Latest Odisha News

BREAKING NEWS

ଭାଷା ଭାଗବତ : ଭିତର, ବାହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ 

 

ଭିତର ଅଛି ପୂର୍ବ ଭଳି

ବାହାର ଯାଇଛି ବଦଳି

କାଂଥରେ ନୂଆ ରଂଗ ବୋଳି

କହୁଁ ‘ ବିକାଶ ହେଲା ‘ ବୋଲି

 

କାହାକୁ ନାହିଁ ଏଠି ଜଣା

କିପାଇଁ ଏତେ ପ୍ରତାରଣା

ହେଲାଣି ଏବେ ନିତ୍ୟାଭ୍ୟାସ

ଏହା କି ବାସ୍ତବ ବିକାଶ

 

ବାହାର ରୂପ, ରଂଗ ଦେଖି

ଆଖି ଯେହେତୁ ଯାଏ ଲାଖି

ବାଟରୁ ଆସୁଁ ଆମେ ଫେରି

ଭିତରେ ପ୍ରବେଶ ନ କରି

 

ଯାହା ବି ଦେଖଇ ନୟନ

ବିଶ୍ବାସ କରେ ଯେଉଁ ମନ

ନିଜକୁ ନିଜେ କରେ ତୃପ୍ତ

ବୁଝିପାରେନି ଶୁଦ୍ଧ ସତ୍ୟ

 

ଏପରି ପ୍ରଚାର କୌଶଳ

ପ୍ରୟୋଗ କରେ ଯେଉଁ ଦଳ

ତାହାକୁ ମିଳେ ସମର୍ଥନ

ଧନ ସହିତ ମିଳେ ମାନ

 

ଭିତର, ବାହାର ବିଭେଦ

ରହିଲେ କିଛି ନିରାପଦ

ହେବା ତ ହୁଏନି ସଂଭବ

ବଦଳେନାହିଁ ମନୋଭାବ

 

ପ୍ରତ୍ୟେକ ବ୍ୟକ୍ତି ଦ୍ବିଖଂଡିତ

ହେବାରୁ ଦେଶ ଲକ୍ଷ୍ୟଚ୍ୟୁତ

ହୁଏ ଏଠାରେ ବାରଂବାର

ମିଳୁନି ସ୍ପଷ୍ଟ ଉପଚାର

 

ଭିତର ବାହାର ଏକତା

ହେଲାଣି ମନଗଢ଼ା କଥା

ଯାହା ମନରେ ହୁଏ ବ୍ୟଥା

ସେ ପାଳେ ଦୀର୍ଘ ନିରବତା

 

ଭିତର ବାହାର ଅଂତର

ଥିଲେ କେବେ କି ଉପକାର

ସାଧିତ ହୋଇଛି କାହାର

ଏବେ ଥରେ ବିଚାର କର

 

ଭାଷାର ସାଂଗୀତିକ ଗୁଣ

ତୃପ୍ତ କଲେ ହେଁ କାନ, ମନ

କରେନି ଉନ୍ନତି ଧନ

ଏ ସତ୍ୟ ବୁଝ ଆଉ ଜାଣ

 

Leave A Reply

Your email address will not be published.