ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଯାହାର ଯେଉଁ ସ୍ମୃତି ଥାଏ
ତାହା ତ ଆପେ ଲିଭିଯାଏ
କରିଲେ ସ୍ମତି ସଂରକ୍ଷଣ
ପଠନ ସହିତ ଲିଖନ
ଭାଷାକୁ ମିଳୁଥାଏ ବଳ
କେବେ ବି ହୁଏନି ଅଚଳ
ନିଜ ଭାଷାକୁ ନିଜେ ଆମେ
ଲଗାଉଁ ଏବେ ଏହି କାମେ
ବିନା କାରଣେ କରୁଁ ଆଶା
ଉନ୍ନତ ହେବ ଆମ ଭାଷା
ମନରେ ନାହିଁ ଯେଣୁ ସ୍ପୃହା
ଦେଖାଯାଏନି ସିଧା ରାହା
ସ୍ବଭାଷୀ ହେଲେ ଅସଂପୃକ୍ତ
ଭାଷା ହୁଏନି ବଳବଂତ
ଚିତ୍ତ ଯେଉଁଠି ଇତସ୍ତତଃ
ସ୍ବଭାଷା ହୁଏନି ଆଦୃତ
ଏପରି ପରିଣାମ ପାଇଁ
ଅନ୍ୟ କେହି ତ ନୁହେ ଦାୟୀ
ନିଜ ଇଚ୍ଛାରେ ବୋଳି ରଂଗ
ଧରିବା ସ୍ବଭାଷାର ମଂଗ
ସର୍ବଦା ଆଖି ଖୋଲା ରଖି
କେ କେବେ ଚଳିପାରିବ କି?
କରିଲେ ଧ୍ୟାନ କି ଶୟନ
ବୁଜଂତି ଉଭୟ ନୟନ
ଆଖିରେ ଲାଗିଅଛି ଦ୍ବାର
ଖୋଲା ଓ ବୁଜା ବାରଂବାର
ଚଳୁଛି, ତେଣୁ ପାରୁଁ ଦେଖି
ଏ ସତ୍ୟ ବୁଝିବାନାହିଁ କି ?
ଯାହା ଦେଖୁଛୁଁ ପ୍ରତି କ୍ଷଣ
ତାହାକୁ କଲେ ନିରୀକ୍ଷଣ
ମିଳିବ ଯେଉଁ ନୂଆ ଜ୍ଞାନ
କରିବ ଗତି ନିର୍ଧାରଣ
ସ୍ବେଚ୍ଛାରେ ଦାୟିତ୍ବ ଗ୍ରହଣ
ନିମଂତେ ରାଜି ହେଲେ ମନ
ମିଳିବ ନୂତନ ଉତ୍ସାହ
ବଢ଼ିବ ମନରେ ଆଗ୍ରହ
Comments are closed.