Latest Odisha News

BREAKING NEWS

ଭାଷା ଭାଗବତ : ସଂଖ୍ୟା ଜଡ଼ିତ ଶବ୍ଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧

ଏକତା ଏକତ୍ର ଏକତ୍ବ
ଏକଦା ଏକାଗ୍ର ଏକାଂତ
ପ୍ରତ୍ୟେକ ଶବ୍ଦରେ ଏ ‘ ଏକ ‘
ମିଶିଛି ଗଢ଼ିଛି ଅନେକ

ଦୋତାଲା ଦୋମୁହାଁ ଦୋଭାଷୀ
‘ ଦୋ ‘ ସହ ଅନ୍ୟ ଶବ୍ଦ ମିଶି
କରଂତି ନୂତନ ସର୍ଜନ
ଦ୍ବିଜ ଦ୍ବିଧା ଓ ଦ୍ବିବଚନ

ଦ୍ବିବିଧ ଦ୍ବିବେଦୀ ଦ୍ବିମତ
ଦ୍ବିତୀୟ ‘ ଦ୍ବି ‘ ରୁ ସଂଭୂତ
ଶବ୍ଦ ଗଠନକ୍ଷମ ଭାଷା
ଉପରେ କରିବା ଭରସା

ତ୍ରିନାଥ ତ୍ରିପାଠୀ ତ୍ରିଶୂଳ
ତ୍ରିଭୁଜ ତ୍ରିମୂର୍ତି ତ୍ରିକାଳ
‘ ତ୍ରି ‘ ଯୁକ୍ତ ଶବ୍ଦ ମାଳ ମାଳ
କରଂତି ଭାଷାକୁ ସବଳ

ଚତୁର୍ଦିଗ ଓ ଚତୁର୍ବିଧ
ଚତୁର୍ଯୁଗ ଓ ଚତୁର୍ବେଦ
‘ ଚାରି ‘ ଅର୍ଥକ ବହୁ ଶବ୍ଦ
ଅଟଂତି ଭାଷାର ସଂପଦ

ପଂଚମ ପଂଚମୀ ପଂଚାଂଗ
ପଂଚଫୁଟଣ ପଂଚରଂଗ
ପଂଚାନନ ଓ ପଂଚାମୃତ
‘ ପାଂଚ ‘ ସୂଚକ ପଂଚଭୂତ

ଏ ସବୁ ଶବ୍ଦ ପ୍ରଚଳିତ
ବଢ଼ାଂତି ଭାଷାର ମହତ୍ତ୍ୱ
ଶବ୍ଦଂକୁ କରିବା ଆୟତ୍ତ
ଗଢ଼ିବା ଭାଷା ପଂଚାୟତ

ଛତିଶ ଛତିଶା ଛପନ
‘ ଛଅ ‘ ଧାରକ ଶବ୍ଦମାନ
ଷଟ୍‌ପଦ ଷଟ୍‌ପଦୀ ଷଟ୍‌କୋଣ
‘ ଛଅ ‘ କୁ କରଂତି ଧାରଣ

ଷଡ଼୍‌ରିପୁ ଷଡ଼୍‌ଯଂତ୍ର ଷଡ଼୍‌ରସ
ଶବ୍ଦରେ ‘ ଛଅ ‘ କରେ ବାସ
ଷଡ଼ଂଗୀ ଆଉ ଷଡ଼ାନନ
‘ ଛଅ ‘ ଜଡ଼ିତ ଶବ୍ଦମାନ

ସପ୍ତାହ ସପ୍ତମ ସପ୍ତର୍ଷି
‘ ସାତ ‘ ବା ‘ ସପ୍ତ ‘ ସହ ମିଶି
କରାଂତି ସଂଖ୍ୟା ଅର୍ଥ ବୋଧ
ଏ ସବୁ ଭାଷାର ସଂପଦ

ସାତଜନ୍ମ ଓ ସାତତାଳ
ସାତକାଂଡ ତ ଆମ ବଳ
ବୁଝିବା ଭାଷାର ଗୁରୁତ୍ୱ
ସ୍ବଭାଷା ହେଉ ବିଶ୍ବେ ଖ୍ୟାତ

ଅଷ୍ଟପ୍ରହର ଦିନରାତି
ହୋଇଛି ଏପରି ଗଣତି
ଅଷ୍ଟପଦୀ ଓ ଅଷ୍ଟସିଦ୍ଧି
ଅଟଂତି ଭାଷା ଶବ୍ଦନିଧି

ନବଗ୍ରହ ଓ ନବଦ୍ବାର
ନବରଂଗ ଓ ନବରାତ୍ର
ନବଦ୍ବୀପ ଓ ନବରସ
ଭାଷାକୁ କରଂତି ସରସ

ଦଶମ ଦଶାହ ଦଶାବ୍ଦୀ
ଭାଷାରେ ଚଳେ ଅଦ୍ୟାବଧି
ଦଶାବତାର, ଦଶାନନ
ଦଶୋପଚାର ଶବ୍ଦମାନ
ଭାଷାକୁ କରି ଶ୍ରୀସଂପନ୍ନ
ବଢ଼ାଂତି ଏହାର ସମ୍ମାନ

Comments are closed, but trackbacks and pingbacks are open.