ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୨୦
ବୁଝିବା ଶବ୍ଦର ଗଠନ
କିପରି ହୁଏ ସୂତ୍ରାଧୀନ
ଅଳପ ରଖିବା ସ୍ମରଣ
ବେଶି କରିବା ସଂଯୋଜନ
ଯୌଗିକ ଶବ୍ଦ ଶିଖି ଗଢ଼ି
ମନରୁ ଶବ୍ଦ ସବୁ କାଢ଼ି
କରିବା ସର୍ବେ ବ୍ୟବହାର
ବଢ଼ିବ ଦକ୍ଷତା ଆମର
ପୂର୍ବଗଠିତ ଶବ୍ଦ ଧରି
ପାରିବାନାହିଁ ବେଶି କରି
ସ୍ମରଣ ସହିତ ସର୍ଜନ
କରିବା, ଘଟିବ ଉତ୍ଥାନ
ବିଧାନ ପ୍ରଧାନ ସଂଧାନ
‘ ବି ପ୍ର ସଂ ‘ ସହ ମିଶି ‘ ଧାନ ‘
ତିନିଟି ଶବ୍ଦର ଗଠନ
ଏହି ସୂତ୍ରକୁ ଦେଉଁ ଧ୍ୟାନ
ବିଚାର ପ୍ରଚାର ସଂଚାର
ସବୁ ଶବ୍ଦରେ ଅଛି ‘ ଚାର ‘
ବିଚିତ୍ର ଭୂଚିତ୍ର ସଚିତ୍ର
ପ୍ରତି ଶବ୍ଦରେ ଦିଶେ ‘ ଚିତ୍ର ‘
ଏହା ହିଁ ମୂଳ ଶବ୍ଦସୂତ୍ର
ଦୁଇଟି ହୁଅଂତି ଏକତ୍ର
ଅନ୍ୟତ୍ର ବହୁତ୍ର ସର୍ବତ୍ର
ଶବ୍ଦର ଶେଷ ଧ୍ବନି ‘ ତ୍ର ‘
ଆମ ଶବ୍ଦର ଶେଷାକ୍ଷର
କରେ ଶବ୍ଦକୁ ମନୋହର
ଏହାର ସାଂଗୀତିକ ଗୁଣ
ସମଧ୍ବନିରେ ପରିପୂର୍ଣ
ଭାଷୀଏ ଏହି ସୂତ୍ର ଧରି
ହୁଅଂତୁ ଶବ୍ଦ ଅଧିକାରୀ
କରଂତୁ ଭାବନା ପ୍ରକାଶ
ଘଟାଂତୁ ଭାଷାର ବିକାଶ
ଏ ସୂତ୍ର କରିଲେ ଅଭ୍ଯାସ
ବଢ଼ିବ ନୂତନ ବିଶ୍ବାସ
ଲୋକେ ଲେଖିବେ ନିଜ ଭାଷା
ଚଂଚଳ ହଟିବ ଦୁର୍ଦଶା
ଏ ଆମ ଉତ୍ତରାଧିକାର
କରିବା ଆଦର ସତ୍କାର
ସଂସ୍କାର, ଅଦଳ ବଦଳ
ବଢ଼ିବ ସ୍ବଭାଷାର ବଳ
ଅତୀତ ଯେତେ ଦେଇଅଛି
ତହିଁରେ ଯୋଡ଼ୁଁ ଏବେ କିଛି
ଭାଷାରେ ରଖୁଁ ଅଭିରୁଚି
ଆମ ସହିତ ରହୁ ବଂଚି
ଆମେ ତ କେବଳ ଅତିଥି
ସଂଭାଳି ରଖୁଁ ଭାଷାପ୍ରୀତି
ବ୍ୟକ୍ତି ସହିତ ଏହି ଜାତି
କରିବ ନିଶ୍ଚୟ ଉନ୍ନତି
Comments are closed.