ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଖାଦ୍ୟ, ପାନୀୟ, ପରିଧାନ
ପ୍ରତ୍ୟେକଟିରେ ଲୋକେ ଭିନ୍ନ
ହେବାକୁ କରି ପରିଶ୍ରମ
ପୋଷୁଥାଆଂତି ମହାଭ୍ରମ
ନିଜ ସଂସ୍କୃତି, ଭାଷା ଛାଡ଼ି
ଯେ ହୁଏ ଆନ ସହ ଯୋଡ଼ି
ତାହାର ବିଶ୍ବସନୀୟତା
ପୂର୍ଣତଃ ମନଗଢ଼ା କଥା
କୃତିତ୍ୱ କରିଲେ ଅର୍ଜନ
ବଦଳିଯାଏ ଯାହା ମନ
ତାହାର ମନ ମଧ୍ୟେ ଭାଷା
ବାଂଧି ନ ଥାଏ କେବେ ବସା
ସାମାନ୍ୟ ପ୍ରଲୋଭନ ପାଇ
ଯେ ରହେ ସ୍ବଭାଷା ଏଡ଼ାଇ
ତାହାର ଉତ୍ତର ପୁରୁଷ
କରଂତି ନିଜ ଭାଷା ନାଶ
ଯେଉଁ ଭାଷାର ଉଚ୍ଚାରଣ
କେବେ ଶୁଣିନି ଶିଶୁ କାନ
ସେ ଭାଷା ପାରେନାହିଁ ଶିଖି
ଦ୍ରବ୍ୟାଦି ପାଇ ହୁଏ ସୁଖୀ
ଭାଷା ନ କଲେ ବ୍ୟବହାର
ବଢ଼େନି ତହିଁର ଆଦର
ଭାଷା ତ ବଢ଼େନାହିଁ ଆପେ
କହିଲେ ଓ ଲେଖିଲେ ବ୍ୟାପେ
ଏପରି ସର୍ବଜଣା କଥା
ବୁଝିପାରୁନି ଯଦି ମଥା
ଅବସ୍ଥା ଅତି ଶୋଚନୀୟ
ଭାବିଲେ ମାଡ଼ିବସେ ଭୟ
ଆଶ୍ବସ୍ତ ହୁଏଁ ଏହା ଜାଣି
ଅଛଂତି ଭାଷାଗ୍ରହୀ ଗୁଣୀ
ଆମର ଭାଷା ନୁହେ ମଂଦ
ଲୋକ ମନରେ ଅଛି ଦ୍ବଂଦ୍ବ
ଏହି ଦ୍ବିଧାରୁ ହୋଇ ମୁକ୍ତ
ସ୍ବଭାଷା ସହ ହେଲେ ଯୁକ୍ତ
ହେବ ଆଂଶିକ ପ୍ରତିକାର
ସର୍ବେ ପାଇବା ଉପକାର
ନ ହେଲେ ବୁଝୁ ଏବେ ମନ
ବ୍ୟକ୍ତିତ୍ୱ ହୋଇବ ନିଶ୍ଚିହ୍ନ
ଯେହେତୁ ମନୁଷ୍ୟ ଅନନ୍ୟ
କରୁ ସ୍ବେଚ୍ଛାରେ ସମାଧାନ
Comments are closed.