାରେ ଥିଲେ ହେଁ ସାହିତ୍ୟ
ତହିଁରୁ ମିଳେନାହିଁ ସତ୍ୟ
କଳ୍ପନାଜାତ ଉପାଖ୍ୟାନ
ନୁହେ ମୋ ପାଇଁ ପ୍ରୟୋଜନ

ବାସ୍ତବ ଭାଷା କାନେ ଶୁଣି
ମନରେ ବାଛି ଆଉ ଛାଣି
କଲେ ଅଧିକ ବିଶ୍ଳେଷଣ
ପାଏଁ ମୁଁ ଶୁଦ୍ଧ ଭାଷାଜ୍ଞାନ

ସେ ଜ୍ଞାନ କରେଁ ବିତରଣ
ତାହା ପଢ଼ି ପାଠକଗଣ
କରିଲେ ସ୍ବମତ ପ୍ରଦାନ
କରୁଥାଏଁ ମୁଁ ସଂଶୋଧନ

ସିଧା ସରଳ ଭାଷା ଲେଖି
ପାରିଲେ ମାନ ହେବ ଟେକି
କରୁଛିଁ ଏହିପରି ଆଶା
ପୋଷୁଛିଁ ବିଶ୍ବାସ, ଭରସା

ସ୍ମୃତିନିର୍ଭର ଭାଷାକର୍ମୀ
ରୂପେ ମୁଁ ବହୁ ସ୍ଥାନ ଭ୍ରମି
ପାଇଛିଁ ଯେତେ ଯାହା ତଥ୍ଯ
ସେ ସବୁ ହୋଇଛି ମୋ କଥ୍ୟ

ସ୍ବଭାଷୀ ମୋର ପ୍ରିୟଜନ
କରଂତୁ କର୍ତବ୍ୟ ପାଳନ
ନ ହୋଇ ବେଶି ଗ୍ରଂଥାଶ୍ରୟୀ
ଲେଖଂତୁ ସ୍ମୃତିଧର ହୋଇ

Comments are closed.