Latest Odisha News

BREAKING NEWS

 ଅନୁବାଦ କବିତା : ଘୋଡ଼ା ସବାରର ଗୀତ

ଫେଡେରିକୋ ଗାର୍ସିଆ ଲୋରକା ବିଂଶ ଶତାବ୍ଦୀର ସ୍ପେନୀୟ ଲେଖକଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଜଣେ ଅଗ୍ରଗଣ୍ୟ ପ୍ରଖ୍ୟାତ କବି ତଥା ନାଟ୍ୟକାର ଥିଲେ। ସ୍ପେନର ବିଖ୍ୟାତ ଅବାସ୍ତବ ଓ ସ୍ୱପ୍ନ ସଦୃଶ କଳାର ଚିତ୍ର ଶିଳ୍ପୀ ସାଲଭାଡୋର ଦାଲିଙ୍କ ଅନୁପ୍ରେରଣାରେ ଲୋରକା ତାଙ୍କ କାବ୍ୟ ଜଗତରେ ନୂତନ ଆବିଷ୍କାର, ମୌଳିକ ପରୀକ୍ଷା ଓ ପ୍ରୟୋଗର ପ୍ରଚେଷ୍ଟା କରିଥିଲେ। ତାଙ୍କ କବିତା ଓ ଲେଖାମାନ ନିଜ ଅଞ୍ଚଳ ଆନ୍ଦା ଲୁସିୟାର ଭୂଗୋଳ ଜଳବାୟୁ, ପ୍ରକୃତି ଓ ଲୋକକଥାରୁ ପ୍ରେରଣା ଆହରଣ କରିଛି। ଏହା ଛଡ଼ା ତାଙ୍କ ଲେଖାରେ ସ୍ପେନର ବିରୋଧାଭାସର କଠୋର ନୈତିକ ଆଚାର ସହିତ ଇନ୍ଦ୍ରିୟାସକ୍ତି ଓ ପରମ୍ପରା ସହିତ ବ୍ୟକ୍ତିର ଆକାଂକ୍ଷାର ଏକ ସାଲିସ ବା ବୁଝାମଣା ପରିଲକ୍ଷିତ ହୁଏ। କିଛି କାଳ ଆମେରିକାର କଲମ୍ବିଆ ବିଶ୍ଵ ବିଦ୍ୟାଳୟରେ ଅଧ୍ୟୟନ ପରେ ସେ ସ୍ପେନ ଫେରି ଆସିଥିଲେ ଓ ଜାତୀୟତାବାଦୀଙ୍କ ଦ୍ଵାରା ବନ୍ଦୀ ହୋଇ ହତ୍ୟାର ଶିକାର ହୋଇଥିଲେ।

ମୂଳ ରଚନା : ଫେଡେରିକା ଗାର୍ସିଆ ଲୋରକା

କର୍ଡୋବା
ଏକାକୀ ଓ ସୁଦୂର
ଛୋଟ କଳା ଘୋଡ଼ା
ବିଶାଳ ଜହ୍ନ
ଅଲିଭ କୋଳିରେ
ଭରା ମୋର ଥଳି।

ରାସ୍ତା ମତେ ଜଣାଅଛି
କର୍ଡୋବାରେ ତଥାପି ବି
ମୁଁ କେବେ ପହଞ୍ଚିବିନି

ପବନକୁ ଚିରି , ସମତଳ ଭୂଇଁ ଡେଇଁ
ମୋର ଏଇ କଳା ଘୋଡ଼ା
ନାଲି ଜହ୍ନ, ଧାବମାନ
କର୍ଡୋବାର ଗମ୍ବୁଜରେ
ମୃତ୍ୟୁ ମୋର ପ୍ରତୀକ୍ଷାମାଣ ।

ଏତେ ଦୀର୍ଘ ପଥ
ଆଉ ମୋର ସ୍ପର୍ଦ୍ଧିତ ଚୈତକ
ମୁଁ କର୍ଡୋବା ପହଞ୍ଚିବା ଆଗରୁ
ମରଣ ମୋ ଅନାଇଛି ପଥ

କର୍ଡୋବା
ଏକାକୀ ଓ ସୁଦୂର ।

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.