Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ କଳ୍ପ ବଟ ସମ୍ମୁଖରେ ପାଞ୍ଚ ମହାଦେବଙ୍କ ଅବସ୍ଥାନ ବିଷୟରେ ଆଲୋଚନା ଜାରି ରହିଛି। ଏହି ପାଞ୍ଚ ମହାଦେବଙ୍କ ନିଜସ୍ୱ ଆସ୍ଥାନ ଶ୍ରୀକ୍ଷେତ୍ର ମଧ୍ୟରେ ବିଭିନ୍ନ ଯାଗାରେ ରହିଅଛି। ମୁଖ୍ୟତଃ ପଞ୍ଚ ପାଣ୍ଡବ ନାମରେ ଏମାନେ ପରିଚିତ। ମାର୍କଣ୍ଡପୁଷ୍କରିଣୀ ତଟରେ ଶ୍ରୀ ମାର୍କଣ୍ଡେଶ୍ୱରଙ୍କ ମନ୍ଦିର। ଶ୍ରୀମନ୍ଦିର ପଶ୍ଚିମ ଦିଗରେପ୍ରାୟ ୨ କିମି ଦୂରରେ ପ୍ରତିଷ୍ଠିତ ହୋଇଛନ୍ତି ଶ୍ରୀ ଲୋକନାଥ, ଶ୍ରୀମନ୍ଦିରର ଦକ୍ଷିଣ ଦିଗରେ ଶ୍ରୀ ଯମେଶ୍ୱର ମହାଦେବଙ୍କ ମନ୍ଦିର, ଶ୍ରୀମନ୍ଦିର ଦକ୍ଷିଣ ପଶ୍ଚିମ କୋଣରେ ଅବସ୍ଥିତ ଅଛି । ଶ୍ରୀ କପାଳମୋଚନ ମହାଦେବଙ୍କ ମନ୍ଦିର ସେହିପରି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ତଟରେ ଅବସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵରଙ୍କ ମନ୍ଦିର। ଗବେଷକମାନଙ୍କ ମତରେ ଏହି ପାଞ୍ଚ ମହାଦେବ ମନ୍ଦିରରେ ପ୍ରତିଷ୍ଠା ପାଇଥିବା ଶିବଲିଙ୍ଗ, ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ପ୍ରତିଷ୍ଠିତ ଓ ବିଭିନ୍ନ ଶୈବ ତପସ୍ୱୀମାନଙ୍କ ଦ୍ୱାରା ପୂଜିତ ହେଉଥିଲେ। ପରେ ଶ୍ରୀମନ୍ଦିର ଭିତରେ ପଞ୍ଚମହାଦେବ ହିସାବରେ ପାଞ୍ଚଟି କ୍ଷୁଦ୍ର ମନ୍ଦିରରେ ପୂଜିତ ହେଉଛନ୍ତି। ଶ୍ରୀମନ୍ଦିର ରୀତିନୀତି ସହ ପ୍ରମୁଖ ମନ୍ଦିରରେ ପୂଜିତ ମହାଦେବମାନଙ୍କ ସମ୍ପର୍କ ରହିଛି।

କିମ୍ବଦନ୍ତୀ କହେ ପାଣ୍ଡବମାନେ ବନବାସ କରିବା ସମୟରେ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠା କରିଥିବା ପାଞ୍ଚ ଶିବଲିଙ୍ଗ ଏହି ମନ୍ଦିରମାନଙ୍କରେ ପୂଜିତ ହେଉଛନ୍ତି । ଯଥା ଯୁଧିଷ୍ଠିରଙ୍କ ଦ୍ୱାରା ଶ୍ରୀଯମେଶ୍ୱର ଭୀମଙ୍କ ଦ୍ୱାରା ଶ୍ରୀ ଲୋକେଶ୍ୱର (ଲୋକନାଥ ), ଅର୍ଜୁନଙ୍କ ଦ୍ୱାରା ଶ୍ରୀ ମାର୍କଣ୍ଡେଶ୍ୱର, ନକୁଳଙ୍କ ଦ୍ୱାରା ଶ୍ରୀକପାଳମୋଚନ ଓ ସହଦେବଙ୍କ ଦ୍ୱାରା ଶ୍ରୀନୀଳକଣ୍ଠ ସ୍ୱରୂପରେ ଶିବଲିଙ୍ଗ ପ୍ରତିଷ୍ଠିତ ହୋଇଥିଲେ।

ଅନ୍ୟ ଏକ ମତରେ ଶ୍ରୀ ଯମେଶ୍ୱର ପ୍ରଭୁଙ୍କର (ଶ୍ରୀଜଗନ୍ନାଥ )ହିସାବ ରକ୍ଷକ, ଓ ଶ୍ରୀଲୋକନାଥ ପ୍ରଭୁଙ୍କର ରତ୍ନ ଭଣ୍ଡାର ରକ୍ଷକ ଭାବେ ମଧ୍ୟ ପରିଚିତ। ସେ ଯାହା ହେଉ ଶ୍ରୀଜଗନ୍ନାଥଙ୍କ ସହ ଏହି ପାଞ୍ଚ ମହାଦେବଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼। ବିଶେଷ ଭାବରେ ଚନ୍ଦନଯାତ ଓ ଶୀତଲଷଷ୍ଠୀ ପର୍ବରେ ସାମୁହିକ ଭାବରେ ଏମାନେ (ପାଞ୍ଚ ମହାଦେବ )ଶ୍ରୀଜଗନ୍ନାଥଙ୍କ ଲୀଳାରେ ସାମିଲ ହୁଅନ୍ତି। ଗଙ୍ଗ ବଂଶର ରାଜା ଚୋଡ଼ଗଙ୍ଗ ଦେବଙ୍କ ହରିହର ଉପାସନାର ପ୍ରଚାର ପାଇଁ ଶ୍ରୀମନ୍ଦିର ମଧ୍ୟରେ ଅନ୍ୟାନ୍ୟ ମହାଦେବଙ୍କ ସହ ପାଞ୍ଚମହାଦେବଙ୍କ ସ୍ଥାପନା ବିଶେଷ ଭାବରେ ବିଶ୍ୱାସ ଯୋଗ୍ୟ।

ଆସନ୍ତୁ ଏବେ କରିବା ଆରାଧନା ଓ ଭାଗବତ ପଠନ।

ପ୍ରକୃତି ଭେଦ ତିନି ଗୁଣ
ତତ୍ତ୍ୱରେ ନୁହଁନ୍ତି ଗଣନ ।
କାଳ ସ୍ଵଭାଵ ଯେ ଈଶ୍ୱର
ତ୍ରିଗୁଣୁ ଅଟନ୍ତି ସେ ପର ।
ତାହାର ସର୍ବ ଶକ୍ତି ଭାବେ
ତା ତହୁଁ ତ୍ରିଗୁଣ ସମ୍ଭବେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

 

Leave A Reply

Your email address will not be published.