ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଏବେ ଜାଣିବା ଇଚ୍ଛା ପୋଷି
ଭାଷା ଶିଖୁଛିଁ ଦିବାନିଶି
କରିଚାଲିଛିଁ ଆହରଣ
ଲୋକ ମୁହଁରୁ ପ୍ରତିଦିନ
ଯେଉଁ ଭାଷା ମୁଁ ଶୁଣି, କହି
ଏହି ସଂସାରେ ଅଛିଁ ରହି
ତାହା ଶିଖିନି ପଢ଼ି ବହି
ଅନୁଷ୍ଠାନର ଛାତ୍ର ହୋଇ
ଯାହା ବି ଦେଉଥାଏଁ ଲେଖି
ଦେଖିଲେ ମନ ହୁଏ ସୁଖୀ
ଏ ସୁଖ ପାଇବା ନିମଂତେ
ମୁଁ ମୋର ପାରିବା ପର୍ଯଂତେ
ଦେଖାଏଁନାହିଁ ଶବ୍ଦଜ୍ଞାନ
ଭାବକୁ ଜଣାଏଁ ସମ୍ମାନ
ଭାବ କି ଶବ୍ଦର ଉଚ୍ଚତା
ମାପିବା ଅଟେ ନିର୍ବୋଧତା
ଜୀବନବାଦୀ ହୋଇ ମୁହିଁ
କାହାକୁ ସାନ ଭାବେଁନାହିଁ
ବିଜ୍ଞ, ଅଜ୍ଞ, ଅଭିଜ୍ଞ ଜନ
ମୋ ପାଇଁ ଅଟଂତି ସମାନ
ନିରକ୍ଷର ମୋ ପଦ୍ୟ ଶୁଣି
ପାରିଲେ ବୁଝି ଆଉ ଜାଣି
ସେ ମୋର ମାନନୀୟ ଶ୍ରୋତା
ତାଂକୁ ଜଣାଏଁ ସବୁ କଥା
ଲୋକମାନେ ହିଁ ଭାଷା ଗୁରୁ
ଭାଷା ଶିଖେଁ ମୁଁ ତାଂକଠାରୁ
ଯାହା ପାଏଁ, ତାହା ହିଁ ଦିଏଁ
ମୁଁ ନିଜେ ତୃପ୍ତି ପାଉଥାଏଁ
ଜାଣେ ମୁଁ ଗରିବ ଏ ରାଜ୍ୟ
ବହି କିଣି ପଢ଼ିବା ଧୈର୍ଯ
ଏଠାରେ ଯେହେତୁ ଦୁର୍ଲଭ
ମୁଁ କେବେ ଲୋଡ଼େନାହିଁ ଲାଭ
ଯାହା ଶୁଣିଛି ମୋର କାନ
ତାହା ମୋହର ଭାଷା ଜ୍ଞାନ
ମୁଁ ଜଣେ ବଶଂବଦ ଶ୍ରୋତା
ହୋଇ ଲେଖୁଛିଁ ଏତେ କଥା
ଜଣେ ପଢ଼ିଲେ, ଦଳେ ଶୁଣି
ପାରିବେ ବହୁ କଥା ଜାଣି
ଘଟିଲେ ଜ୍ଞାନର ପ୍ରସାର
ସ୍ବଭାଷା ପାଇବ ଆଦର
Comments are closed.