ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୨
ଭାଷାରେ ତୁମର ଓ ମୋର
ଅଛି ସମାନ ଅଧିକାର
ଯେ କରୁଁ ଯେମିତି ବେଭାର
ଉଭୟେ କରିବା ସ୍ବୀକାର
କେହି କାହାକୁ କୈଫିୟତ
ମାଗିବା ଯେଣୁ ଅବାଂଛିତ
ଭାଷୀଏ ପୋଷି ରୁଚି, ମତ
ହୁଅଂତି ନିତି କର୍ମରତ
ଯାହାର ଯେଉଁପରି ରୁଚି
କାମ ସେ ସେପରି କରୁଛି
କଲେ ଏହାର ପ୍ରତିବାଦ
ଉଭେଇଯାଏନି ବିଭେଦ
ବ୍ୟକ୍ତି ଆପଣା ଧାରା ଧରି
ଚିଂତା, ଭାବନା ବ୍ୟକ୍ତ କରି
ଯୋଗାଏ ସ୍ବଭାଷାକୁ ବଳ
ସୂକ୍ଷ୍ମ ଅଥବା ହେଉ ସ୍ଥୂଳ
ପଡ଼ିଲେ ବ୍ୟକ୍ତିତ୍ୱର ଛାପ
ଭାଷାଟେ ପାଏନାହିଁ ଲୋପ
ଭାଷାର ସ୍ଥିତିସ୍ଥାପକତା
ସଂଭାଳିପାରେ ନିଜ ସତ୍ତା
ଅନେକ ଶତାବ୍ଦୀର ସ୍ବର
ଏବେ ବି ଶୁଭେ ବାରଂବାର
ଭାଷାର ଲିଖିତ ଅକ୍ଷର
ସତରେ କରଇ ଅମର
ଭାଷାଜ୍ଞାନ ହିଁ ଆଦିମୂଳ
ଅନ୍ୟାନ୍ୟ ବିଷୟ ସକଳ
ଭାଷାରେ ହୋଇ ବିରଚିତ
କରଂତି ସଂସାରର ହିତ
କୌଣସି ଭାଷା ଜ୍ଞାନ ବିନା
ଭାବନା, ବିଚାର, କଳ୍ପନା
ହୋଇପାରେନି ପ୍ରକଟିତ
ଏହା ହିଁ ଭାଷାର ମହତ୍ତ୍ୱ
ଶାସନ ଓ ବିଧି ବ୍ୟବସ୍ଥା
ଭାଷା ଉପରେ ରଖି ଆସ୍ଥା
ନିୟମ ଓ ଶୃଂଖଳା ରକ୍ଷା
କରି ହୁଅଂତି ଜ୍ଞାନସଖା
ଜ୍ଞାନଗଛର ବହୁ ଡାଳ
ଭାଷାଚେରରୁ ପାଇ ଜଳ
ହୁଅଂତି ଆପେ ପଲ୍ଲବିତ
ରହଂତି ଚେରର ସହିତ
ଆଦିମୂଳକୁ ଦେଲେ କାଟି
ଜ୍ଞାନ ତ ପାରେନାହିଁ ଫୁଟି !
ସ୍ବଦେହ ଅଟେ ପୂର୍ଣବିଶ୍ବ
ଦେଲେ ହୁଏନି କେବେ ନିଃସ୍ବ
ଯାହାକୁ କହୁଛୁଁ ନିଜର
ତାହା ତ ମୂଳହୁଁ ଅପର
ସ୍ବାନୁଭୂତିରୁ ପ୍ରାପ୍ତ ଜ୍ଞାନ
ନିଶ୍ଚିତ ସତ୍ୟ ବୋଲି ମାନ
ସାଂଗ ଗଲେ ବି ମରି, ହଜି
ସ୍ମୃତିରେ ରହଂତି ବିରାଜି
କାହାକୁ ନ ମଣିଲେ ସାନ
ହେବ ଅସାଧ୍ୟ କାର୍ଯ ମାନ
ନିଜକୁ ସର୍ବଶ୍ରେଷ୍ଠ ଭାବି
କେତେ କାଳ ରହିବା ଦବି?
ସର୍ବଦା ଅତୀତ ସହିତ
ରହିଲେ ହୁଏନାହିଁ ହିତ
ପୂର୍ବ ତ ଯାଇଅଛି ବିତି
ତାହା ସହିତ ଭାବ ପ୍ରୀତି
ରଖିଲେ ଏବେ ହିଁ ସ୍ଥଗିତ
ସମୃଦ୍ଧ ହେବ ଭବିଷ୍ୟତ
ମନର ଭ୍ରମଣ ସ୍ମରଣ
ଦେହର ଘଟଇ ମରଣ
ଯାହା ପାଇଛୁଁ ତାହା ଦେଇ
ମୁଁତ୍ବ ସଂଭାଳି ଥାଉଁ ଜିଇଁ
Comments are closed.