ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଚିଂତା ହୋଇଲେ ଅଣାୟତ୍ତ
ମନ ବି ହୁଏ ଆଂଦୋଳିତ
ଅଯଥା କ୍ଷୁବ୍ଧ ଓ ବିଭ୍ରାଂତ
ମଥା ବି ହୁଏ ପରିଶ୍ରାଂତ
ଦୁଶ୍ଚିଂତା କଲେ ଶୀଘ୍ର ଦୂର
ମନ ବି ହୁଏ ପରିଷ୍କାର
ମର୍ଯାଦା ବଢ଼ଇ ବ୍ୟକ୍ତିର
ହୁଏ ବହୁତ ଉପକାର
ସ୍ମୃତିରେ ସୁଦିନ ସାଇତି
ଉଲ୍ଲସିତ ହୋଇଲେ ବ୍ୟକ୍ତି
ଲେଖିପାରେନି ନୂଆ କୃତି
କରେ ଖାଲି ପୁନରାବୃତ୍ତି
ପଦେ କଥାକୁ ବାରଂବାର
କହିଲେ କେବଳ ପ୍ରଚାର
ଚଳିପାରିବ ନିରଂତର
କିଂତୁ ହେବନି ହିତକର
ପୁନର୍ଲିଖନକାରୀ ବ୍ୟକ୍ତି
ବୁଝେନି ସ୍ବଭାଷାର ଶକ୍ତି
ତେଣୁ ସେ ଅଭ୍ୟାସବଶତଃ
ହୋଇପାରେ ଲିଖନରତ
ଏପରି ଯେତେ ଲେଖିଲେ ବି
କେବେ ବି ହୁଏନି ପ୍ରଭାବୀ
ଏପରି ଯାଂତ୍ରିକ ଲିଖନ
ଯୋଗୁଁ ବଢ଼େନି ବୁଦ୍ଧି, ଜ୍ଞାନ
ଯାହା ବି ଯେତେ ଜଣେ ଜାଣେ
ତାହା ହିଁ ଲେଖିଲେ ଯତନେ
ହୁଏ ତା ନିଜର ବକ୍ତବ୍ୟ
ପାଠକ କରେ ଅନୁଭବ
ନବୀନତାର ପରିପଂଥୀ
ହୋଇଲେ ଭାଷାର ପ୍ରଗତି
ହୁଏ ସ୍ଥଗିତ ବା ମଂଥର
ଏ ସତ୍ୟ କରିବା ସ୍ବୀକାର
ତଦନୁଯାୟୀ ଲେଖାଲେଖି
କରିଲେ ଭାଷା ଧ୍ବଜା ଟେକି
ହୋଇପାରିବା ଅଗ୍ରସର
ଏହା ହିଁ କର୍ତବ୍ୟ ଆମର
Comments are closed.