Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ଡେଇଁ, ବାଇଶି ପାହାଚରେ ପାଦ ଦେଉ ଦେଉ ତୃତୀୟ ପାହାଚର ବାମପାର୍ଶ୍ଵ ରେ ପ୍ରାୟ ୧୫ଫୁଟ ଉଚ୍ଚତାର କ୍ଷୁଦ୍ର ମନ୍ଦିରଟିଏ। ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ହିସାବରେ ଖ୍ୟାତ।  ଏମିତି କେହି ଭକ୍ତ ନାହାନ୍ତି ଯିଏ କାଶୀ ବିଶ୍ୱନାଥଙ୍କୁ ଦର୍ଶନ ନକରି ମନ୍ଦିର ଭିତର ବେଢାକୁ ପାଦ ପକାଇବେ। ସେହି ମନ୍ଦିରରେ ଶକ୍ତିଙ୍କ ସହ ଲିଙ୍ଗ ସ୍ଥାପିତ ହୋଇ ପୂଜା ପାଉଛନ୍ତି। ଏଠାରେ ଶକ୍ତି ଉତ୍ତର ଦିଗାଭିମୁଖୀ ହୋଇ ରହିଛନ୍ତି। କଳା ମୁଗୁନି ପ୍ରସ୍ତରର ପ୍ରାୟ ୧୦ ଇଞ୍ଚ ଉଚ୍ଚତାର ଶିବ ଲିଙ୍ଗ ବିରାଜମାନ କରିଛନ୍ତି। ଏହାଛଡା ହର ପାର୍ବତୀଙ୍କ ପ୍ରସ୍ତର ବିଗ୍ରହ ପ୍ରତିଷ୍ଠା କରାଯାଇ ପୂଜିତ ହେଉଛନ୍ତି। ମନ୍ଦିରର ଉତ୍ତର ପୂର୍ବ କୋଣରେ ପାଦୁକା କୁଣ୍ଡ ଅଛି। ମନ୍ଦିର ମଧ୍ୟରେ ଶକ୍ତିଙ୍କ ସହ ଶିବଲିଙ୍ଗ ଓ କ୍ଷୁଦ୍ର ହରପାର୍ବତୀ ବିଗ୍ରହ ଛଡା ପୂର୍ବ କାନ୍ଥରେ ଶ୍ରୀକାଶୀ ବିଶ୍ୱନାଥଙ୍କ ଚିତ୍ର ପ୍ରତିମା ମଧ୍ୟ ଅଛନ୍ତି। ପିତ୍ତଳ ନିର୍ମିତ୍ତ କ୍ଷୁଦ୍ର ଗଣେଶ ପ୍ରତିମା ମଧ୍ୟ ବିରାଜିତ ଅଛନ୍ତି। କିନ୍ତୁ ପାର୍ଶ୍ଵ ଦେବତା ରୂପେ ମଧ୍ୟ ଉତ୍ତର ରେ କାର୍ତ୍ତିକେୟ ଓ ଦକ୍ଷିଣରେ ଗଣେଶଙ୍କ ପ୍ରସ୍ତର ମୂର୍ତ୍ତି ଅଛନ୍ତି। ମନ୍ଦିର ଚୂଡ଼ାରେ ତ୍ରିଶୂଳ ଥାଇ କ୍ଷୁଦ୍ର ପ୍ରବେଶ ଦ୍ୱାର ପଶ୍ଚିମ ଦିଗକୁ ଅଛି। ମାତ୍ର ୪ ଫୁଟ ଉଚ୍ଚାର ଏହି ଦ୍ୱାର ଦେଶରେ ଦ୍ୱାରପାଳ ନନ୍ଦୀ ଓ ଭୃଙ୍ଗୀଙ୍କ ସହ ଉପରେ ନବଗ୍ରହ ବିରାଜିତ। ଦ୍ୱାରର ସମ୍ମୁଖ ଭାଗରେ ପ୍ରାୟ ୩ ଫୁଟ ଦୂରରେ ଏକ ସ୍ତମ୍ଭ ଉପରେ କ୍ଷୁଦ୍ର ବୃଷଭଙ୍କ ମୂର୍ତ୍ତି ଅଛି।  ଏହି କ୍ଷୁଦ୍ର ମନ୍ଦିରରେ ଶିବରାତ୍ରି ଦିନ ବିଶେଷ ଗହଳି ହୁଏ ଏହି ଦିନ ଚନ୍ଦନ ବେଶ ହୋଇ, ମହାଦୀପ ଉଠାଯାଏ। ଶୀତଳ ଷଷ୍ଠୀ ଦିନ ସ୍ୱତନ୍ତ୍ର ଜଳଶାୟୀ ନୀତି ହୁଏ। ଏହିଦିନ ଶିବ ବିବାହ ଥିବାରୁ ପୂଜକ ନିଜ ତରଫରୁ ସ୍ୱତନ୍ତ୍ର ଭୋଗ କରିଥାନ୍ତି। ସେହିପରି ପ୍ରତ୍ୟେକ ସଂକ୍ରାନ୍ତି, ସୋମବାର, ଶନିବାର ଓ ଶ୍ରାବଣ ସୋମବାର ମାନଙ୍କରେ ବିଶେଷ ଭାବରେ ଜନ ସମାଗମ ହେଉ ଥିବାର ପରିଲକ୍ଷିତ ହୁଏ। ସମୟ ସମୟରେ ଯଜମାନଙ୍କ ଦ୍ୱାରା ବିଶେଷ ଅଭିଷେକ ଓ ପୂଜା ମଧ୍ୟ ଅନୁଷ୍ଠିତ ହୁଏ। ଏହି ମନ୍ଦିର ପାର୍ଶ୍ଵରେ ଶ୍ରୀରାମ ଓ ଅଭୟ ନୃସିଂହଙ୍କ ଦର୍ଶନ ମିଳେ। ଆସନ୍ତୁ ତେଵେ ସର୍ବ ଦର୍ଶନ ସାରି କରିବା ଆରାଧନା ଓ ଭାଗବତ ପଠନ ।

 

“ଏଣୁ ଜ୍ଞାନୀ ମୋ ପ୍ରିୟତମ

କେହି ନୁହଁନ୍ତି ତାର ସମ ।

ସେ ମୋତେ ଜ୍ଞାନବନ୍ଧେ ଧରେ

ସକଳ କର୍ମ ପରିହରେ ।”

 

ଜୟ ଜଗନ୍ନାଥ, (ଦ. ତ୍ରି. ଉଵାଚ )

Leave A Reply

Your email address will not be published.