Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୭୮

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦାରବୀ ପ୍ରତିମାଟିଏ ବୋଲି ବିବେଚନା ନକରି ଆତ୍ମ ସ୍ୱରୂପରେ ପରମାତ୍ମା ଜ୍ଞାନ କରିବା। କାରଣ ଯେଭଳି ସମସ୍ତ ଜୀବଙ୍କର ଜଡ ଶରୀରରେ ପ୍ରାଣ (ଆତ୍ମା )ର ଉପସ୍ଥିତି ଜଡ଼କୁ ଜୀବନ ପ୍ରଦାନ କରେ। ଚଳ ଚଞ୍ଚଳ କରେ। ନିଜର ସମସ୍ତ କ୍ରିୟା ସମାପନ କରିବା ପାଇଁ ବୁଦ୍ଧି ଓ ବିବେକ ପ୍ରଦାନ କରେ। କେବଳ ସେତିକି ନୁହେଁ ଯେହେତୁ ଆତ୍ମା, ପରମାତ୍ମାଙ୍କ ଅଂଶ ତେଣୁ ମନ, ବୁଦ୍ଧି, ବିବେକ, ଚିତ୍ତ ଓ ଇନ୍ଦ୍ରିୟ ସକଳଙ୍କୁ ପରିଶୁଦ୍ଧ କରି, ଅହଂକାରକୁ ନିୟନ୍ତ୍ରଣ କରିବା ସହ ଦୈବୀ ଗୁଣ ସମୂହକୁ କ୍ରିୟାଶୀଲ କରାଏ।

କଠୋପନିଷଦ କହେ “ଅଶରୀରଂ ଶରୀରେଷୁ ଅନବସ୍ତେଶ୍ଵବସ୍ଥିତମ୍, ମହାନ୍ତଂ ବିଭୁମାତ୍ମନଂ ମତ୍ତ୍ୱl ଧୀରେ ନ ଶୋଚତି । ” ତଥାପି ଆମେ ଦେଖିଥାଉ ଇଦ୍ରିୟ ରୂପୀ ଅଶ୍ୱମାନଙ୍କୁ ଯେଉଁ ଜୀବ ନିଜର ଚଞ୍ଚଳ ମନର ଲଗାମରେ ବାନ୍ଧି ପାରେନା, ସେ ଜୀବର ଜୀବନ ବିକାରଗ୍ରସ୍ତ ହୋଇ ମାୟାରେ ଛନ୍ଦି ହୁଏ। ମାୟାର ପ୍ରଭାବ ଓ ନିଜ ବିକାରଗ୍ରସ୍ତ କର୍ମ ଦ୍ୱାରା ସେ ସଂସାରରେ ଦୁଃଖ ଓ ଅଶାନ୍ତି ଭୋଗ କରେ। ନିଜକୁ କର୍ତ୍ତା ବା ଭୋକ୍ତା ର ଅଭିମାନ (ଅହଂକାର )ନେଇ, ନିଜର ହିଁ କ୍ଷତି ସାଧନ କରେ, ଏ ଜଗତରେ ହୁଏ ଘୃଣ୍ୟ, କାରଣ ସେ ହୋଇଯାଏ ସ୍ବେଛାଚାରୀ, ଗର୍ବୀ, ଅହଙ୍କାରୀ, ବିନାଶ ପଥର ଯାତ୍ରୀ। କାଳେ କାଳେ ଏହି ଧ୍ରୁବ ସତ୍ୟକୁ ଜଗତ ଜାଣେ ଯେ ପ୍ରଭୁ ଶ୍ରୀଜଗନ୍ନାଥ (ପରମାତ୍ମା )ଗର୍ବ ଗଞ୍ଜନ କାରି, ମହାପ୍ରତାପୀ ଅହଙ୍କାରୀ ହିରଣ୍ୟକଶ୍ୟପକୁ ବିନାଶ କରି, ସରଳ ଶାନ୍ତ, ଆତ୍ମଚେତନାରେ ଭରା ସମର୍ପିତ ପ୍ରାଣ “ଭକ୍ତ ପ୍ରହଲ୍ଲାଦ “ଙ୍କର ରକ୍ଷା କାରି।

ସେଥିପାଇଁ ନିଜକୁ ଭୋକ୍ତା ନ କରି ଭୋଗ୍ୟ କରି ଦିଅନ୍ତୁ । ମନରେ ଆପଣଙ୍କର ବିରାଜମାନ ହେବ ଶାନ୍ତି, ନିର୍ଭିକତା, ନିସ୍ଵାର୍ଥପରତା ସ୍ୱଛଲତା (ନିର୍ମଳ ଭାବ ), ଉତ୍ତମ ବିଚାରବୁଦ୍ଧି, ସର୍ବୋପରି ଧାର୍ମିକ ଚେତନା। ହଁ, ଏହାର ସରଳ ଉପାୟ ହେଲା ମହତ ଆଶ୍ରା, ଆମ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ ଆଉ ମହତ କିଏ ? ଯେଭଳି ଲୋକକଥାରେ ଅଛି :

“ଗୋଦାବରୀକୁ ସର୍ବେ କରନ୍ତି ଗତି
ମହତ ଆଶ୍ରା ବିନୁ ନାହିଁ ମୁକତି। “

ଆମେ ଭାଗ୍ୟବାନ ଯେ ଆମେ ଶ୍ରୀଜଗନ୍ନାଥଙ୍କ ଦେଶରେ ଜନ୍ମ ନେଇଛେ। ତାଙ୍କୁ ସାମାନ୍ୟ ଆଶ୍ରା କରିଦେଲେ ଜୀବନ ଧନ୍ୟ ହୋଇଯିବ। ସାମାନ୍ୟ ଆଶ୍ରା ବୋଲି ଏଥିପାଇଁ କହିଲି କାରଣ ଆଜ୍ଞାତରେ ବା ଅବହେଳାରେ ମଧ୍ୟ ଥରେ ସେ ନାମ ହୃଦୟରୁ ଉଚ୍ଚାରିତ ହୋଇ ଗଲେ ଆମର ମୁକ୍ତି ନିଶ୍ଚିତ, ଉଦାହରଣ ମହାପାପୀ ଅଜାମିଳ । ଶାସ୍ତ୍ର କହିଲା : “ନାରାୟଣେତି ମ୍ରିୟମାଣ ଇୟାୟମୁକ୍ତିମ । ” ଅର୍ଥାତ ମ୍ରିୟମାଣ ଅବସ୍ଥାରେ ନିଜ ପୁତ୍ର ନାରାୟଣ ନାମ ଧରି ଡାକିଦେବାରୁ ମହାପାପରୁ ମୁକ୍ତି ପାଇଲା, ଏହି ପ୍ରସଙ୍ଗ ଶ୍ରୀମଦ ଭାଗବତ ଷଷ୍ଠସ୍କନ୍ଦରେ ବର୍ଣ୍ଣିତ ଅଛି।

ଏବେ ବିଚାର ଆପଣଙ୍କ ପାଖରେ, ନିଜକୁ ଦ୍ରଷ୍ଟା ଭାବିବେ ନା ଦୃଶ୍ୟ, ନିଜକୁ ଭୋକ୍ତା ବିବେଚନା କରିବେ ନା ଭୋଗ୍ୟ? ମୁଁ କିନ୍ତୁ ମୁକ୍ତ କଣ୍ଠରେ ଗାଇବି

“ସେହି ସେ ପରମ ପୁରୁଷ
ପରମ ଆତ୍ମା ଏ ପ୍ରକାଶ
ସଚ୍ଚିଦାନନ୍ଦ ସର୍ବେଶ୍ୱର
ଶ୍ରୀଜଗନ୍ନାଥ ନାମସାର । “

(ଦ . ତ୍ରୀ. ଉବାଚ )

ଜୟ ଜଗନ୍ନାଥ

Comments are closed, but trackbacks and pingbacks are open.