Latest Odisha News

BREAKING NEWS

ଭାଷା ଭାଗବତ : ଅକ୍ଷର ଅଟେ ରେଖାଚିତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଅକ୍ଷର ଅଟେ ରେଖାଚିତ୍ର
ଏତିକି ବୁଝେ ଯେଉଁ ଛାତ୍ର
ତାହାର ନିଜ ହସ୍ତାକ୍ଷର
ଦିଶଇ ସଫା ଓ ସୁଂଦର

ଦୁଇଟି ଅକ୍ଷର ତୁଳନା
କରିଲେ ଭେଦ ପଡ଼େ ଜଣା
ଠ କୁ ଚ ପାରେ କରି
ଲିପିକୁ କେବେ ବି ନ ଡରି

ଚ ରୁ ଟ ଗ ର ବାହାରେ
ଆଗ୍ରହେ ଛାତ୍ର ଶିଖିପାରେ
ଏହି ନବୀନ ରୀତି ଧରି
ବିଦ୍ୟାର୍ଥୀ ହୁଏ ଚିତ୍ରକାରୀ

ଦ ତଳେ ଆଂକିଲେ ଆଂକୁଡ଼ି
ହ ହୁଏ ସହଜରେ କାଢ଼ି
ମ ତଳେ ଛୋଟ ଏକ ଗାର
କରଇ ସ ରୂପାଂତର

ପ ପେଟରେ ବଂକା ରେଖା
ଟାଣିଲେ ଷ ଦିଏ ଦେଖା
ଯ ମଧ୍ୟେ ଟାଣ ବଂକା ରେଖା
ଅବଶ୍ୟ କ୍ଷ ଦେବ ଦେଖା

ଅକ୍ଷର ଅଦଳ ବଦଳ
କରିବା ମଜାଳିଆ ଖେଳ
ହସି ହସି ଓ ଖେଳି ଖେଳି
ପିଲାଏ ହେବେ ବଡ଼ ଭଳି

ସହଜେ ପାଇ ଲିପିଜ୍ଞାନ
ବିଦ୍ୟାର୍ଥୀ ହେଲେ ଭାଷାଲଗ୍ନ
ବଢ଼ିବ ଜ୍ଞାନର ସମ୍ମାନ
କେହି ହେବେନି ସଂଦିହାନ

ନବୀନ ଉପାୟରେ ଶିକ୍ଷା
ଦେବାକୁ କରିଲେ ପରୀକ୍ଷା
ମିଳିବ ଯେଉଁ ଫଳାଫଳ
ଭାଷାକୁ ଯୋଗାଇବ ବଳ

ନ କରି ଆଉ କାଳ କ୍ଷୟ
ମନରୁ ତଡ଼ି ସବୁ ଭୟ
ନବୀନ ପଦ୍ଧତି ଆଶ୍ରୟ
ନେଲେ ହିଁ ମିଳିବ ବିଜୟ

Leave A Reply

Your email address will not be published.