Latest Odisha News

BREAKING NEWS

ଭାଷା ଭାଗବତ : ‘ସ୍ବାଧୀନ’ ବୋଲାଇ..

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ମାଗିଲେ ମିଳେନାହିଁ ଯାହା
ପ୍ରକୃତ ସ୍ବାଧୀନତା ତାହା
ନିଜ ‘ ସ୍ବ ‘ ନ ପାରିଲେ ଚିହ୍ନି
ତାହା କାହାକୁ ବି ମିଳେନି

‘ ସ୍ବ ‘ ଓ ‘ ତ୍ବ ‘ ଗଲେ ଯହିଁ ମିଶି
‘ ସ୍ବତ୍ବ ‘ ତ ଆପେ ଆପେ ଆସି
ବ୍ୟକ୍ତିକୁ କରଇ ସ୍ବାଧୀନ
ତା’ ହୁଏ ବ୍ୟକ୍ତିତ୍ୱର ଚିହ୍ନ

ବଦଳିଗଲେ ପ୍ରଶାସନ
ରାଷ୍ଟ୍ର ତ ହୁଏନି ସ୍ବାଧୀନ
ଦିବସ କରିଲେ ପାଳନ
ନଷ୍ଟ ହୁଏ ସମୟ, ଧନ

ସ୍ବାଧୀନ ଲୋକ ଖୋଜେ ବାଟ
ନ ଯାଏ ଧାଡ଼ିର ନିକଟ
ସମସ୍ୟା ହେଲେ ବି ଉତ୍କଟ
ଛାଡ଼େନି ଅଶ୍ରାବ୍ୟ କୁହାଟ

ସ୍ବାଧୀନତା ପାଇବା ପରେ
ଯେ କାମ କରିବାକୁ ଡରେ
ସେ ନୁହେ ପ୍ରକୃତ ସ୍ବାଧୀନ
ସର୍ବଦା ରହେ ପ୍ରଥାଧୀନ

ନିଜ ଢଂଗରେ ନିଜ କାର୍ଯ
କରିବା ହେଲେ ଅସ୍ବୀକାର୍ଯ
କେବଳ ନାମକୁ ସ୍ବାଧୀନ
ହେବାର ନାହିଁ ପ୍ରୟୋଜନ

ସ୍ବାଧୀନ ଘୋଷିତ ଜନତା
ସର୍ବଦା ମାନେ ପର କଥା
ସଦା ହେଲେ ବି ଅନ୍ୟାଶ୍ରୟୀ
ସ୍ବାଧୀନ ପାରୁଛି ବୋଲାଇ

ଏପରି ବିମଳ ଛଳନା
କରିବା ପାଇଁ ନାହିଁ ମନା
ଚାଲିଛି ଅଦ୍‌ଭୁତ ନାଟକ
ନାହିଁ ସ୍ବାଧୀନ ନିର୍ଦେଶକ

ଯାହା ବି ପୂର୍ବନିର୍ଧାରିତ
ତହିଁର ସ୍ବତଂତ୍ରତା ହତ
ହେବା ହିଁ ହୁଏ ସ୍ବାଭାବିକ
ବୁଝଂତୁ ଏବେ ନାଗରିକ

Leave A Reply

Your email address will not be published.