Latest Odisha News

BREAKING NEWS

ଭାଷା ଭାଗବତ : ଭାଷାର ବିଜୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଗୋଟିଏ ରୋଗର ଔଷଧ
ସତରେ ହେଲେ ହେଁ ବିବିଧ
ରୋଗୀଟେ ଲୋଡ଼ିଲେ ବି ମୁକ୍ତି
ଚିକିତ୍ସକ କରଂତି ଯୁକ୍ତି

ନାହିଁ ଯେହେତୁ ସର୍ବୌଷଧି
ପ୍ରତ୍ୟେକେ ନିଜର ପରିଧି
ଜଗି କରଂତି ରୋଗୀସେବା
ଚଳେ ବହୁତ ଦେବା, ନେବା

ଥିଲେ ହେଁ ବହୁବିଧ ପଂଥା
ସମନ୍ବୟ ନିମଂତେ ଚିଂତା
କରିବା ପାଇଁ ନାହିଁ କେହି
କାମ ଚଳୁଛି ଯାହିତାହି

କେହି ନୁହଂତି ସର୍ବଜ୍ଞାନୀ
ଏ ସତ୍ୟ ବୁଝି ଆଉ ଜାଣି
ଲୋକେ ଯାହାକୁ ନେଲେ ମାନି
ସେ ହୁଏ ଅର୍ଥରଂକ ଧନୀ

ପ୍ରତ୍ୟେକ କ୍ଷେତ୍ରରେ ଏ ଧାରା
ହେଲାଣି ବିଶ୍ବ ପରଂପରା
ତହିଁରୁ ପାଇବାକୁ ମୁକ୍ତି
ନାହିଁ କାହାର ଇଚ୍ଛାଶକ୍ତି

ଏହି ପ୍ରକାର ବିବିଧତା
ଯୋଗୁଁ ଘଟିଲେ ଅବ୍ୟବସ୍ଥା
କେହି ଜଣେ ନୁହଂତି ଦାୟୀ
ସଭିଏଁ ହୁଅଂତି ବିଜୟୀ

ଭାଷାରେ ସୁଦ୍ଧା ଏହି ଧାରା
ଏବେ ହେଲାଣି ପରଂପରା
କବିଂକୁ କରିଲେ ପ୍ରଶଂସା
ପଡ଼େ କି ଭାଷାରେ ସୁଦଶା ?

ଏପରି ଅବାଗିଆ ପ୍ରଶ୍ନ
ଶୁଣି ବ୍ୟଥିତ ହେଲେ ମନ
ଖୋଜିବା ସ୍ପଷ୍ଟ ସମାଧାନ
ତା ହେବ ଭାଷାର ଜୀବନ

ସ୍ଥାପିତ ହେଲେ ସମନ୍ବୟ
ମନରୁ ଦୂରେ ରହେ ଭୟ
ଘଟେ ନବୀନ ଜ୍ଞାନୋଦୟ
ହୁଅଇ ଭାଷାର ବିଜୟ

ଭାଷା କ୍ରମଶଃ ହେଲେ ରୁଗ୍‌ଣ
ପାଏନି ଜନ ସମର୍ଥନ
ସକଳ କବି ଓ ଲେଖକ
ହୁଅଂତି ନିରବ ଦର୍ଶକ

Comments are closed.