Latest Odisha News

ଭାଷା ଭାଗବତ : ନୂଆ ପରଂପରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଗୋପବଂଧୁ ଓ ନୀଳକଂଠ

ଶିଖାଇଛଂତି ଲିପି ପାଠ

କରୁଛିଁ ସହଜେ ଲିଖନ

ନାସିକ୍ୟ ଯୁକ୍ତାକ୍ଷରମାନ

 

ସଚ୍ଚିଦାନଂଦ ରାଉତରା

ଲିପିର ନୂଆଁ ପରଂପରା

କରିଲେ ସ୍ବେଚ୍ଛାରେ ସ୍ଥାପନ

ପାଇଲେ ଆଦୃତି, ସମ୍ମାନ

 

ଏ ତିନି ଓଡ଼ିଆ ସଂତାନ

ଏହି ଧାରାର ପ୍ରଚଳନ

କରିଲେ ଦେଇ ମନ, ଧ୍ୟାନ

ମୁଁ ତାକୁ ଜଣାଏଁ ସମ୍ମାନ

 

‘ ଗୋପବନ୍ଧୁ କି ନୀଳକଣ୍ଠ ‘

ଦେଖିଲେ ନ ହୋଇ ଉଚ୍ଚାଟ

କରେଁ ମୁଁ ସ୍ବରୁଚି ଲିଖନ

ହୁଏଁନାହିଁ ମୁଁ ସଂଦିହାନ

 

ପାରଂପରିକ, ଆଧୁନିକ

ଉଭୟେ ଭାଷା ବିବର୍ଧକ

ଯାହାର ଯେଉଁପରି ରୁଚି

ଏବେ ସେ ସେମିତି ଲେଖୁଛି

 

ମୁଁ ନୁହେଁ ଲିପି ପ୍ରବର୍ତକ

କେବଳ ଧାରାର ସ୍ତାବକ

ହୋଇ କରୁଛିଁ ଲେଖାଲେଖି

ଅନେକେ ପାରୁଛଂତି ଦେଖି

 

କିଏ ବା ଏହି ଧାରା ଧରି

ସହଜେ ଲେଖାଲେଖି କରି

ଜଟିଳ ଯୁକ୍ତାକ୍ଷର ଛାଡ଼ି

ମୁକ୍ତାକ୍ଷର ଦିଅଂତି ଯୋଡ଼ି

 

ଧୀର ନିଶ୍ଚିତ ଏହି ଧାରା

ଏବେ ତ ନୂଆ ପରଂପରା

ରୂପରେ ହେଉଛି ସ୍ବୀକୃତ

ଲୋକେ ହୁଅଂତି ଉପକୃତ

 

Comments are closed.