Latest Odisha News

ଭାଷା ଭାଗବତ : ସରଳତା ସାଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୮

ଗୌଣଟି ବଡ଼, ମୁଖ୍ୟ ସାନ
ଉପର ତଳ ଯୋଡ଼ାବର୍ଣ
ଏକାଠି କଲେ ସଂଯୋଜନ
କିପରି ହୁଏ ଦେଖ, ଜାଣ

ନକ୍‌ସା ବକ୍‌ସି କି ନକ୍ସା ବକ୍ସି
କେଉଁ ରୂପଟି ସଫା ବେଶି
କରିବା ଯଦି ସୁନିଶ୍ଚିତ
ସେପରି ହୋଇବ ଲିଖିତ

ପେନ୍‌ସନ୍‌ ଅଥବା ପେନ୍ସନ
କେଉଁ ରୂପଟି ସମୀଚୀନ
କରିବା ତହିଁର ବିଚାର
ତଦନୁସାରେ ବ୍ୟବହାର

ଅଭୀପ୍‌ସା ଅଥବା ଅଭୀପ୍ସା
ଯେଉଁ ରୂପଟି ସ୍ପଷ୍ଟ ଦୃଶା
ତାହାକୁ କରିବା ଆଦର
ଏଣିକି ବେଶି ବ୍ୟବହାର

କଂଟ୍ରାକ୍‌ଟର୍‌ କି କଣ୍ଟ୍ରାକ୍ଟର
ଶବ୍ଦଂକୁ ଦେଖୁଁ ବାରଂବାର
ଯେଉଁଟି ସରଳ ସୁଂଦର
ତାହାକୁ କରିବା ସ୍ବୀକାର

ଲେକ୍‌ଚରର୍‌ କି ଲେକ୍ଚରର
ଏବେ ହିଁ କରିନେବା ସ୍ଥିର
ସେହି ପ୍ରକାରେ ଲେଖା ହେବ
ଅଯଥା ବିବାଦ ସଂଭବ

ଉତ୍‌ଥାନ ଅଥବା ଉତ୍ଥାନ
ଯାହା ବି ଲାଗେ ସମୀଚୀନ
ତାର ଅଧିକ ପ୍ରଚଳନ
ସକାଶେ ଦେବା ଏବେ ଧ୍ୟାନ

ଉଦ୍‌ଭିଦ ଅଥବା ଉଦ୍ଭିଦ
ନାହିଁ ସାମାନ୍ୟ ଅର୍ଥଭେଦ
ପ୍ରଗଳ୍‌ଭ ଅଥବା ପ୍ରଗଳ୍ଭ
କିପରି ଲେଖାଲେଖି ହେବ ?

ଦଗ୍‌ଧ ଦୁଗ୍‌ଧ ଓ ଦଗ୍ଧ ଦୁଗ୍ଧ
ଉପଲବ୍‌ଧ ଓ ଉପଲବ୍ଧ
ଦୁଇ ପ୍ରକାର ଲେଖା ଶୁଦ୍ଧ
ସରଳ ଲେଖି ହେଉଁ ମୁଗ୍‌ଧ

ରୁଗ୍‌ଣ ତୀକ୍ଷ୍‌ଣ ଓ ରୁଗ୍ଣ ତୀକ୍ଷ୍ଣ
ଉଭୟ ଅର୍ଥତଃ ସମାନ
ଯେଉଁଟି ଲେଖିବା ସହଜ
ତାହା ଗ୍ରହଣ କରୁଁ ଆଜ

ସଂଭବ ହେଲେ ହେଁ, ସରଳ
ନୁହଇ ଯେଉଁ ବର୍ଣମାଳ
କରିବାନାହିଁ ବ୍ୟବହାର
ହେବ ବହୁତ ଉପକାର

ଲିପି ହୋଇଲେ ଲୋକଗ୍ରାହ୍ୟ
ନିଶ୍ଚୟ ବଢ଼ଇ ଆଗ୍ରହ
ଅଧିକ ଜନ ସମର୍ଥନ
ଯୋଗୁଁ ବଢ଼ଂତି ଭାଷାମାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed, but trackbacks and pingbacks are open.